ଥିରୁଅନନ୍ତପୁରମ୍: କେରଳକୁ ମିଳିଛି ପ୍ରଥମ କିନ୍ନର ବା ତୃତୀୟ ଲିଙ୍ଗ ଆଇନଜୀବୀ। ପଦ୍ମାଲକ୍ଷ୍ମୀ ହେଲେ କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ଜଣେ ଓକିଲ ଭାବେ ତାଙ୍କ ନାଁ ରାଜ୍ୟ ବାର୍ କାଉନ୍ସିଲ୍ରେ ପଞ୍ଜୀକୃତ ହୋଇଛି। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମନ୍ତ୍ରୀଙ୍କ ଦେଇଥିବା ସୂଚନା ଅନୁସାରେ, ରବିବାର ବାର କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜନ କରି ୧୫୦୦ ଲ’ ଗ୍ରାଜୁଏଟ୍ଙ୍କୁ ବାର୍ ଏନ୍ରୋଲମେଣ୍ଟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ପଦ୍ମାଲକ୍ଷ୍ମୀ ସେମାନଙ୍କ ମଧ୍ୟରୁ ଜଣେ। ପ୍ରତିକୁଳ ପରିସ୍ଥିତିରେ ପଦ୍ମାଲକ୍ଷ୍ମୀ କିଭଳି ନିଜ ରାସ୍ତା ନିଜେ ତିଆରି କରି ସଫଳତା ପାଇଲେ ଏହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମନ୍ତ୍ରୀ ରାଜୀବ।
ଏହି ସଫଳତା ପାଇଁ ଲକ୍ଷ୍ମୀ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିବା କଥା ଆଇନ ମନ୍ତ୍ରୀ କହିଛନ୍ତି। ଦୀର୍ଘ ଦିନ ଧରି ନ୍ୟାୟ ପାଇବାକୁ ବାରଣ କରାଯାଉଥିବା କିନ୍ନର ସମ୍ପ୍ରଦାୟର ସ୍ୱର ହୋଇଥିବାରୁ ସେ ତାଙ୍କ ଦୃଷ୍ଟିକୁ ପ୍ରଶଂସା କରିଛନ୍ତି। ସେ ଆଶା କରିଛନ୍ତି ଯେ ଲକ୍ଷ୍ମୀଙ୍କ କାହାଣୀ କିନ୍ନର ସମ୍ପ୍ରଦାୟର ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ସେ ଲକ୍ଷ୍ମୀଙ୍କୁ ତାଙ୍କ କ୍ୟାରିୟରରେ ସଫଳତା କାମନା କରିଛନ୍ତି।