ଇତିହାସ ରଚିଲା ଭାରତୀୟ ବାୟୁସେନା: ବ୍ରିଟେନ ପାଇଲଟଙ୍କୁ ତାଲିମ ଦେବେ ୩ ଭାରତୀୟ ଇନଷ୍ଟ୍ରକ୍ଟର

ଭାରତ ଓ ବ୍ରିଟେନ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ତିନିଜଣ ଭାରତୀୟ ବାୟୁସେନା (IAF) ର କ୍ୱାଲିଫାଏଡ୍ ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟର (QFIs) ବ୍ରିଟେନର ରୟାଲ ଏୟାର ଫୋର୍ସ (RAF) ପାଇଲଟମାନଙ୍କୁ ତାଲିମ ଦେବାକୁ ଯାଉଛନ୍ତି। ଏହି ନିଯୁକ୍ତିକୁ ଉଭୟ ଦେଶ ପାଇଁ ଏକ ଐତିହାସିକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ଏହା ଏକ 'ଐତିହାସିକ' ପଦକ୍ଷେପ

ଏହି ତିନିଜଣ ଅଭିଜ୍ଞ ଭାରତୀୟ ଇନଷ୍ଟ୍ରକ୍ଟର ୱେଲ୍ସରେ ଥିବା ରାଫ୍ ଭ୍ୟାଲି (RAF Valley) ରେ ଯୋଗ ଦେଇଛନ୍ତି, ଯାହାକି ବ୍ରିଟିଶ୍ ବାୟୁସେନାର ଏକ ପ୍ରମୁଖ ତାଲିମ କେନ୍ଦ୍ର। ଭାରତୀୟ ବାୟୁସେନା ଏହି ଘଟଣାକୁ 'ଐତିହାସିକ' ବୋଲି ବର୍ଣ୍ଣନା କରିଛି। ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟ ଶେୟାର କରି ଆଇଏଏଫ୍ ପକ୍ଷରୁ କୁହାଯାଇଛି ଯେ ଏହା ଦୁଇ ଦେଶ ମଧ୍ୟରେ ଥିବା ଦୀର୍ଘକାଳୀନ ପ୍ରତିରକ୍ଷା ସମ୍ପର୍କ, ପାରସ୍ପରିକ ସହଯୋଗ ଏବଂ ବୃତ୍ତିଗତ ଉତ୍କର୍ଷତାକୁ ଆହୁରି ମଜବୁତ କରିବ। ଏହି ଟିମର ନେତୃତ୍ୱ ଜଣେ ସ୍କ୍ୱାଡ୍ରନ୍ ଲିଡର (Squadron Leader) ପାହ୍ୟାର ଅଧିକାରୀ କରୁଛନ୍ତି।

କେଉଁ ବିମାନର ତାଲିମ ଦେବେ ଭାରତୀୟ ପାଇଲଟ୍?

ଭାରତୀୟ ଇନଷ୍ଟ୍ରକ୍ଟରମାନେ ମୁଖ୍ୟତଃ BAE Hawk T2 ଏବଂ Texan T1 ବିମାନ ଉଡ଼ାଇବାରେ ବ୍ରିଟିଶ୍ ଛାତ୍ରମାନଙ୍କୁ ତାଲିମ ଦେବେ। ହକ୍ (Hawk) ହେଉଛି ରାଫ୍‌ର ଏକ ଆଡଭାନ୍ସଡ୍ ଜେଟ୍ ଟ୍ରେନର୍, ଯାହାକି ଫ୍ରଣ୍ଟଲାଇନ୍ ଲଢ଼ୁଆ ବିମାନ ଉଡ଼ାଇବା ପୂର୍ବରୁ ପାଇଲଟମାନଙ୍କର ଶେଷ ପର୍ଯ୍ୟାୟ ତାଲିମରେ ବ୍ୟବହୃତ ହୁଏ। ଏହାକୁ ଭାରତୀୟ ବାୟୁସେନା ମଧ୍ୟ ବ୍ୟବହାର କରିଆସୁଛି। ଏହି ତାଲିମ ପ୍ରକ୍ରିୟାରେ ଭାରତୀୟ ଇନଷ୍ଟ୍ରକ୍ଟରମାନେ ନିଜର ଦୀର୍ଘ ଅଭିଜ୍ଞତାକୁ ଉପଯୋଗ କରିବେ। ସେମାନେ ପ୍ରାଥମିକ ଭାବେ ୨ ବର୍ଷ ପାଇଁ ସେଠାରେ ଅବସ୍ଥାପିତ ହେବେ।

ଦୁଇ ଦେଶ ମଧ୍ୟରେ ସୁଦୃଢ଼ ପ୍ରତିରକ୍ଷା ସମ୍ପର୍କ

ଏହି ନିଷ୍ପତ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୧୯ତମ ଭାରତ-ବ୍ରିଟେନ ଏୟାର ଷ୍ଟାଫ୍ ଆଲୋଚନା ପରେ ନିଆଯାଇଥିଲା। ବିଶେଷ କଥା ହେଉଛି, ଏହି ନିଯୁକ୍ତି ସହିତ ବର୍ତ୍ତମାନ ବ୍ରିଟେନର ତିନୋଟି ଯାକ ପ୍ରମୁଖ ସାମରିକ ଏକାଡେମୀ (ନୌସେନା, ସ୍ଥଳସେନା ଏବଂ ବାୟୁସେନା) ରେ ଭାରତୀୟ ଅଧିକାରୀମାନେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ବ୍ରିଟେନରେ ତାଲିମଦାତାଙ୍କ ଅଭାବ ଥିବାବେଳେ ଭାରତୀୟ ବାୟୁସେନାର ଅଭିଜ୍ଞ ଅଧିକାରୀମାନେ ଏହି ଶୂନ୍ୟସ୍ଥାନ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି, ଯାହା ଉଭୟ ଦେଶର କୂଟନୈତିକ ଏବଂ ସାମରିକ ସମ୍ପର୍କର ଗଭୀରତାକୁ ପ୍ରମାଣିତ କରୁଛି।

About The Author: Suryakanta