ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତରେ ବରଫ ରହିଛି। ଏହା ଜଳରୁ ଜମି ସୃଷ୍ଟି ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଦାବି କରାଯାଇଛି। ସ୍ପେସ ଆପ୍ଲିକେସନ ସେଣ୍ଟର (ଏସଏସି)/ଇସ୍ରୋର ବୈଜ୍ଞାନିକଙ୍କ ଦ୍ବାରା ଆଇଆଇଟି କାନପୁର, ଦକ୍ଷିଣ କାଲିଫର୍ଣ୍ଣିୟା ୟୁନିଭର୍ସିଟି, ଜେଟ୍ ପ୍ରପଲସନ ଲ୍ୟାବ ଏବଂ ଆଇଆଇଟି ଧାନବାଦର ଗବେଷକଙ୍କ ସହାୟତାରେ ଏହି ଅଧ୍ୟୟନ କରାଯାଇଛି। ଏହି ଅଧ୍ୟୟନରେ ୭ଟି ଉପକରଣକୁ ବ୍ୟବହାର କରାଯାଇଥିଲା। ଏଥିରେ ଚନ୍ଦ୍ରର ଅର୍ବିଟରର ରାଡାର, ଲେଜର, ଅପ୍ଟିକାଲ, ନ୍ୟୁଟ୍ରନ, ସ୍ପେକ୍ଟୋମିଟର, ଅଲଟ୍ରା ଭାଓଲେଟ ସ୍ପେକ୍ଟ୍ରୋମିଟର ଏବଂ ଥର୍ମାଲ ରେଡିଓମିଟର ସାମିଲ ଥିଲା।
ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଆଇଏସପିଆରଏସ ଜର୍ଣ୍ଣାଲ ଅଫ୍ ଫଟୋଗ୍ରାମେଟ୍ରି ଆଣ୍ଡ ରିମୋଟ ସେନ୍ସିଂରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡିଛି ଯେ ଚନ୍ଦ୍ରପୃଷ୍ଠରୁ କିଛି ମିଟର ତଳେ ଯେଉଁ ବରଫ ରହିଛି ତାହାର ମାତ୍ରା ପୃଷ୍ଠ ତୁଳନାରେ ୫ରୁ ୮ ଗୁଣ ଅଧିକ। ଏହି ତଥ୍ୟ ଭବିଷ୍ୟତର ଚନ୍ଦ୍ର ଅଭିଯାନରେ ସହାୟକ ହେବ। ଏହା ଚନ୍ଦ୍ରପୃଷ୍ଠରୁ ବରଫ ନମୁନା ସଂଗ୍ରହ କିମ୍ବା ଦୀର୍ଘ ଦିନ ପର୍ଯ୍ୟନ୍ତ ମନୁଷ୍ୟର ଉପସ୍ଥିତି ପାଇଁ ଡ୍ରିଲିଂ କରିବାରେ ସହାୟତା ମିଳିବ। ବରଫର ଗଭୀରତା ଆଧାରରେ ଭବିଷ୍ୟତର ଚନ୍ଦ୍ରାଭିଯାନ ପାଇଁ ଅବତରଣର ପ୍ରକୃଷ୍ଠ ସ୍ଥାନ ଏବଂ ସଠିକ ନମୁନା ସଂଗ୍ରହ ପଏଣ୍ଟ ଚୟନ କରିବାରେ ସହାୟକ ହେବ।
ଅଧ୍ୟୟନ ଆଧାରରେ ଇସ୍ରୋ ପକ୍ଷରୁ ଦାବି କରାଯାଇଛି ଯେ ଦକ୍ଷିଣ ମେରୁ ଅପେକ୍ଷା ଚନ୍ଦ୍ରର ଉତ୍ତର ମେରୁରେ ଜଳରୁ ଜମିଥିବା ବରଫ ମାତ୍ରା ଦୁଇ ଗୁଣ ରହିଛି। ୨୦୦୮ରେ ପଠା ଯାଇଥିବା ଚନ୍ଦ୍ର ଅଭିଯାନ ସମୟରେ ଚନ୍ଦ୍ର ଉପର ପୃଷ୍ଠରେ ଜଳରୁ ଜମି ଥିବା ବରଫ ନେଇ ଭବିଷ୍ୟବାଣୀ କରାଯାଇଥିଲା। ଚନ୍ଦ୍ରଯାନ-୨ରେ ମଧ୍ୟ ଏଭଳି ଦାବି କରାଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ ୩.୮୫ ବିଲିୟନ ବର୍ଷ ତଳେ ଇମ୍ବ୍ରିୟନ କାଳରେ ହୋଇଥିବା ଆଗ୍ନେୟଗିରି ଉଦଗୀରଣରୁ ଚନ୍ଦ୍ରରେ ଥିବା ଗର୍ତ୍ତରେ ପାଣି ଜମା ହୋଇଥିଲା।
ଲ୍ୟାଣ୍ଡର, ରୋଭରର ଉଚ୍ଚମାନର ଫଟୋ ଜାରି
ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନର ଉଚ୍ଚ ମାନର ଫଟୋ ଜାରି କରିଛି। ଚଳିତ ବର୍ଷ ମାର୍ଚ୍ଚ ୧୫ରେ ଏହି ଫଟୋ ଉଠା ଯାଇଥିଲା। ସ୍ବାଧୀନ ଗବେଷକ ଚନ୍ଦ୍ରା ତୁଙ୍ଗଥୁରଥି ଏହି ଫଟୋ ଜାରି କରିଛନ୍ତି। ଚନ୍ଦ୍ରପୃଷ୍ଠରୁ ୬୫ କିମି ଉଚ୍ଚରୁ ୧୭ ସେମି ପିକ୍ସେଲରେ ଏହି ଫଟୋ ନିଆଯାଇଛି। ତେବେ ଇସ୍ରୋର ପୁରୁଣା ଫଟୋ ୧୦୦ କିମି ଉଚ୍ଚରୁ ୨୬ ସେମି ପିକ୍ସେଲରେ ନିଆ ଯାଇଥିଲା।