ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଇଛି। ଦୈନିକ ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଥିବାରୁ ଦେଶବ୍ୟାପୀ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଦେଶରେ ୧ ଲକ୍ଷ ୫୨ହଜାର ୮୭୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୮୩୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି। ଲଗାତାର ୫ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ରହିଛି ଏବଂ ୩୧ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ିଚାଲିଛି। ଦେଶରେ ସକ୍ରିୟ ମାମଲା ୧୦ ଲକ୍ଷ ଟପି ସାରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ୧ ଲକ୍ଷ ୫୨ହଜାର ୮୭୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ହଜାର ୮୦୫ ରେ ପହଞ୍ଚିଛି। ଏଥି ସହିତ ଗତ ୨୪ ଘଣ୍ଟାରେ ହୋଇଥିବା ୮୩୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୨୦ ଲକ୍ଷ ୮୧ ହଜାର ୪୪୩ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୧ ଲକ୍ଷ ୮ ହଜାର ୮୭ ରହିଛି ।