ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି ଏବଂ ଉଭୟ ପାର୍ଶ୍ୱରୁ କ୍ରମାଗତ ରକେଟ୍ ଆକ୍ରମଣ ଚାଲିଛି। ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲକୁ ଆଶ୍ୱାସନା ଦେଇ ସେ ସବୁ ପରିସ୍ଥିତିରେ ଇସ୍ରାଏଲ ସହିତ ଅଛନ୍ତି ବୋଲି କହିଥିବା ବେଳେ ନିଜର ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ଆମେରିକୀୟ ଅସ୍ତ୍ରଶସ୍ତ୍ର ନେଇ ଆମେରିକୀୟ ବିମାନ ଇସ୍ରାଏଲ୍ ମାଟିରେ ପହଞ୍ଚିଛି। ଏହା ସହିତ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ଇସ୍ରାଏଲ ଗସ୍ତରେ ଥିବା ଜଣାପଡିଛି।
ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଜେନ ଗାଜା ପଟିରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ହାମାସକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି ସଙ୍କଟ ସମୟରେ ଆମେ ଇସ୍ରାଏଲ ସହିତ ଅଛୁ । ଆତଙ୍କବାଦଙ୍କ ବିରୋଧରେ ଲଢିବା ଏବଂ ହାମାସକୁ ଜବାବ ଦେବା ଇସ୍ରାଏଲର ଧର୍ମ । ଇସ୍ରାଏଲ ଓ ହମାସ ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୪ ଜଣଙ୍କ ଆମେରକୀୟଙ୍କ ମୃତ୍ୟୁ ହୋଇଛି । ବହୁଜଣଙ୍କୁ ବନ୍ଧକ ରଖାଯାଇଛି। ନିରୀହ ନାଗରିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲରେ ହମାସ ନରସଂହାର କରିଛି। ଇସ୍ରାଏଲ ସହ ଆମେରିକା ଅଛି । ଯାହା ସହାୟତା ଆବଶ୍ୟକ ଯୋଗାଇଦିଆଯିବ ବୋଲି କହିଛନ୍ତି ବାଇଡେନ।
ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଏହି ଗସ୍ତ ଇସ୍ରାଏଲର ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିବ। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ତାଙ୍କ ଗସ୍ତ ସମୟରେ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲ୍ ସହିତ ଆଲୋଚନା କରିବେ ଯେ ଆମେ ସେମାନଙ୍କୁ କେଉଁ ଅତିରିକ୍ତ ଉତ୍ସ ଦେଇପାରିବା। ଯାହା ଦ୍ବାରା ସେମାନେ ଆତଙ୍କବାଦୀଙ୍କ ନିପାତ କରିପାରିବେ।
ଇସ୍ରାଏଲରେ ଯୁଦ୍ଧାସ୍ତ୍ର ନେଇ ପହଞ୍ଚିଲା ଆମେରିକା ବିମାନ
ଆମେରିକା ଇସ୍ରାଏଲକୁ ସହାୟତା ଯୋଗାଇବା ଆରମ୍ଭ କରିଛି ଏବଂ ଆମେରିକାର ଅସ୍ତ୍ରଶସ୍ତ୍ର ସହିତ ପ୍ରଥମ ଆମେରିକୀୟ ବିମାନ ଇସ୍ରାଏଲ୍ ମାଟିରେ ଅବତରଣ କରିଛି। ଏହି ସୂଚନା ପ୍ରଦାନ କରି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) କହିଛି ଯେ ଆମେରିକାର ଅସ୍ତ୍ରଶସ୍ତ୍ର ନେଇଥିବା ପ୍ରଥମ ବିମାନ ମଙ୍ଗଳବାର ସନ୍ଧ୍ୟାରେ ଦକ୍ଷିଣ ଇସ୍ରାଏଲର ନେଭାଟିମ୍ ଏୟାରବେସରେ ଅବତରଣ କରିଛି।
ତେବେ ଆମେରିକାରୁ କେଉଁ ପ୍ରକାର ଅସ୍ତ୍ରଶସ୍ତ୍ର କିମ୍ବା ସାମରିକ ଉପକରଣ ଗ୍ରହଣ କରିଛି ତାହା IDF ପ୍ରକାଶ କରି ନାହିଁ। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ଯେ ଯୁଦ୍ଧ ସମୟରେ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ଆମର ସୈନ୍ୟଙ୍କ ମଧ୍ୟରେ ସହଯୋଗ ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଆମେରିକା କ୍ରମାଗତ ଭାବରେ ଇସ୍ରାଏଲକୁ ସମର୍ଥନ କରୁଛି ଏବଂ ମଙ୍ଗଳବାର ଦିନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୃତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି।
ସେପଟେ ୫ ଦିନରେ ପହଞ୍ଚିଛି ଇସ୍ରାଏଲ-ହମାସ୍ ଯୁଦ୍ଧ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଗତ ଦଶନ୍ଧି ମଧ୍ୟରେ ଏହା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହୋଇଛି। ଉଭୟ ପକ୍ଷରୁ ହେଉଛି ଘନ ଘନ ରକେଟ୍ ମାଡ଼। ଯାହା ଫଳରେ ଦୁଇ ପକ୍ଷର ବିଭିନ୍ନ ସହର ଗୁଡିକ ଛାରଖାର ହୋଇଗଲାଣି, ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଅନ୍ୟପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି, ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ’। ନେତାନ୍ୟାହୁ କହିଛନ୍ତି, ଆମେ ଏହି ଯୁଦ୍ଧ ଚାହିନଥିଲୁ। କିନ୍ତୁ ଅତ୍ୟନ୍ତ ନିଷ୍ଠୁର ଏବଂ ବର୍ବର ଭାବେ ଆମ ଉପରେ ଆକ୍ରମଣ ହୋଇଛି। ଯଦିଓ ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନାହିଁ କିନ୍ତୁ ଇସ୍ରାଏଲ ହିଁ ଏହି ଯୁଦ୍ଧ ଶେଷ କରିବ। ନେତାନ୍ୟାହୁଙ୍କ ଏହି ବୟାନ ପରେ ଯୁଦ୍ଧ ଆଗକୁ ଆହୁରି ଉଗ୍ରରୂପ ଧାରଣ କରିପାରେ ବୋଲି କୁହାଯାଉଛି।