ପ୍ୟାରିସ୍ : ଫ୍ରାନ୍ସ ସଂସଦୀୟ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଫଳାଫଳ ସୋମବାର ପ୍ରକାଶ ପାଇଛି। କିନ୍ତୁ କୌଣସି ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳି ନଥିବାରୁ ଏଥର ଝୁଲା ସଂସଦ ସ୍ଥିତି ଦେଖାଯାଇଛି। ଯାହାକୁ ନେଇ ଦେଶରେ ଆଗାମୀ ଦିନରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ସହିତ ଅର୍ଥନୈତିକ ସଙ୍କଟ ମଧ୍ୟ ବଢିପାରେ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ୟୁକ୍ରେନ ଯୁଦ୍ଧକୁ ନେଇ ୟୁରୋପ ଅର୍ଥନୀତି ପ୍ରଭାବିତ ହୋଇଥିଲା ବେଳେ ଫ୍ରାନ୍ସର ସାଂପ୍ରତିକ ସ୍ଥିତି ବୈଶ୍ବିକ କୂଟନୀତି ଏବଂ ୟୁରୋପର ଅର୍ଥନୈତିକ ସ୍ଥିରତା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଫ୍ରାନ୍ସର ୫୭୭ ସଦସ୍ୟ ବିଶିଷ୍ଟ ନ୍ୟାସନାଲ୍ ଆସେମ୍ବ୍ଲିରେ ସଂଖ୍ୟାଗରିଷ୍ଠତା ପାଇଁ ୨୮୯ ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି। କିନ୍ତୁ ସୋମବାର ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ ତିନି ପ୍ରମୁଖ ମେଣ୍ଟ ମଧ୍ୟରୁ କେହି ବି ଏହି ସଂଖ୍ୟା ହାସଲ କରିପାରିନାହାନ୍ତି । ଫଳାଫଳ ଅନୁଯାୟୀ ବାମପନ୍ଥୀ ମେଣ୍ଟ ‘ନ୍ୟୁ ପପୁଲାର ଫ୍ରଣ୍ଟ’ ୧୮୦ରୁ ଅଧିକ ଆସନ ସହ ଶୀର୍ଷରେ ଥିବା ବେଳେ ମାକ୍ରୋନଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ ମେଣ୍ଟ ୧୬୦ରୁ ଅଧିକ ଆସନ ସହ ଦ୍ବିତୀୟ ସ୍ଥାନରେ ରହିଛି।
ପ୍ରାୟ ମାସକ ତଳେ ୟୁରୋପୀୟ ସଂସଦ ନିର୍ବାଚନ ବେଳେ ଦକ୍ଷିଣପନ୍ଥୀ ନେତ୍ରୀ ମେରିନ୍ ଲି ପେନଙ୍କ ନେତୃତ୍ବାଧୀନ କଠୋର ଦକ୍ଷିଣପନ୍ଥୀ ‘ଜାତୀୟ ରାଲି’ ପାର୍ଟି ଏବଂ ଏହାର ସହଯୋଗୀ ଦଳକୁ ୩୧ ପ୍ରତିଶତ ଭୋଟ ମିଳିଥିଲା। ଏହି ସମୟରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମେଣ୍ଟକୁ ମାତ୍ର ୧୫ ପ୍ରତିଶତ ଭୋଟ ମିଳିଥିଲା। ଏହି ଦୃଷ୍ଟିରୁ ଫ୍ରାନ୍ସ ସଂସଦୀୟ ନିର୍ବାଚନରେ ମେରିନ୍ ଲି ପେନଙ୍କ ମେଣ୍ଟ ବିଜୟୀ ହେବ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। କିନ୍ତୁ ତାଙ୍କ ମେଣ୍ଟକୁ ୧୪୦ ଆସନ ମିଳିବା ସହିତ ଏହି ମେଣ୍ଟ ତୃତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି।