ବ୍ରିଟେନରେ ରହୁଥିବା ଜଣେ ଭାରତୀୟ ମହିଳା ନିଜର ଦରମା ବ୍ୟତୀତ ଗୋଟିଏ ମାସରେ ୬୩ ଲକ୍ଷ ଟଙ୍କା (ପ୍ରାୟ ୫୦,୧୦୨ ପାଉଣ୍ଡ) ରୋଜଗାର କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଅଦିତି ମିଶ୍ର (Aditi Mishra) ନାମକ ଏହି ମହିଳା ଲଣ୍ଡନର ଏକ ଫିନଟେକ୍ ଷ୍ଟାର୍ଟଅପରେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି। ତେବେ ସେ ନିଜର ଖାଲି ସମୟରେ କଣ୍ଟେଣ୍ଟ କ୍ରିଏଟର (Content Creator) ଭାବେ କାମ କରି ଏହି ବିପୁଳ ଅର୍ଥ ଉପାର୍ଜନ କରିବାରେ ସଫଳ ହୋଇଛନ୍ତି। ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି।
ବିଭିନ୍ନ ମାଧ୍ୟମରୁ ରୋଜଗାର
ଅଦିତି ନିଜର ଆୟର ଉତ୍ସ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ନିଜର କର୍ପୋରେଟ୍ ଚାକିରି ସହ କିଛି ବନ୍ଧୁଙ୍କୁ ପରାମର୍ଶଦାତା (Consulting) ଭାବେ ସାହାଯ୍ୟ କରି ସେ ୫,୦୦୦ ପାଉଣ୍ଡ (ପ୍ରାୟ ୬.୩ ଲକ୍ଷ ଟଙ୍କା) ରୋଜଗାର କରିଛନ୍ତି। ସେହିପରି ପବ୍ଲିକ୍ ସ୍ପିକିଂ ଓ ୱାର୍କସପ୍ ମାଧ୍ୟମରେ ୯,୫୦୦ ପାଉଣ୍ଡ ପାଇଛନ୍ତି। ଅନ୍ୟପକ୍ଷରେ କଣ୍ଟେଣ୍ଟ କ୍ରିଏସନରୁ ତାଙ୍କୁ ସର୍ବାଧିକ ଆୟ ମିଳିଛି। ୟୁଜିସି (UGC- User Generated Content) ମାଧ୍ୟମରେ ବିଭିନ୍ନ ବ୍ରାଣ୍ଡ ପାଇଁ କଣ୍ଟେଣ୍ଟ ପ୍ରସ୍ତୁତ କରି ସେ ୧୦,୦୦୦ ପାଉଣ୍ଡ ଓ ବିଭିନ୍ନ ବ୍ରାଣ୍ଡ୍ ଡିଲ୍ (Brand Deals) ଜରିଆରେ ୨୫,୧୦୨ ପାଉଣ୍ଡ ଆୟ କରିଛନ୍ତି। ସର୍ବମୋଟ ଗୋଟିଏ ମାସରେ ତାଙ୍କର ଏହି 'ସାଇଡ୍ ହସଲ୍'ରୁ ଆୟ ୫୦,୧୦୨ ପାଉଣ୍ଡ (୬୩ ଲକ୍ଷ ଟଙ୍କା) ହୋଇଥିବା ସେ ପ୍ରକାଶ କରିଛନ୍ତି।
ଭିସା ନିୟମ ଓ ସମୟ ପରିଚାଳନା
ସାଧାରଣତଃ ବିଦେଶରେ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅନ୍ୟ ଆୟର ପନ୍ଥା ବାଛିବାରେ ଭିସା ନିୟମ ଏକ ବଡ଼ ବାଧକ ସାଜିଥାଏ। ତେବେ ବ୍ରିଟେନର 'ସ୍କିଲ୍ଡ ୱାର୍କର୍' (Skilled Worker) ଭିସା ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ମୂଳ ଚାକିରି ବ୍ୟତୀତ ସପ୍ତାହକୁ ସର୍ବାଧିକ ୨୦ ଘଣ୍ଟା ଅନ୍ୟ ବ୍ୟବସାୟ ବା ଚାକିରି କରିପାରିବେ ବୋଲି ଅଦିତି ସ୍ପଷ୍ଟ କରିଛନ୍ତି। ତେଣୁ ସେ ନିଜର ଅତିରିକ୍ତ କାମକୁ ସପ୍ତାହକୁ ୨୦ ଘଣ୍ଟା ମଧ୍ୟରେ ସୀମିତ ରଖିଥାନ୍ତି। ତାଙ୍କର ଏହି ସ୍ୱଚ୍ଛତା ଓ ପରିଶ୍ରମକୁ ନେଇ ସୋସିଆଲ୍ ମିଡିଆରେ ଅନେକ ୟୁଜର ପ୍ରଶଂସା କରିଛନ୍ତି।