ନୂଆଦିଲ୍ଲୀ: ସାରା ବିଶ୍ବ ପାଇଁ ଭାରତ ଏବେ ଉଦାହରଣ ହୋଇଛି। କେବଳ ସେତିକି ନୁହେଁ ; ଭବିଷ୍ୟତ ପାଇଁ ଭରସା ମଧ୍ୟ ହୋଇଛି। ବିଶ୍ବ ଦୃଶ୍ୟପଟ୍ଟରେ ଦେଖାଯାଉଥିବା ବଡ଼ ବଡ଼ ଆହ୍ବାନକୁ କିଭଳି ସଫଳତାର ସହ ସମାଧାନ କରାଯାଇପାରିବ ତାହା ଭାରତ ଠାରୁ ଶିକ୍ଷା କରିବା ଆବଶ୍ୟକ ବୋଲି ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ବିତ୍ତଶାଳୀ ତଥା ମାଇକ୍ରୋସଫ୍ଟ କର୍ପୋରେସନର ସହ-ସଂସ୍ଥାପକ ବିଲ୍ ଗେଟ୍ସ କହିଛନ୍ତି। ସେ ନିଜ ବ୍ଲଗ ‘ଗେଟ୍ସ ନୋଟିସ’ରେ ଉଲ୍ଲେଖ କରି ଏଭଳି ଲେଖିବା ସହିତ ଭାରତ ଭବିଷ୍ୟତ ପାଇଁ ଆଶା ସଂଚାର ସୃଷ୍ଟି କରିଛି ବୋଲି କହିଛନ୍ତି। ବିଶେଷକରି ବିଭିନ୍ନ କ୍ଷେତ୍ରରେ ଦେଖାଯାଇଥିବା ଉତ୍କଟ ସମସ୍ୟାର ସମାଧାନ ଦିଗରେ ଭାରତ ଯେଭଳି ନିପୂଣତା ଦେଖାଇଛି ତାହାକୁ ସେ ଭୁରି ପ୍ରଶଂସା କରିଛନ୍ତି।
ବିଲ୍ ଗେଟ୍ସରେ ଲେଖିଛନ୍ତି ଯେ, କରୋନା କାଳରେ ସାରା ବିଶ୍ବ ସଂକଟରେ ଯୁଝିଥିଲା। ହେଲେ ଭାରତ ଏହି ସଂକଟର ସମାଧାନ ଦିଗରେ ଯେଭଳି ପଦକ୍ଷେପ ନେଇଥିଲା ତାହା ସମସ୍ତଙ୍କ ପାଇଁ ଉଦାହରଣ। କେବଳ ନିଜ ପାଇଁ ନୁହେଁ, ‘ଇନୋଭେସନ ଓ ଡେଲିଭରୀ ଚ୍ୟାନେଲସ’ ସହିତ ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଭାରତ ନିଜର ପ୍ରତିବଦ୍ଧତା ବଜାୟ ରଖିପାରିଛି ବୋଲି ଗେଟ୍ସ କହିଛନ୍ତି। ଏହାଦ୍ବାରା ବିଭିନ୍ନ ଦେଶର ସମସ୍ୟାର ସମାଧାନ ଦିଗରେ ପଥ ସୃଷ୍ଟି ହୋଇପାରିଛି। ସମସ୍ୟା ସମାଧାନ ଦିଗରେ ଯେ ବେକଳ ସମୟ ଏବଂ ପର୍ଯ୍ୟାପ୍ତ ଅର୍ଥ ଦରକାର ତାହାକୁ ଭାରତ ଭୂଲ ପ୍ରମାଣିତ କରିଛି । ବିଶେଷକରି ଜଳବାୟୁ ସଙ୍କଟ, ସ୍ବାସ୍ଥ୍ୟ, ଦାରଦ୍ର୍ୟ ଦୂରୀକରଣ ଏବଂ ନବଉନ୍ମେଷ ଦିଗରେ ଭାରତର ଭୂମିକା ଏବେ ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଗେଟ୍ସ କହିଛନ୍ତି। ଏଥିପାଇଁ ଭାରତ ମୋ ପାଇଁ ଭବିଷ୍ୟତର ଭରସା ପାଲଟିଛି ବୋଲି ଗେଟ୍ସ କହିଛନ୍ତି। ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ। ଏଠାରେ ଅନେକ ସମସ୍ୟା ରହିଛି ଯାହାକୁ ଏକସଙ୍ଗରେ ସମାଧାନ କରିବା ସମ୍ଭବ ନୁହେଁ । ହେଲେ ଏହାକୁ ଭାରତ ଭୁଲ ପ୍ରମାଣିତ କରିଛି। ସବୁ ଆହ୍ବାନକୁ କିଭଳି ସକାରାତ୍ମକ ଭାବେ ଗ୍ରହଣ କରି ଏହାର ସମାଧାନ କରାଯାଇପାରିବ ତାହା ଭାରତ ବିଶ୍ବବାସୀଙ୍କୁ ଦେଖାଇଛି । ଭାରତରେ ଏବେ ଗରିବୀ ହ୍ରାସ ପାଇଥିବା ବେଳେ ଏଚଆଇଭି ଭଳି ମାରାତ୍ମକ ରୋଗ ମଧ୍ୟ କମିଛି। ସେହିପରି ଶିଶୁ ମୃତ୍ୟୁହାର ହ୍ରାସ ପାଇବା ସହିତ ସ୍ବଚ୍ଛତାରେ ମଧ୍ୟ ଭାରତ ଅଗ୍ରଗତି କରୁଛି ବୋଲି ବିଲ୍ ଗେଟ୍ସ କହିଛନ୍ତି । ବିଲ ଗେଟ୍ସ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଥିଲା ବେଳେ ଏହାପୂର୍ବରୁ ତାଙ୍କ ବ୍ଳଗ୍ରେ ଏଭଳି ଉଲ୍ଲେଖ କରି ବିଭିନ୍ନ ମହଲକୁ ଚମକାଇ ଦେଇଛନ୍ତି।