ରାଞ୍ଚି: ଝାଡ଼ଖଣ୍ଡର ଚତ୍ରା-ହଜାରିବାଗ ସୀମାରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ପୋଲିସ ଦ୍ୱାରା ଘୋଷିତ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ନେତା ଶାହଦେଓ ମହତୋ ଏବଂ ମହିଳା କ୍ୟାଡର ନତାଶା ସାମିଲ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ହଜାରିବାଗ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ଶାହଦେଓ ମହତୋ ତାଙ୍କ ସହଯୋଗୀଙ୍କ ସହ ହଜାରିବାଗର କେରେଡାରି ଜଙ୍ଗଲ ଅଞ୍ଚଳ ଦେଇ ଯାଉଛନ୍ତି। ଏହି ସୂଚନା ଆଧାରରେ ହଜାରିବାଗ ପୋଲିସ, ଚତ୍ରା ପୋଲିସ ଏବଂ କୋବ୍ରା କମାଣ୍ଡୋଙ୍କ ଏକ ମିଳିତ ଟିମ୍ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲେ। ମାଓବାଦୀମାନେ ହଜାରିବାଗରୁ ଚତ୍ରା ଜଙ୍ଗଲକୁ ପ୍ରବେଶ କରିବା ମାତ୍ରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। କିଛି ଘଣ୍ଟା ଧରି ଚାଲିଥିବା ଏହି ଗୁଳିବିନିମୟରେ ସୁରକ୍ଷାକର୍ମୀମାନେ ୪ ମାଓବାଦୀଙ୍କୁ ଘଟଣାସ୍ଥଳରେ ହିଁ ନିପାତ କରିବାରେ ସଫଳ ହୋଇଥିଲେ।
ଚତ୍ରା ଏସପି ସୁମିତ କୁମାର ଅଗ୍ରୱାଲ ୪ ଜଣ ମାଓବାଦୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ତେବେ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଆନୁଷ୍ଠାନିକ ଭାବେ ସେମାନଙ୍କ ନାମ ଘୋଷଣା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ଯେ, ନିହତଙ୍କ ମଧ୍ୟରେ ଶାହଦେଓ ମହତୋ, ବୁଦ୍ଧଦେବ ଏବଂ ମହିଳା ମାଓବାଦୀ ନତାଶା ରହିଛନ୍ତି। ଚତୁର୍ଥ ମାଓବାଦୀର ଚିହ୍ନଟ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ୍ ସମେତ ମୋଟ ୪ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଶାହଦେଓ ମହତୋ ଦୀର୍ଘ ଦିନ ଧରି ଚତ୍ରା, ହଜାରିବାଗ ଏବଂ ଲାତେହାର ସୀମାବର୍ତ୍ତୀ ଅଞ୍ଚଳରେ ଅତ୍ୟନ୍ତ ସକ୍ରିୟ ଥିଲେ। ତାଙ୍କର ଏହି ଗୋଷ୍ଠୀ ଥିଲା ହଜାରିବାଗ-ଚତ୍ରା ଅଞ୍ଚଳର ଶେଷ ସକ୍ରିୟ ମାଓବାଦୀ ଗୋଷ୍ଠୀ। ଏହି ୪ ଜଣଙ୍କ ନିହତ ହେବା ସହିତ ହଜାରିବାଗ ଜିଲ୍ଲାକୁ ଖୁବ୍ ଶୀଘ୍ର ନକ୍ସଲମୁକ୍ତ ଘୋଷଣା କରାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ଏକ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି ଏବଂ ଅନ୍ୟ ଲୁଚି ରହିଥିବା ମାଓବାଦୀ କିମ୍ବା ଅସ୍ତ୍ରଶସ୍ତ୍ର ଖୋଜି ବାହାର କରିବା ପାଇଁ ପୋଲିସ ନିଜର ଉଦ୍ୟମକୁ ଜୋରଦାର କରିଛି।