ସୀମା ନିର୍ଦ୍ଧାରଣ ବିଲ୍‌କୁ ବିରୋଧ କରିବ ‘ଇଣ୍ଡିଆ’ ମେଣ୍ଟ: ଗଣତନ୍ତ୍ର ଓ ସଂରକ୍ଷଣ ପ୍ରତି ବିପଦ ଥିବା କହିଲେ ମଲ୍ଲିକାର୍ଜୁନ ଖର୍ଗେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ସଂଶୋଧନ ବିଲ୍‌ (Delimitation Amendment Bill) କୁ ବିରୋଧ କରିବା ପାଇଁ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ନିଷ୍ପତ୍ତି ନେଇଛି। ଶନିବାର ଅନୁଷ୍ଠିତ ଏକ ବୈଠକରେ ଏହି ବିଲ୍‌କୁ ଗଣତନ୍ତ୍ର ପ୍ରତି ଏକ ବଡ଼ ବିପଦ ବୋଲି ଅଭିହିତ କରାଯିବା ସହ ଏହା ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।

ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଏହି ବିଲ୍‌ ଜରିଆରେ ବିଜେପି ଓ ଆରଏସଏସ ନିଜର କ୍ଷମତାକୁ ସ୍ଥାୟୀ କରିବାକୁ ଚାହୁଁଛନ୍ତି। ସମ୍ବିଧାନରେ ପରିବର୍ତ୍ତନ କରିବା ପାଇଁ ପୂର୍ବରୁ ବିଜେପି '୪୦୦ ପାର୍‌' ସିଟ୍ ପାଇବାରେ ବିଫଳ ହେବା ପରେ ଏବେ ଲୋକସଭା ଆସନ ସଂଖ୍ୟାକୁ ୮୫୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରୁଛି। ଏହାଦ୍ୱାରା ସେମାନେ ସମ୍ବିଧାନରେ ବଡ଼ଧରଣର ଅଦଳବଦଳ କରିପାରିବେ ବୋଲି ଖର୍ଗେ ଅଭିଯୋଗ କରିଛନ୍ତି।

ସମ୍ବିଧାନ ଅନୁଯାୟୀ, ଜନସଂଖ୍ୟା ଭିତ୍ତିରେ ଏସସି ଓ ଏସଟି ବର୍ଗଙ୍କୁ ଆନୁପାତିକ ସଂରକ୍ଷଣ ପ୍ରଦାନ କରାଯାଏ। କିନ୍ତୁ ପ୍ରସ୍ତାବିତ ବିଲ୍‌ରେ ଏଭଳି କୌଣସି ସ୍ପଷ୍ଟ ବ୍ୟବସ୍ଥା ନାହିଁ। ଖର୍ଗେ କହିଛନ୍ତି ଯେ, ୨୦୨୬ ଜନଗଣନା ପ୍ରକ୍ରିୟା ଚାଲିଥିବା ବେଳେ ପୁରୁଣା ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ କରାଯିବା ଦ୍ୱାରା ଏହି ବର୍ଗଙ୍କୁ ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ମିଳିବାକୁ ଥିବା ଲାଭରୁ ବଞ୍ଚିତ କରାଯାଉଛି। ଏହାଛଡ଼ା ନିର୍ବାଚନ ମଣ୍ଡଳୀଗୁଡ଼ିକର ଭୌଗୋଳିକ ଓ ଜନସଂଖ୍ୟାଗତ ସ୍ଥିତିକୁ ବିଜେପି ନିଜର ରାଜନୈତିକ ଫାଇଦା ପାଇଁ ପରିବର୍ତ୍ତନ କରିପାରେ ବୋଲି ସେ ସତର୍କ କରାଇଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ସୀମା ନିର୍ଦ୍ଧାରଣ କାର୍ଯ୍ୟ କରାଯିବାକୁ ମଧ୍ୟ ‘ଇଣ୍ଡିଆ’ ମେଣ୍ଟ ବିରୋଧ କରିଛି। ଖର୍ଗେଙ୍କ ଅଭିଯୋଗ ଅନୁଯାୟୀ, ୧୦ କୋଟିରୁ ଅଧିକ ଭୋଟରଙ୍କ ନାମ କାଟିବା ଅଭିଯୋଗରେ ଥିବା ଅଧିକାରୀଙ୍କଠାରୁ ନିରପେକ୍ଷତା ଆଶା କରାଯାଇପାରିବ ନାହିଁ। ଯଦି ନିର୍ବାଚନ କମିଶନ ଜରିଆରେ 'ଭୋଟ୍ ଚୋରି' କରାଯାଇପାରୁଛି, ତେବେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ମଧ୍ୟ ସ୍ୱଚ୍ଛ ହେବ ନାହିଁ ବୋଲି ସେ ଦାବି କରିଛନ୍ତି।

ଏଥିସହ ଚୀନ୍‌ ଭଳି ଶାସନ ବ୍ୟବସ୍ଥା ଲାଗୁ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାୟୀ ଭାବେ କ୍ଷମତାରେ ରହିବାକୁ ଚାହୁଁଥିବା ଖର୍ଗେ କହିଛନ୍ତି। ବିଜେପି-ଆରଏସଏସ ଦେଶକୁ ‘ମନୁସ୍ମୃତି’ ଅନୁଯାୟୀ ଚଳାଇବାକୁ ପ୍ରୟାସ କରୁଥିବାରୁ ‘ଇଣ୍ଡିଆ’ ମେଣ୍ଟ ଏହାକୁ ପ୍ରବଳ ବିରୋଧ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

About The Author: Madhusudan Das