ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏବେ ଏକ ବିମାନବନ୍ଦରର ନାମକରଣ କରାଯିବ। ଫ୍ଲୋରିଡାର ଗଭର୍ଣ୍ଣର ରନ୍ ଡିସାଣ୍ଟିସ୍ ସୋମବାର ଦିନ ପାମ୍ ବିଚ୍ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦରର ନାମ ବଦଳାଇବା ନେଇ ଏକ ବିଲ୍ରେ ସ୍ୱାକ୍ଷର କରିଛନ୍ତି। ଫଳରେ ଏହି ବିମାନବନ୍ଦରଟି ଏବେ ଟ୍ରମ୍ପଙ୍କ ନାମରେ ନାମିତ ହେବା ପାଇଁ ବାଟ ଫିଟିଛି।
ଜୁଲାଇ ୧ ରୁ ଲାଗୁ ହେବ ନୂଆ ନାମ
ଆଗାମୀ ଜୁଲାଇ ୧, ୨୦୨୬ ରୁ ଏହି ବିମାନବନ୍ଦରଟି ଅଧିକାରୀକ ଭାବେ ‘ପ୍ରେସିଡେଣ୍ଟ ଡୋନାଲ୍ଡ ଜେ. ଟ୍ରମ୍ପ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ’ ନାମରେ ପରିଚିତ ହେବ। ଏହି ବିମାନବନ୍ଦରଟି ଟ୍ରମ୍ପଙ୍କ ବାସଭବନ ମାର୍-ଆ-ଲାଗୋ ରିଜର୍ଟ ଠାରୁ ମାତ୍ର ୨ ମାଇଲ୍ ଦୂରରେ ଅବସ୍ଥିତ। ଗଭର୍ଣ୍ଣରଙ୍କ ଏହି ନିଷ୍ପତ୍ତି ପରେ ଟ୍ରମ୍ପଙ୍କ ପୁଅ ଏରିକ୍ ଟ୍ରମ୍ପ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଖୁସି ବ୍ୟକ୍ତ କରିବା ସହ ଫ୍ଲୋରିଡା ସରକାର ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରୟାଲିଟି ନେବ ନାହିଁ ଟ୍ରମ୍ପ ପରିବାର
ଟ୍ରମ୍ପ ଅର୍ଗାନାଇଜେସନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବିମାନବନ୍ଦରର ଏହି ନାମକରଣ ପାଇଁ ଟ୍ରମ୍ପ ପରିବାର କୌଣସି ପ୍ରକାରର ରୟାଲିଟି କିମ୍ବା ଆର୍ଥିକ ଲାଭ ନେବେ ନାହିଁ। ଅନ୍ୟପକ୍ଷରେ, ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି ଯେ ବିମାନବନ୍ଦରର ନାମ ପରିବର୍ତ୍ତନ ଏକ ସ୍ଥାନୀୟ ପ୍ରସଙ୍ଗ ଏବଂ ଏଥିପାଇଁ ସେମାନଙ୍କର ଅନୁମୋଦନର ଆବଶ୍ୟକତା ନାହିଁ। ତଥାପି, ନାଭିଗେସନାଲ୍ ଚାର୍ଟ ଏବଂ ଡାଟାବେସ୍ ଅପଡେଟ୍ କରିବା ପାଇଁ ସେମାନେ ନିଜର ପ୍ରଶାସନିକ କାର୍ଯ୍ୟ ପୂରଣ କରିବେ ବୋଲି ସୂଚନା ଦେଇଛନ୍ତି।
ମିଆମିରେ ନିର୍ମାଣ ହେବ ଟ୍ରମ୍ପ ପ୍ରେସିଡେନ୍ସିଆଲ୍ ଲାଇବ୍ରେରୀ
ବିମାନବନ୍ଦର ନାମକରଣ ସହିତ, ଟ୍ରମ୍ପ ନିଜର ଆଗାମୀ ପ୍ରେସିଡେନ୍ସିଆଲ୍ ଲାଇବ୍ରେରୀର ଡିଜାଇନ୍ ମଧ୍ୟ ସାର୍ବଜନୀନ କରିଛନ୍ତି। ମିଆମି ସହରରେ ଏହି ବିଶାଳକାୟ ଲାଇବ୍ରେରୀ ଏକ ଗଗନଚୁମ୍ବୀ କୋଠା ଆକାରରେ ନିର୍ମାଣ କରାଯିବ। ସୋସିଆଲ୍ ମିଡିଆରେ ଜାରି ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି କୋଠା ଉପରେ ‘ଟ୍ରମ୍ପ’ ଲେଖାଯାଇଥିବା ବେଳେ ଏଥିରେ ଆମେରିକାର ଜାତୀୟ ପତାକା ମଧ୍ୟ ଶୋଭା ପାଉଛି। ଏହି ବିଲ୍ଡିଂ ଭିତରେ ଓଭାଲ୍ ଅଫିସର ଏକ ପ୍ରତିରୂପ ଏବଂ ଟ୍ରମ୍ପଙ୍କ ଏକ ବିଶାଳ ସୁବର୍ଣ୍ଣ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବାର ଯୋଜନା ରହିଛି।