କିଭ୍ : ଗତ ତିନିଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ଉପରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ଋଷ ସେନା ଜୋରଦାର ଆକ୍ରମଣ କରିଛି । ଋଷ ସେନା ୟୁକ୍ରେନ ରାଜଧାନୀ କିଭ୍ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଲାଣି । ରୁଷର ଘନଘନ ଆକ୍ରମଣ ଦେଖି ବି ଆଦୌ ଭୟଭୀତ ନୁହନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ରୁଷ ପଟୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତଥାପି ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ନିଜ ଦେଶକୁ ସୁରକ୍ଷା ଦେବାକୁ ଜିଦରେ ଅଟଳ ଅଛନ୍ତି।
ବର୍ତ୍ତମାନ ରୁଷ ଯେକୌଣସି ମୁହୂର୍ତ୍ତରେ କିଭ୍ ଦଖଲ କରିନେଇପାରେ। ଏପରି ହେଲେ ରାଷ୍ଟ୍ରପତି ଜେଲେନସ୍କି ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ବିଶ୍ୱ ସମୂହର ନିବେଦନ ପରେ ମଧ୍ୟ ୟୁକ୍ରେନ ଉପରେ ରୁଷ ହମଲା ବନ୍ଦ କରୁନାହିଁ। ତେଣୁ ସ୍ଥିତି ବିଗିଡ଼ା ପୂର୍ବରୁ ଜେଲେନସ୍କି ତାଙ୍କ ପରିବାର ସହ ତୁରନ୍ତ କିଭ୍ ଛାଡ଼ି ଦିଅନ୍ତୁ ବୋଲି ଆମେରିକା ପ୍ରସ୍ତାବ ଦେଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମାର ଜେଲେନସ୍କିଙ୍କୁ ତାଙ୍କ ପରିବାର ସହ ଦେଶ ଛାଡି ଦେବା ପାଇଁ ଅଫର ଦେଇଥିଲେ। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକାର ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି ।
ଜେଲେନସ୍କି କହିଛନ୍ତି କି ମୁଁ ଋଷ ବିରୋଧରେ ଦୃଢ଼ ଭାବରେ ଛିଡ଼ା ହୋଇଛି । ମୁଁ ୟୁକ୍ରେନ ଛାଡ଼ି କୁଆଡେ ଯିବି ନାହିଁ, ଆପଣ ଯଦି ମୋତେ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଦିଅନ୍ତୁ । ମୁଁ ଶେଷ ମୁହୂର୍ତ୍ତ ଯାଏ ରୁଷ ସହ ଲଢ଼େଇ କରିବି। ଏଠାରେ ଆମେ ସମେସ୍ତ ସ୍ୱାଧୀନତା ଓ ନିଜ ଦେଶର ରକ୍ଷା ପାଇଁ ଏଭଳି ଭାବେ ଯୁଦ୍ଧର ସାମ୍ନା କରିବୁ।
ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ପଳାୟନ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାର ହେବା ପରେ, ସେ କେତେକ ପ୍ରମୁଖ ସହଯୋଗୀଙ୍କ ଗହଣରେ ରାଷ୍ଟ୍ରପତି ଭବନ ବାହାରେ ଠିଆ ହୋଇ ରୁଷୀୟ ଆକ୍ରମଣରୁ କିଏଭ୍କୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରୁଥିବାର ଭିଡିଓ ପୋଷ୍ଟ୍ କରିଛନ୍ତି।ସେ କହିଛନ୍ତି, ଆମେ ସଭିଏଁ ଅଛୁ। ଆମେ ସେନା ଅଛି। ନାଗରିକ ଓ ସମାଜ ବି ଅଛି। ଆମ ସ୍ବାଧୀନତା, ଆମ ଦେଶର ସୁରକ୍ଷା ପାଇଁ ଆମେ ସମସ୍ତେ ଏଇଠି ରହିଛୁ ଏବଂ ଏମତି ରହିଥିବୁ।