ପାଟନା: ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନ୍ଝୀ ନିଜ ଦଳର ବିଧାୟକ ଏବଂ ସାଂସଦଙ୍କୁ କମିଶନ ନେବାକୁ ପରାମର୍ଶ ଦେଇଛନ୍ତି। ୧୦% ନ ମିଳିଲେ ୫ ପ୍ରତିଶତ କମିଶନରେ ଚଳାଇବାକୁ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ କ୍ଷମତାସୀନ ଏନ୍ଡିଏ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ଦୁର୍ନୀତି ଏବଂ କମିଶନର କଳାକାରନାମା ଚାଲିଛି ବୋଲି ଆରଜେଡି ଅଭିଯୋଗ କରିଛି।
ସୂଚନା ଅନୁଯାୟୀ, ଗୟାଜୀର କଳା ସଂସ୍କୃତି କେନ୍ଦ୍ରରେ ନବନିର୍ବାଚିତ ବିଧାୟକଙ୍କ ସମ୍ମାନରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ଝୀ ସାମିଲ ହୋଇଥିଲେ। ଏଠାରେ ସେ ନିଜ ପୁଅ ସନ୍ତୋଷ କୁମାର ସୁମନ ପାଇଁ ରାଜ୍ୟସଭା ସିଟ୍ ଦାବି କରିଥିଲେ। ଏହା ନ ମିଳିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରର ମନ୍ତ୍ରୀ ପଦ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ। ଆଉ କହିଥିଲେ ଯେ ସାଂସଦ ଏବଂ ବିଧାୟକ କମିଶନ ନେଉଛନ୍ତି। ସାଂସଦଙ୍କୁ ୫ କୋଟି ଟଙ୍କାର ପାଣ୍ଠି ମିଳୁଛି। ଏଥିରୁ ୧୦ ପ୍ରତିଶତ କମିଶନ ନେବା ସାଧାରଣ କଥା। ସେ ନିଜେ ୪୦ ଲକ୍ଷ ଟଙ୍କା କମିଶନ ନେଇ ଦଳୀୟ ପାଣ୍ଠିକୁ ଦାନ କରି ଦେଇଥିଲେ। ଯଦି ୧୦ ପ୍ରତିଶତ କମିଶନ ନ ମିଳୁଛି ତେବେ ୫ ପ୍ରତିଶତ ନେଇଯିବା କଥା। ଏବେ ଆମ ଦଳରେ ଜଣେ ସାଂସଦ ଅଛନ୍ତି। ତେଣୁ ୪୦ ଲକ୍ଷ ଟଙ୍କା କମିଶନ ମିଳୁଛି। ସାଂସଦ ସଂଖ୍ୟା ଦୁଇ ହୋଇଗଲେ ୮୦ ଲକ୍ଷ ଟଙ୍କା ମିଳିବ। ଏହା ସହିତ ମାନଝୀ କମିଶନ ବାବଦ ଅର୍ଥକୁ ଦଳକୁ ଦାନ କରିବା ପାଇଁ ବିଧାୟକମାନଙ୍କୁ କହିଛନ୍ତି।