ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍ କରାଯାଇଛି। ଶାହିଦ ଆଫ୍ରିଦି ଏବଂ ହାନିଆ ଆମିରଙ୍କ ସମେତ ଅନେକ ସେଲିବ୍ରିଟି ଏହି ତାଲିକାରେ ସାମିଲ ଅଛନ୍ତି।
ବୁଧବାର କିଛି ଘଣ୍ଟା ପାଇଁ ଭାରତରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଦେଖାଯିବା ଆରମ୍ଭ ହୋଇଥିଲା। ଅନୁମାନ କରାଯାଉଥିଲା ଯେ, ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି, କିନ୍ତୁ ଗୁରୁବାର ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ବନ୍ଦ ହୋଇଗଲା। ଶାହିଦ ଆଫ୍ରିଦି, ଫୱାଦ ଖାନ କିମ୍ବା ମାହିରା ଖାନଙ୍କ ଆକାଉଣ୍ଟ ଖୋଜିବାରେ ଲେଖାଯାଇଛି,‘ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନୁହେଁ।’ ଏହି ବିଷୟରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତାଙ୍କ ସହିତ, ମାହିର ଖାନ, ଫୱାଦ ଖାନ, ଶାହିଦ ଆଫ୍ରିଦି, ମାୱରା ହୋକାନ, ସବା କମର ଏବଂ ଅଲି ଜାଫରଙ୍କ ସମେତ ଅନେକ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯାଉନାହିଁ।