କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା। ଗତ ନଭେମ୍ବର ୧୧ ତାରିଖରେ ସିଆରପିଏଫ (CRPF) ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଲସ୍କର-ଇ-ତୋଇବା ଆତଙ୍କବାଦୀ ଲତିଫ୍ ଭଟ୍ଟ ବୁଧବାର ସୁରକ୍ଷା ବାହିନୀ ଗୁଳିରେ ନିହତ ହୋଇଛି। ଜାଙ୍ଗଲପୋରା/ଲାରୁ ଅଞ୍ଚଳରେ ଚାଲିଥିବା ଏହି ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଲତିଫ୍‌କୁ ନିପାତ କରାଯାଇଛି।

ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ଲତିଫ୍ ଭଟ୍ଟ ଏକ ମସଜିଦ୍ ଭିତରେ ଆତ୍ମଗୋପନ କରି ସେଠାରୁ ଗୁଳିଚାଳନା କରୁଥିଲା। ମସଜିଦ୍‌ର ପବିତ୍ରତାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ଅତ୍ୟନ୍ତ ସଂଯମତା ଅବଲମ୍ବନ କରିଥିଲେ। ଏସଏସପି ଅନାୟତ ଅଲିଙ୍କ କହିବା ଅନୁଯାୟୀ, ଲତିଫ୍‌କୁ ଆତ୍ମସମର୍ପଣ କରିବା ପାଇଁ ଅନେକ ସୁଯୋଗ ଦିଆଯାଇଥିଲା। ଏପରିକି ଏସଏସପି ନିଜେ ତାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲତିଫ୍ ଜୀବନ ବଦଳରେ ବନ୍ଧୁକକୁ ବାଛିଥିଲା ଏବଂ ସକାଳ ପ୍ରାୟ ୨:୪୫ ସମୟରେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲା।

ଜମ୍ମୁ-କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍‌ର ମିଳିତ ଉଦ୍ୟମରେ ଏହି ଅପରେସନ୍ ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା। ପୂର୍ବରୁ ନଭେମ୍ବର ୧୬ ତାରିଖରେ ତା’ର ସହଯୋଗୀ ଉମର ନାସିର ଏକ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବେଳେ ଲତିଫ୍ ଖସି ପଳାଇବାରେ ସଫଳ ହୋଇଥିଲା। ତେବେ ଲଗାତାର ସର୍ଚ୍ଚ ଅପରେସନ୍ ଏବଂ ହାଇଟେକ୍ ସର୍ଭେଲାନ୍ସ ସାହାଯ୍ୟରେ ତାକୁ କୁଲଗାମରୁ ଧରାଯାଇଥିଲା। ଘଟଣାସ୍ଥଳରୁ ଆତଙ୍କବାଦୀର ମୃତଦେହ ସହ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।

ଲତିଫ୍ ଏବଂ ତା’ର ସହଯୋଗୀ କୁଲଗାମର ଆକ୍ରାନ୍ ଅଞ୍ଚଳରେ ତିନିଜଣ ସିଆରପିଏଫ ଯବାନଙ୍କୁ ଗୁଳି କରି ଆହତ କରିଥିଲେ। ଏହି ଏନକାଉଣ୍ଟର ପରେ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଆତଙ୍କବାଦୀମାନେ ଖସି ପାରିବେ କିନ୍ତୁ ଲୁଚି ରହିପାରିବେ ନାହିଁ। ଏହି ସଫଳତା ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

About The Author: Madhusudan Das