ଗାଜିଆବାଦ୍ ତିନି ଭଉଣୀଙ୍କ ଆତ୍ମହତ୍ୟା ମାମଲା: ମୋବାଇଲରୁ ଖୋଲିଲା ‘କୋରିଆନ୍ ଗେମ୍’ର ରହସ୍ୟ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଗାଜିଆବାଦର ତିନି ନାବାଳିକା ଭଉଣୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସର ଫୋରେନସିକ ଯାଞ୍ଚରୁ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ ତିନି ଭଉଣୀ ଏକ 'କୋରିଆନ୍ ଗେମ୍' ଏବଂ କୋରିଆନ୍ ସଂସ୍କୃତି ପ୍ରତି ଅତ୍ୟଧିକ ଆକର୍ଷିତ ଥିଲେ। ସେମାନେ ଦିନକୁ ପ୍ରାୟ ୨୦ ଘଣ୍ଟା ମୋବାଇଲ୍ ସ୍କ୍ରିନରେ ବିତାଉଥିଲେ।

ଫୋରେନସିକ ରିପୋର୍ଟରେ ବଡ଼ ଖୁଲାସା

ପୋଲିସ ସୂଚନା ଅନୁଯାୟୀ, ତିନି ଭଉଣୀଙ୍କ ମୋବାଇଲ୍ ଫୋନରୁ ଡିଲିଟ୍ ହୋଇଯାଇଥିବା ଡାଟା ରିକଭର କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ସେମାନେ ନିୟମିତ ଭାବରେ କୋରିଆନ୍, ଚାଇନିଜ୍ ଏବଂ ଜାପାନିଜ୍ ସୋ’ ଦେଖୁଥିଲେ। ଏହା ସହିତ ସେମାନେ କିଛି ଭୟଙ୍କର (Horror) ଗେମ୍ ମଧ୍ୟ ଖେଳୁଥିଲେ, ଯାହାର ଉଲ୍ଲେଖ ସେମାନଙ୍କ ସୁଇସାଇଡ୍ ନୋଟରେ ମଧ୍ୟ ରହିଛି। ପିଲାଙ୍କ ବାପା ଘଟଣାର କିଛି ଦିନ ପୂର୍ବରୁ ଏହି ଫୋନ୍ ଗୁଡ଼ିକୁ ବିକ୍ରି କରିଦେଇଥିଲେ ମଧ୍ୟ ପୋଲିସ ସେଗୁଡିକୁ ଜବତ କରି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛି।

‘କୋରିଆନ୍ ଲଭ୍ ଗେମ୍’ ଏବଂ ୫୦ଟି ଟାସ୍କ

ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଝିଅମାନେ ଏକ ‘କୋରିଆନ୍ ଲଭ୍ ଗେମ୍’ ଜାଲରେ ଫସି ଯାଇଥିଲେ। ଏହି ଗେମରେ ପ୍ରାୟ ୫୦ଟି ଟାସ୍କ ବା କାର୍ଯ୍ୟ ରହିଥିଲା ଏବଂ ଶେଷ ଟାସ୍କଟି ଆତ୍ମହତ୍ୟା ଥିଲା ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ମିଳିଥିବା ଏକ ୯ ପୃଷ୍ଠାର ଡାଏରୀରେ ପିଲାମାନେ କୋରିଆନ୍ ସଂସ୍କୃତିକୁ ନିଜର ‘ପ୍ରକୃତ ଜୀବନ’ ବୋଲି ବର୍ଣ୍ଣନା କରିଛନ୍ତି। ସେମାନେ ଲେଖିଛନ୍ତି ଯେ, "ଆମେ କୋରିଆନ୍‌କୁ ବହୁତ ଭଲପାଉ"।

ମୋବାଇଲ୍ ନିଶା ସାଜିଲା କାଳ

ଗତ ଦୁଇ ବର୍ଷ ଧରି ତିନି ଭଉଣୀ ସ୍କୁଲ ଯାଉନଥିଲେ ଏବଂ ଘର ଭିତରେ ଆବଦ୍ଧ ରହି କେବଳ ମୋବାଇଲରେ ବ୍ୟସ୍ତ ରହୁଥିଲେ। ଯେତେବେଳେ ପରିବାର ଲୋକେ ସେମାନଙ୍କ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଲେ ଏବଂ ଫୋନ୍ ଛଡ଼ାଇ ନେଲେ, ସେତେବେଳେ ସେମାନେ ମାନସିକ ଭାବେ ଭାଙ୍ଗି ପଡିଥିଲେ। ଏହି ମାନସିକ ଚାପ ଏବଂ ଗେମ୍‌ର ପ୍ରଭାବ ଯୋଗୁଁ ସେମାନେ ନବମ ମହଲାରୁ ଡେଇଁ ଜୀବନ ହାରିଦେଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

About The Author: Suryakanta