ତେଲ ଆଭିଭ: ଇସ୍ରାଏଲ-ଇରାନ ସଂଘର୍ଷ ଥମିବାର ନା ଧରୁନି। ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ଼ ଜାରି ରଖିଛନ୍ତି। ଘମାଘୋଟ ଲଢ଼େଇ ଜାରି ରହିଥିବାବେଳେ ଆମେରିକା ଯୁଦ୍ଧରେ ଲମ୍ଫ ପ୍ରଦାନ କରିବାକୁ ଚାହିଁ ବସିଛି। ୨ ସପ୍ତାହ ମଧ୍ୟରେ ଏହି ଯୁଦ୍ଧରେ ସାମିଲ ହେବ କି ନାହିଁ ତାହାର ନିଷ୍ପତ୍ତି ନିଆଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହା ମଧ୍ୟରେ ଇରାନ ଭାରତୀୟ ନାଗରିକଙ୍କ ପାଇଁ ନିଜ ବାୟୁସୀମା ଖୋଲି ଦେଇଛି।
ଯୁଦ୍ଧ ଶୁକ୍ରବାର ଅଷ୍ଟମ ଦିନରେ ପହଞ୍ଚିଥିବାବେଳେ ସନ୍ଧ୍ୟାରେ ଇସ୍ରାଏଲର ତେଲ ଆଭିଭ, ବିର୍ସେବା, ହାଇଫା ସହିତ ଅନେକ ସହ ଉପରେ ଇରାନ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ହାଇଫାରେ କ୍ଷେପଣାସ୍ତ୍ର ପଡ଼ିବାରୁ ୧୭ ଜଣ ଆହତ ହୋଇଛନ୍ତି। ଜଣେ ନାବାଳକଙ୍କ ସମେତ ତିନି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ବର୍ସେବା ସହିତ ୪ ସହର ଉପରେ ଇରାନ ପ୍ରଥମ ଥର ପାଇଁ ନିଷିଦ୍ଧ କ୍ଲଷ୍ଟର ବୋମା ମାଡ଼ କରିଛି। ଏହାର ଅନେକ ଭିଡିଓ ସାମ୍ନାକୁ ଆସିଛି। ବାଲିଷ୍ଟିକ ମିସାଇଲରେ କ୍ଲଷ୍ଟର ବୋମା ଲଗାଇ ମାଡ଼ କରିଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନର କ୍ଷୁଦ୍ର ବୋମା ପଡୁଥିବା ଦେଖି ଯାଉଛି। ଅସ୍ତ୍ରବିରତିର ସମ୍ଭାବନା କମ୍ ଥିବାବେଳେ ଏହି ଅସ୍ତ୍ର ବ୍ୟବହାର କରି ଇରାନ ସଂଘର୍ଷକୁ ଅଧିକ ଘନୀଭୂତ କରିଦେଇଛି। ଏହି ଆକ୍ରମଣରେ ଇସ୍ରାଏଲ ହସ୍ପିଟାଲ କ୍ଷତିଗ୍ରସ୍ତ ହେଇଛି। ଏଥିରେ ୭୧ ଜଣ ଆହତ ହୋଇଛନ୍ତି। ହସ୍ପିଟାଲ ଉପରେ ଆକ୍ରମଣ ପାଇଁ ଇରାନ ନେତୃତ୍ବକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଚେତାବନୀ ଦେଇଛନ୍ତି। ସାମରିକ ଅଭିଯାନକୁ ଅଧିକ ଜୋରଦାର କରାଯିବ ବୋଲି ନେତାନ୍ୟାହୁ କହିଛନ୍ତି। ୨୦୦୮ ପରେ କ୍ଲଷ୍ଟର ବୋମାକୁ ନିଷିଦ୍ଧ କରିବା ପାଇଁ ଜାତିସଂଘରେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହା ସତ୍ତ୍ବେ ଇରାନ କ୍ଲଷ୍ଟର ବୋମା ବ୍ୟବହାର କରି ଇରାନ ଯୁଦ୍ଧ ଅପରାଧ କରିଛି ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି। ସେହିପରି ଇସ୍ରାଏଲ ମଧ୍ୟ ଆଜି ଇରାନର ୩ ପରମାଣୁ କେନ୍ଦ୍ର ଏବଂ ଅନ୍ୟ ସାମରିକ ଠିକଣାକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ଼ କରିଛି। ସୋରକୋ ହସ୍ପିଟାଲ ଆଦିକୁ ନିଶାଣ କରି ଶହେରୁ ଅଧିକ ଆତ୍ମଘାତୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି ଇରାନ ପକ୍ଷରୁ କୁହାଯାଇଛି। ଆଣବିକ କେନ୍ଦ୍ରରେ ଆକ୍ରମଣକୁ ଇରାନ ବିଦେଶ ମନ୍ତ୍ରୀ ଗମ୍ଭୀର ଯୁଦ୍ଧ ଅପରାଧ କହିଛନ୍ତି।
ଏହା ପୂର୍ବରୁ ସକାଳେ ବିର୍ସେବାରେ ଥିବା ମାଇକ୍ରୋସଫ୍ଟ ଅଫିସ ନିକଟରେ ଇରାନ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ଦ୍ବାରା ଅନେକ କାର୍ରେ ନିଆଁ ଲାଗି ଯାଇଥିଲା। ଏହା ମଧ୍ୟରେ ଇରାନ ଭାରତ ପାଇଁ ନିଜ ବାୟୁସୀମା ଖୋଲି ଦେଇଛି। ଅପରେସନ ସିନ୍ଧୁ ଅଧଇନରେ ଭାରତ ସରକାର ଆଗାମୀ ଦୁଇ ଦିନ ମଧ୍ୟରେ ୩ଟି ସ୍ବତନ୍ତ୍ର ଚାଟାର୍ଡ ବିମାନରେ ପ୍ରାୟ ହଜାରେ ଭାରତୀୟଙ୍କୁ ଉଦ୍ଧାର କରିବେ। ଏହି ବିମାନ ଇରାନର ମସହଦରୁ ଉଡାଣ ଆରମ୍ଭ କରି ଦିଲ୍ଲୀରେ ଅବତରଣ କରିବ।
ଅନ୍ୟପକ୍ଷରେ ଆମରିକା ପକ୍ଷରୁ କୁହାଯାଇଛି ଯେ ପରମାଣୁ ଅସ୍ତ୍ର ପ୍ରସ୍ତୁତି ଲାଗି ଇରାନ ପାଖରେ ସମ୍ପୂର୍ଣ୍ଣ କ୍ଷମତା ରହିଛି। ଇରାନର ସର୍ବୋଚ୍ଚ ନେତା ନିର୍ଦ୍ଦେଶ ଦେଲେ କିଛି ସପ୍ତାହ ମଧ୍ୟରେ ପରମାଣୁ ବୋମା ପ୍ରସ୍ତୁତ କରିହେବ। ଯଦି ଇରାନ ଏହାର କରିଦିଏ ତେବେ କେବଳ ଇସ୍ରାଏଲ ନୁହେଁ, ବରଂ ଆମେରିକା ସହିତ ସାରା ବିଶ୍ବର ସୁରକ୍ଷା ବିପଦରେ ପଡ଼ିଯିବ ବୋଲି ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନା ଲେଭିଟ କହିଛନ୍ତି। ସୂଚନା ଅନୁଯାୟୀ ଏହି ଯୁଦ୍ଧରେ ଇରାନରେ ୬୫୭ ଜଣ ଏବଂ ଇସ୍ରାଏଲର ୨୪ ଜଣ ପ୍ରାଣ ହରାଇଲେଣି।