ଜାତିସଂଘ ନିରାପତ୍ତା ପରିଷଦରେ (UNSC) ପାକିସ୍ତାନକୁ ଭାରତର କଡ଼ା ଜବାବ। 'ସଶସ୍ତ୍ର ସଂଘର୍ଷରେ ବେସାମରିକ ନାଗରିକଙ୍କ ସୁରକ୍ଷା' ଶୀର୍ଷକ ଏକ ଖୋଲା ବିତର୍କରେ ପାକିସ୍ତାନ ପ୍ରତିନିଧି ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ରାଷ୍ଟ୍ରଦୂତ ହରିଶ ପର୍ବତନେନି ପାକିସ୍ତାନକୁ ତୀବ୍ର ସମାଲୋଚନା କରିବା ସହ ଇସଲାମାବାଦର "ଗଣହତ୍ୟା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ"ର ଲମ୍ବା ଇତିହାସ ରହିଛି ବୋଲି ଦର୍ଶାଇଛନ୍ତି।
କପଟୀ ପାକିସ୍ତାନକୁ କଡ଼ା ଜବାବ
ନିଜର ପ୍ରତିକ୍ରିୟା ରଖି ରାଷ୍ଟ୍ରଦୂତ ହରିଶ ପର୍ବତନେନି କହିଛନ୍ତି ଯେ, "ଅନ୍ଧକାରରେ ନିର୍ଦ୍ଦୋଷ ନାଗରିକଙ୍କୁ ଟାର୍ଗେଟ୍ କରୁଥିବା ଦେଶ ଅନ୍ତର୍ଜାତୀୟ ଆଇନର ଉଚ୍ଚ ନୀତି ବିଷୟରେ ବଡ଼ବଡ଼ କଥା କହିବା ହେଉଛି ଘୋର କପଟତା।" ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପୂର୍ବରୁ ପାକିସ୍ତାନ ନିଜର ରକ୍ତରଞ୍ଜିତ ଇତିହାସ ଏବଂ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରେକର୍ଡ ଉପରେ ନଜର ପକାଇବା ଉଚିତ୍ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆଫଗାନିସ୍ତାନରେ ସୀମାପାର ବର୍ବରତା
ବିତର୍କ ସମୟରେ ଭାରତ ୟୁଏନ୍ଏମ୍ଏ (UNAMA) ବା 'ଆଫଗାନିସ୍ତାନରେ ଜାତିସଂଘର ସହାୟତା ମିଶନ'ର ଏକ ରିପୋର୍ଟକୁ ଉଦ୍ଧାର କରି ପାକିସ୍ତାନର ଅସଲ ମୁଖା ଖୋଲିଥିଲା। ରିପୋର୍ଟ ଅନୁଯାୟୀ, କେବଳ ୨୦୨୬ ମସିହାର ପ୍ରଥମ ତିନିମାସ ମଧ୍ୟରେ ପାକିସ୍ତାନୀ ସାମରିକ ବାହିନୀର ସୀମାପାର ସଶସ୍ତ୍ର ହିଂସା ଓ ଏୟାରଷ୍ଟ୍ରାଇକ୍ ଯୋଗୁଁ ଆଫଗାନିସ୍ତାନରେ ୭୫୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି କିମ୍ବା ଆହତ ହୋଇଛନ୍ତି। ଜାତିସଂଘ ସଂସ୍ଥାର ତଥ୍ୟ ମୁତାବକ, ସାଧାରଣ ନାଗରିକଙ୍କ ମୃତାହତ ସମ୍ବନ୍ଧୀୟ ୯୫ ଟି ଘଟଣା ମଧ୍ୟରୁ ୯୪ ଟି ପାଇଁ କେବଳ ପାକିସ୍ତାନୀ ସୁରକ୍ଷା ବାହିନୀ ଦାୟୀ।
କାବୁଲ ହସ୍ପିଟାଲ୍ ଉପରେ ଆକ୍ରମଣ
ଚଳିତ ବର୍ଷ ପବିତ୍ର ରମଜାନ ମାସରେ କାବୁଲର ଓମିଦ ଆଡିକ୍ସନ୍ ଟ୍ରିଟମେଣ୍ଟ ହସ୍ପିଟାଲ୍ ଉପରେ ପାକିସ୍ତାନ କରିଥିବା ବର୍ବର ଏୟାରଷ୍ଟ୍ରାଇକ୍କୁ ଭାରତୀୟ ରାଷ୍ଟ୍ରଦୂତ କଡ଼ା ନିନ୍ଦା କରିଥିଲେ। ତାରାବୀ (Tarawih) ନମାଜ ପାଠ ସାରି ରୋଗୀମାନେ ବାହାରକୁ ଆସୁଥିବା ବେଳେ ଏହି ଭୀରୁତାପୂର୍ଣ୍ଣ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ୨୬୯ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୧୨୨ ଜଣ ଆହତ ହୋଇଥିଲେ ବୋଲି ସେ ଅନ୍ତର୍ଜାତୀୟ ସମୁଦାୟକୁ ଅବଗତ କରାଇଥିଲେ। ନିଜ ଦେଶର ବିଫଳତାକୁ ଲୁଚାଇବା ପାଇଁ ପାକିସ୍ତାନ ନିରନ୍ତର ହିଂସାର ଆଶ୍ରୟ ନେଉଛି ବୋଲି ଭାରତ ଜାତିସଂଘରେ ଦର୍ଶାଇଛି।