ନୂଆଦିଲ୍ଲୀ: ଶେଷ ହେବ ଆଣ୍ଟେନାର ଯୁଗ । ଆସନ୍ତାକାଲିଠାରୁ ଛାତ ଉପରେ ଆଉ ଦେଖିବାକୁ ମିଳିବ ନାହିଁ ଆଣ୍ଟେନା । ଘରର ଛାତ ଉପରେ ଲାଗିଥିବା ଆଣ୍ଟେନା ହୋଇଯିବ ବେକାର । କାରଣ ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ଡିଡି ନ୍ୟାସନାଲର ଆନାଲଗ୍ ଟେରେଷ୍ଟ୍ରିଆଲ୍ ପ୍ରସାରଣ ବନ୍ଦ କରିବାକୁ ପ୍ରସାର ଭାରତ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଡିଡି ନ୍ୟାସନାଲ୍ କେବଳ ସାଟେଲାଇଟ୍ ଡିସ୍ ମାଧ୍ୟମରେ ଦେଖିହେବ । ଏନେଇ ପ୍ରସାର ଭାରତୀ ନିକଟସ୍ଥ ସମସ୍ତ ରିଲେ କେନ୍ଦ୍ରକୁ ଚିଠି ଜାରି କରି ଜଣାଇଛି।
ଦୂରଦର୍ଶନ ରିଲେ ସେଣ୍ଟରର ସୂଚନା ଅନୁସାରେ ଟେରେଷ୍ଟ୍ରିଆଲ୍ ଟ୍ରାନ୍ସମିଟର ସେବା ଅଧୀନରେ ପ୍ରସାରିତ ଦୂରଦର୍ଶନର କାର୍ଯ୍ୟକ୍ରମ ୧ ଅକ୍ଟୋବର ୨୦୨୧ ପରେ ବନ୍ଦ ହେବ। ଦର୍ଶକମାନେ ଆଉ ଏହି କାର୍ଯ୍ୟକ୍ରମ ଆଣ୍ଟେନା ମାଧ୍ୟମରେ ଦେଖିପାରିବେ ନାହିଁ । ବର୍ତ୍ତମାନ ଦୂରଦର୍ଶନର ସମସ୍ତ କାର୍ଯ୍ୟକ୍ରମ ଡିଜିଟାଲ୍ ତଥା ଡିଡି ଫ୍ରି ଡିଶ୍ ଜରିଆରେ ଦେଖିହେବ । ଅଧିକ ସୂଚନା ପାଇଁ ଆପଣ ଦୂରଦର୍ଶନର ୱେବସାଇଟ୍ ddindia.gov.in କୁ ଲଗ୍ଇନ୍ କରିପାରିବେ ।
ଦେଶବ୍ୟାପୀ ପ୍ରସାର ଭାରତୀର ୪୧୨ ରିଲେ କେନ୍ଦ୍ର ଅଛି । ଏହି ସବୁ ରିଲେ କେନ୍ଦ୍ର ତିନୋଟି ପର୍ଯ୍ୟାୟରେ ବନ୍ଦ କରିବାକୁ ପ୍ରସାର ଭାରତୀ ଯୋଜନା କରିଛି। ୩୧ ଅକ୍ଟୋବର ସୁଦ୍ଧା ୧୫୨ ରିଲେ କେନ୍ଦ୍ର ଏବଂ ୩୧ ଡିସେମ୍ବର ସୁଦ୍ଧା ୧୦୯ ବନ୍ଦ ରହିବ। ଏହା ପରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୨୬୧ଟି କେନ୍ଦ୍ର ବନ୍ଦ ରହିବ। ଜାମ୍ମୁ, ଲଦାଖ, ଆଣ୍ଡାମାନ ଭଳି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ୫୪ଟି ରିଲେ କେନ୍ଦ୍ର ଚାଲିବ। ପ୍ରସାର ଭାରତୀ ସୂଚନା ଅନୁଯାୟୀ, ଡିଟିଏଚ୍ ସେବା ଆରମ୍ଭ ହେବା ପରେ ଏହି ରିଲେ କେନ୍ଦ୍ରଗୁଡ଼ିକର ଆଉ ଅଧିକ ଆବଶ୍ୟକ ନଥିଲା। ଏବେ ଦୂରଦର୍ଶନ ଚ୍ୟାନେଲର ଡିଜିଟାଲ୍ ପ୍ରସାରଣ ଡିଡି ଫ୍ରି ଡିଶ୍ ମାଧ୍ୟମରେ ଜାରି ରହିବ ।