ନୂଆଦିଲ୍ଲୀ: ଜ୍ଞାନେଶ କୁମାର ହେବେ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ତାଙ୍କର ନିଯୁକ୍ତି ସଂପର୍କରେ ସୂଚନା ଦିଆଯାଇଛି । ନୂଆ ଆଇନ ଅନୁସାରେ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବାରେ ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ । ତାଙ୍କୁ ରାଜୀବ କୁମାରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ ।
ଏହା ସହିତ ୧୯୮୯ ବ୍ୟାଚ୍ର ହରିଆଣା କ୍ୟାଡର୍ ଆଇଏସ୍ ଅଫିସର ବିବେକ ଯୋଶୀଙ୍କୁ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ କମିସନ ନିଯୁକ୍ତି କମିଟି ବୈଠକରେ ଏମାନଙ୍କ ନାମର ସୁପାରିସ ରାଷ୍ଟ୍ରପତିଙ୍କୁ କରାଯାଇଥିଲା । ଏହି ନିଯୁକ୍ତି କମିଟିରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି ।
କେରଳ କ୍ୟାଡର (୧୯୮୮ ବ୍ୟାଚ୍)ର ଏହି ପୂର୍ବତନ ଆଇଏଏସ ଅଧିକାରୀ ପୂର୍ବରୁ ସଂସଦୀୟ ବ୍ୟାପାର ସଚିବ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ସେ ସମବାୟ ବିଭାଗର ସଚିବ ଥିବାବେଳେ ଅବସର ଗ୍ରହଣ କରିଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା । ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ୨୦୨୬ରେ ତାମିଲନାଡ଼ୁ ଏବଂ ପଶ୍ଚିମ ବଙ୍ଗ ନିର୍ବାଚନ ହେବ । ୨୦୨୯ରେ କାର୍ଯ୍ୟକାଳ ସରିବାର କିଛି ଦିନ ପୂର୍ବରୁ ସେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କର ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରୁଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ପରମ୍ପରାକୁ ହଟାଇ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲାଗି ତିନି ଜଣିଆ କମିଟି କରିବା ଲାଗି ମତ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କ ସହିିତ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ବିଚାରପତିଙ୍କୁ ରଖିବା ଲାଗି କୁହାଯାଇଥିଲା । କିନ୍ତୁ ସରକାର ନୂଆ ଆଇନ ଆଣି କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସଭ୍ୟ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି ଏବଂ ସର୍ବାଚ୍ଚ ଅଦାଲତ ଏହାର ଶୁଣାଣି କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଏବେ ନୂଆ ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ନଦେଇ କୋର୍ଟ ଆଦେଶକୁ ଅପେକ୍ଷା କରିବା ଲାଗି ଆଜିର ବୈଠକରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମତ ରଖିଥିଲେ ।