ୱାଶିଂଟନ: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର୍ ଦୀର୍ଘ ଦିନ ହେଲା ମହାକାଶରେ ଫସି ରହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସାର ତ୍ରୁଟି ଯୋଗୁଁ ୮ ଦିନିଆ ମିଶନରେ ଯାଇ ଉଭୟେ ୮ ମାସ ହେଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ରହିବାକୁ ବାଧ୍ୟ ହୋଇଛନ୍ତି। ଉଭୟଙ୍କ ଫେରିବା ସମୟ ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି। ଏଥିଯୋଗୁଁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ସୁନିତା ଏକ ସାକ୍ଷାତକାରରରେ ଦେଇଥିବା ମନ୍ତବ୍ୟ ଚିନ୍ତାକୁ ଦ୍ବିଗୁଣିତ କରିଦେଇଛି। ସେ ଚାଲିବା, ଶୋଇବା ଏବଂ ବସିବା ଭୁଲି ଯାଇଛନ୍ତି ବୋଲି କହିଛନ୍ତି। ଏବେ ସେ କେମିତି ଚାଲନ୍ତି ତାହା ମନେ ପକାଉଛନ୍ତି। ପୃଥିବୀକୁ ଫେରିବା ପାଇଁ ସେ ଚାତକ ପରି ଚାହିଁ ରହିଛନ୍ତି।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବାର ଦାୟିତ୍ବ ଶିଳ୍ପପତି ତଥା ସ୍ପେସ୍ଏକ୍ସର ମାଲିକ ଏଲନ ମସ୍କଙ୍କୁ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ପୂର୍ବତନ ବାଇଡେନ ପ୍ରଶାସନକୁ ଦାୟୀ କରିଛନ୍ତି। ସୁନିତା ଏବଂ ବୁଚ୍ଙ୍କୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ମହାକାଶରେ ଛାଡ଼ି ଦେଇଛନ୍ତି। ଟ୍ରମ୍ପ ଏହାକୁ ଭୟାନକ ଘଟଣା କହିଛନ୍ତି। ଉଭୟଙ୍କୁ ଶୀଘ୍ର ଆଣିବା ଲାଗି ବ୍ୟବସ୍ଥା କରିବାକୁ ସେ ମସ୍କଙ୍କୁ କହିଛନ୍ତି। ଏହାର ଉତ୍ତରରେ ଯେତେଶୀଘ୍ର ସମ୍ଭବ ପ୍ରୟାସ କରିବୁ ବୋଲି ସ୍ପେସ୍ଏକ୍ସର ସିଇଓ ମସ୍କ କହିଛନ୍ତି।
ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ନାସା ପକ୍ଷରୁ କୁହାଯାଇଥିଲା ଯେ, ଚଳିତ ବର୍ଷ ଫେବ୍ରୁଆରୀ ସୁଦ୍ଧା ସ୍ପେସ୍ ଏକ୍ସର କ୍ର୍ୟୁ ଡ୍ରାଗନ ଫ୍ଲାଇଟରେ ସୁନିତା ଏବଂ ବୁଚମୋରଙ୍କୁ ଫେରାଇ ଅଣାଯିବ। ମାତ୍ର ଗତ ଡିସେମ୍ବରରେ ନାସା ପୁଣି ତାରିଖ ବଦଳାଇ ଥିଲା। ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ଉଭୟେ ଫେରିବାର ସମ୍ଭାବନା ନାହିଁ ବୋଲି କୁହାଯାଇଥିଲା।