ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ରିପୋର୍ଟ ଆଧାରରେ ଟୁଇଟ୍ କରି ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବର୍ଷ ୨୦୨୦ରେ ଆପଣମାନଙ୍କ ସମ୍ପତ୍ତି କିଛି ବଢ଼ିନାହିଁ, ଏହା କେବଳ ଶୂନ୍। ତେବେ ଏହି ସମୟରେ ଆଦାନୀଙ୍କ ସମ୍ପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ପ୍ରକୃତରେ କଣ ପାଇଁ ବୋଲି ରାହୁଲ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୦ରେ କରୋନା ମହାମାରୀ ଲାଗି ସାରା ବିଶ୍ୱ ଲକ୍ଡାଉନରେ ଥିବାବେଳେ ଆଦାନୀଙ୍କ ଆୟରେ ବୃଦ୍ଧି ଜାରି ରହିଥିଲା। ଗୋଟିଏ ବର୍ଷରେ ଆୟ କରିବା କ୍ଷେତ୍ରରେ ଆଦାନୀ ବିଶ୍ୱର ଏକ ନମ୍ବର ଧନୀ ଆମାଜନ ସଂସ୍ଥାପକ ଜେଫ୍ ବେଜୋସ୍ ଏବଂ ଅନ୍ୟତମ ଧନୀ ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କଙ୍କୁ ପଛରେ ପକାଇ ଦେଇଥିଲେ। ବ୍ଲୁମବର୍ଗ ବିଲିନୟେର୍ସ ତାଲିକାରେ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୨୦୨୧ର ୧୬.୨ ବିଲିୟନ ଡଲାରରୁ ବୃଦ୍ଧି ପାଇ ୫୦ ବିଲିୟନ ଡଲାରରେ ପହଞ୍ଚିଥିଲା। ଗଣମାଧ୍ୟମର ଏକ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଯେଉଁଥିରେ ସେ ଉଦାହରଣ ଦେଇ କହିଛନ୍ତି, ଚଳିତବର୍ଷ ସମ୍ପତ୍ତି ବୃଦ୍ଧି ତାଲିକାରେ ଗୌତମ ଆଦାନୀ ବିଶ୍ବର ଶ୍ରେଷ୍ଠ ଉଦ୍ୟୋଗ ପତିମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି । ରାହୁଲ କହିଛନ୍ତି ଯେ, ଦେଶରେ ସାଧାରଣ ଲୋକଙ୍କ ସମ୍ପତ୍ତି ବର୍ଷ ୨୦୨୦ରେ କେତେ ବୃଦ୍ଧି ପାଇଛି।