ଜମ୍ମୁ: ନିର୍ବାଚନ ପୂର୍ବରୁ ଜମ୍ମୁ ଓ କାଶ୍ମୀର ବିଜେପିରେ ବିଦ୍ରୋହ । ପ୍ରାର୍ଥୀ ତାଲିକା ଘୋଷଣା ପରେ ଅସନ୍ତୁଷ୍ଟ ବିଜେପି ନେତା ଓ କର୍ମୀମାନେ ଦଳୀୟ ଅଫିସ ଆଗରେ କରିଛନ୍ତି ବିକ୍ଷୋଭ। ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀର ନିର୍ବାଚନ ହେବ । ତିନିଟି ପର୍ଯ୍ୟାୟରେ ହେବ ନିର୍ବାଚନ । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ବାକି ତାଲିକା ପରବର୍ତ୍ତୀ ସମୟରେ ବିଜେପି ଘୋଷଣା କରିପାରେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ଆସନ୍ତାକାଲି ଥିବାବେଳେ ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ଦିନ ସାରା ନାଟକ ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ବିଦ୍ରୋହର ସୂତ୍ରପାତ ହୋଇଛି । ଦଳୀୟ କର୍ମୀ ପ୍ରାର୍ଥୀ ତାଲିକାକୁ ଜୋରଦାର କରିଛନ୍ତି ବିରୋଧ । କେଉଁ ନିୟମ ଆଧାରରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଗଲା ବୋଲି କର୍ମୀ ପ୍ରଶ୍ନ ଉଠାଇଛନ୍ତି ।
ତେବେ ଆଜି ସାରାଦିନ ଜମ୍ମୁ ଓ କାଶ୍ମୀର ବିଜେପି ପାଇଁ କୌଣସି ନାଟକ ଠାରୁ କମ ନଥିଲା । ଦଳ ପକ୍ଷରୁ ପ୍ରଥମେ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଗଲା । ଏହାର କିଛି ସମୟ ପରେ ଏହାକୁ ଦଳ ପ୍ରତ୍ୟାହର କରିନେଲା । ଏପରିକି ସୋଶାଲ ମିଡିଆରୁ ମଧ୍ୟ ପୋଷ୍ଟ ହଟାଇ ଦିଆଗଲା । ଏହାପରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ନୂଆ ତାଲିକାରେ ଏବେ ୨୯ ଜଣ ବାଦ୍ ପଡିଛନ୍ତି । ପୁଣି ଥରେ ତାଲିକା ପ୍ରକାଶ କରି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି । ତେବେ କାହିଁକି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରିବା ପଛର କ’ଣ କାରଣ ଦଳ ସ୍ପଷ୍ଟ କରି ନାହିଁ ।
ପ୍ରଥମେ ଘୋଷଣା ହୋଇଥିବା ତାଲିକାରେ ୧୪ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେହିପରି ଜଣେ ମାତ୍ର ମହିଳାଙ୍କୁ ଅର୍ଥାତ କିସ୍ତୱାରରୁ ସାଗୁନ ପରିହାରଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଜାମ୍ମୁ ଓ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା, ପୂର୍ବତନ ଉପମୁଖ୍ଯମନ୍ତ୍ରୀ ନିର୍ମଳ ସିଂ ଓ କବିନ୍ଦ୍ର ଗୁପ୍ତାଙ୍କ ନାଁ ତାଲିକାରୁ ବାଦ ପଡ଼ିଥିଲା ।
ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ହେବ ଜାମ୍ମୁ ଓ କାଶ୍ମୀରରେ ମତଦାନ । ୩୭୦ ଅନୁଚ୍ଛେଦ ହଟିବା ପରେ ଜମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯାହା ଉପରେ ସାରା ଦେଶର ନଜର ରହିଛି ।