ବିଚାରପତିଙ୍କ ଘରୁ ୧୫ କୋଟି ଟଙ୍କା ମିଳିବା ଘଟଣା : କାଠଗଡ଼ାରେ ବିଚାର ବିଭାଗ…

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ଘରୁ ୧୫ କୋଟି ଟଙ୍କା ଜବତ ହେବା ଘଟଣାକୁ ନେଇ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି ହେବାକୁ ଲାଗିଛି। ଗଣମାଧ୍ୟମରେ ପ୍ରଥମେ ଏହି ଘଟଣା ପ୍ରଘଟ ହେବାପରେ ସାମନାକୁ ଆସିଛନ୍ତି ସୁପ୍ରିମ କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ। ଟଙ୍କା ଜବତ ସଂପର୍କରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରାଥମିକ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମ କୋର୍ଟ ଏହି ରିପୋର୍ଟ ସହିତ ପୋଡ଼ିଯାଉଥିବା ଟଙ୍କାର […]

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ଘରୁ ୧୫ କୋଟି ଟଙ୍କା ଜବତ ହେବା ଘଟଣାକୁ ନେଇ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି ହେବାକୁ ଲାଗିଛି। ଗଣମାଧ୍ୟମରେ ପ୍ରଥମେ ଏହି ଘଟଣା ପ୍ରଘଟ ହେବାପରେ ସାମନାକୁ ଆସିଛନ୍ତି ସୁପ୍ରିମ କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ। ଟଙ୍କା ଜବତ ସଂପର୍କରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରାଥମିକ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମ କୋର୍ଟ ଏହି ରିପୋର୍ଟ ସହିତ ପୋଡ଼ିଯାଉଥିବା ଟଙ୍କାର ଭିଡିଓ ଏହାର ୱେବସାଇଟରେ ଅପଲୋଡ୍ କରିଛନ୍ତି। ତେବେ ଏହି ଭିଡିଓ ଅସଲ ଘଟଣାକୁ ଉପରୁ ପରଦା ଉଠାଇବା ପରିବର୍ତ୍ତେ ଅନେକ ପ୍ରଶ୍ନ ଘେରକୁ ଟାଣି ହୋଇଛି।

୧୪ ତାରିଖରେ ଟଙ୍କା ଜବତ ହୋଇଥିବା ବେଳେ ଏହାକୁ ପ୍ରକାଶ କରିବାକୁ ୭ ଦିନ କାହିଁକି ଲାଗିଲା ? ଏହାର ଭିଡିଓ ଅପଲୋଡ୍ କରିବାକୁ ୧୦ ଦିନ କାହିଁକି ଲାଗିଲା ? ଜବତ ଟଙ୍କାର ମେମୋ କୁଆଡ଼େ ଗଲା ? ଜବତ ସଂପର୍କରେ ଆୟକର ବିଭାଗ ଏବଂ ଇଡି (ପ୍ରବର୍ତ୍ତନ ନି॥େର୍ଦ୍ଦଶାଳୟ)କୁ ସୂଚନା ଦିଆଯାଇ ନାହିଁ କାହିଁକି? ଏତେ ବଡ଼ ପରିମାଣର ଟଙ୍କା ଜବତ ହୋଇଥିବା ବେଳେ ଏହାର ଆପରାଧିକ ତଦନ୍ତ ପୁଲିସ ଦ୍ବାରା କାହିଁକି ଆରମ୍ଭ ହୋଇନାହିଁ ? ବିଚାରପତି କ’ଣ ଆଇନରୁ ଊର୍ଦ୍ଧ୍ବରେ ? ସୁପ୍ରିମ କୋର୍ଟ ଯେଉଁ ତଦନ୍ତ ରିପୋର୍ଟ ଅପଲୋଡ୍ କରିଛନ୍ତି ସେଥିରେ ଅନେକ ତଥ୍ୟ ଉପରେ କଳା ରଙ୍ଗ କାହିଁକି ବୋଳା ଯାଇଛି ? ଦିଲ୍ଲୀ ହାଇକୋର୍ଟଙ୍କ ତଦନ୍ତ ରିପୋର୍ଟକୁ ପୂରା ପ୍ରକାଶ ନକରି କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସୁପ୍ରିମ କୋର୍ଟ?

