ଓହରିଲେ ସରକାର; ‘ସଂଚାର ସାଥୀ’ ବାଧ୍ୟତାମୂଳକ ନୁହେଁ'...

ନୂଆଦିଲ୍ଲୀ: ବିରୋଧୀଙ୍କ ତୀବ୍ର ବିରୋଧ ପରେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। ମୋବାଇଲ ଫୋନ୍‌ରେ ‘ସଞ୍ଚାର ସାଥୀ’ ଆପ୍ଲିକେସନକୁ ପ୍ରି-ଇନ୍‌ଷ୍ଟଲ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଏଥିପାଇଁ ଟେଲିକମ୍‌ ବିଭାଗ ଭିନ୍ନ ତଥ୍ୟ ଦେଇଛି। ‘ସଞ୍ଚାର ସାଥୀ’ ଆପ୍‌ର ବର୍ଦ୍ଧିତ ଲୋକପ୍ରିୟତାକୁ ଦେଖି ପ୍ରି-ଇନଷ୍ଟଲ ପାଇଁ ମୋବାଇଲ ନିର୍ମାତା କମ୍ପାନୀଙ୍କୁ ଦିଆଯାଇଥିବା ବାଧ୍ୟତାମୂଳକ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନିଆଯାଇଥିବା କୁହାଯାଇଛି। ଟେଲିକମ୍‌ ବିଭାଗର ସୂଚନା ଅନୁଯାୟୀ, ବୁଧବାର ଦ୍ବିପହର ୧୨ଟା ସୁଦ୍ଧା ଆପ୍‌କୁ ୧.୪୦ କୋଟି ଥର ଡାଉନଲୋଡ କରାଗଲାଣି। ଦୁଇ ଦିନରେ ନିଜ ଇଚ୍ଛାରେ ଆପ୍‌ ଇନ୍‌ଷ୍ଟଲ କରିଥିବା ଲୋକଙ୍କ ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇଛି।  ଅନ୍ୟପକ୍ଷରେ ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଲୋକସଭାରେ କହିଛନ୍ତି ଯେ ‘ସଞ୍ଚାର ସାଥୀ’ ଆପ୍‌ରେ ଗୁଇନ୍ଦାଗିରି କରିବା ସମ୍ଭବ ନୁହେଁ କିମ୍ବା ଏପରି ହିଁ କରାଯିବ ନାହିଁ। କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡାଙ୍କ ପ୍ରଶ୍ନର ଉତ୍ତରରେ ସିନ୍ଧିଆ କହିଥିଲେ ଯେ ମତାମତ ଆଧାରରେ ଆପ୍‌ ଇନ୍‌ଷ୍ଟଲ କରିବାର ନିର୍ଦ୍ଦେଶକୁ ମନ୍ତ୍ରାଳୟ ବଦଳାଇ ଦେଇଛି। ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ‘ସଞ୍ଚାର ସାଥୀ’କୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ଦିନ ଦୂରସଞ୍ଚାର ବିଭାଗ ମୋବାଇଲ ନିର୍ମାତା କମ୍ପାନୀଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲା। ଏଥିରେ ଉକ୍ତ ଆପ୍‌କୁ ମୋବାଇଲଗୁଡ଼ିକରେ ପ୍ରି-ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୂଆ ସହିତ ପୁରୁଣା ଫୋନ୍‌ରେ ସଫ୍ଟୱେର ଇନ୍‌ଷ୍ଟଲ ମାଧ୍ୟମରେ ଆପ୍‌ ଇନଷ୍ଟଲକୁ ବାଧ୍ୟତାମୂଳକ କରିଦିଆଯାଇଥିଲା। 

About The Author: Deviprasad Mohanty