ବିଚାରବିଭାଗୀୟ ବ୍ୟବସ୍ଥାରେ ସ୍ବଚ୍ଛତା ରହିଛି ବୋଲି ଦର୍ଶାଇବାକୁ ଯାଇ ସୁପ୍ରିମ କୋର୍ଟ ଏହିସବୁ ତଥ୍ୟ ଅପଲୋଡ୍ କରିଥିଲେ ମଧ୍ୟ ଅନେକ ଆଇନଜୀବୀ ଏଭଳି ମାଳ ମାଳ ପ୍ରଶ୍ନ ଉଠାଇ ନ୍ୟାୟାଳୟକୁ ଘେରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତିି ଯେ ଭିଡିଓରେ ଅନେକ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରାଯାଇଛି। ଏହା ବିଚାର ବିଭାଗର ବିଶ୍ବସନୀୟତା ପ୍ରତି ପ୍ରଶ୍ନଚିହ୍ନ ଲଗାଇଛି। କେବଳ ଏତିକି ନୁହେଁ, ନ୍ୟାୟାଳୟ ପ୍ରତି ଲୋକମାନଙ୍କର ଆସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି।

ଦିଲ୍ଲୀ, କର୍ଣ୍ଣାଟକ, ଆହ୍ଲାବାଦ, କେରଳ,ବେଙ୍ଗାଲୁରୁ ସମେତ ଅନେକ ହାଇକୋର୍ଟ ବାର ଆସୋସିଏସନ୍ ସମଗ୍ର ଘଟଣାକୁ ଗୁରୁତ୍ବର ସହ ନେଇ ଉପରୋକ୍ତ ପ୍ରଶ୍ନ ଉଠାଇଛନ୍ତି। ଦିଲ୍ଳୀ ହାଇକୋର୍ଟ ବାର ଆସୋସିଏସନର କେକେ ମନନ୍ ଏବଂ ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନର ସଭାପତି ଅନିଲ ତିୱାରୀ ପ୍ରଶ୍ନ କରିଛନ୍ତି ଯେ ଯେଉଁ ଘଟଣାର ତଦନ୍ତ ୨୪ ଘଣ୍ଟା ଭିତରେ ହେବା କଥା ତାହା ୭ ଦିନ ଲାଗିଲା କାହିଁକି? ତାହା ପୁଣି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ଘଟଣାର ତଦନ୍ତ ପାଇଁ ସୁପ୍ରିମ କୋର୍ଟ ଯେଉଁ ଆଭ୍ୟନ୍ତରୀଣ କମିଟି ଗଠନ କରିଛନ୍ତି, ତାହା ଜଷ୍ଟିସ ବର୍ମାଙ୍କୁ କ୍ଲିନଚିଟ୍ ଦେବାର ସମ୍ଭାବନା ରହିଛି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଏହି ଆଇନଜୀବୀ। ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆନଯାଇ ଆଭ୍ୟନ୍ତରୀଣ କମିଟିକୁ ଦିଆଯିବାର ଉଦ୍ଦେଶ୍ୟକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିଥିଲା ଏବଂ ଏହାକୁ ଲିଭାଇବା ସମୟରେ ଦମକଳ ବାହିନୀ ନଜରରେ ପଡ଼ିଥିଲା ପୋଡ଼ିଯାଉଥିବା ବିଡ଼ା ବିଡ଼ା ଟଙ୍କା। ଏହାର ପରିମାଣ ୧୫ କୋଟି ବୋଲି କୁହାଯାଉଛି। କିନ୍ତୁ ଏହାକୁ ସାଧାରଣରେ ପ୍ରକାଶ କରାଯାଇନଥିଲା। ଦମକଳ ବିଭାଗ ଏବଂ ଦିଲ୍ଲୀ ପୁଲିସ ଏହି ଖବର ହାଇକୋର୍ଟକୁ ଜଣାଇଥିଲେ ଏବଂ ହାଇକୋର୍ଟ ସର୍ବୋଚ୍ଚ ଅଦାଲତକୁ ଜଣାଇଥିଲେ। ତଥାପି ମାମଲାକୁ ଚାପି ରଖାଯାଇଥିଲା। ୨୧ ତାରିଖରେ କିଛି ଗଣମାଧ୍ୟମ ଏହି ଖବରକୁ ପ୍ରଘଟ କରିବା ପରେ ସୁପ୍ରିମ କୋର୍ଟ ତରଫରୁ ଏହାକୁ ସ୍ବୀକାର କରାଯାଇଥିଲା। କୋର୍ଟ ପକ୍ଷରୁ କୁହାଯାଇଥିଲା ଯେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟ ବଦଳି କରାଯାଇଛି ଏବଂ ମାମଲାର ତଦନ୍ତ ରିପୋର୍ଟ ଦେବାପାଇଁ କୁହାଯାଇଛି। ଏହାକୁ ନେଇ ଚାରିଆଡ଼େ ହଙ୍ଗାମା ହେବାରୁ ଗତକାଲି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କର ରିପୋର୍ଟ ଦାଖଲ କରିଥିଲେ ଏବଂ ଏହି ରିପୋର୍ଟକୁ ସୁପ୍ରିମ କୋର୍ଟ ତାଙ୍କର ୱେବସାଇଟରେ ଭିଡିଓ ସହିତ ଅପଲୋଡ୍ କରିଛନ୍ତି। ଏହାସହିତ ଜଷ୍ଟିସ ବର୍ମାଙ୍କ ସ୍ପଷ୍ଟୀକରଣକୁ ମଧ୍ୟ ଅପଲୋଡ୍ କରାଯାଇଛି।

ଜଷ୍ଟିସ ବର୍ମା ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ତାହାକୁ ନେଇ ମଧ୍ୟ ଆଇନଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ବର୍ମା ସଫେଇ ଦେଇ କହିଛନ୍ତି ଯେ ନିଆଁ ଲାଗିଲା ବେଳେ ସେ ଘରେ ନଥିଲେ ଏବଂ ଏ ଟଙ୍କା ତାଙ୍କର ନୁହେଁ। ତାଙ୍କୁ ବଦନାମ କରିବା ଲାଗି ଏଭଳି ଚକ୍ରାନ୍ତ କରାଯାଇଛି। ଏବେ ପ୍ରଶନ ଉଠୁଛି ଯେ ନିଆଁ ଲାଗିଲା ବେଳେ ଯଦି ସେ ଘରେ ନଥିଲେ, ତାହଲେ କେଉଁଠି ଥିଲେ। ନିଆଁ ସମୟରେ ଘରେ କିଏ କିଏ ଥିଲେ? ଏହା ସ୍ପଷ୍ଟ କରାଯାଉ। ଆଇନଜୀବୀ ତିୱାରୀ କହିଛନ୍ତି, ତାଙ୍କ ଘରେ କ’ଣ ଚାଲିଛି ଯଦି ବିଚାରପତି ଜାଣି ନାହାନ୍ତି ତାହାହେଲେ ଏେତ ବଡ଼ ପଦବୀ ପାଇଁ ସେ ଯୋଗ୍ୟ ନୁହନ୍ତି। ସେ ତୁରନ୍ତ ଇସ୍ତଫା ଦିଅନ୍ତୁ, ନହେଲେ ତାଙ୍କୁ ବହିଷ୍କାର କରାଯାଉ।

About The Author: The Sakala