ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର, ପାମୋଲିନ୍‌ ରପ୍ତାନୀ ଉପରୁ କଟକଣା ହଟାଇଲା ଇଣ୍ଡୋନେସିଆ; କମିପାରେ ଖାଇବା ତେଲ ଦର !

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଖାଇବା ତେଲ ଦର ବଢିଚାଲିଥିବାରୁ ଖାଉଟିଙ୍କ ଚିନ୍ତା ବଢିଯାଇଛି। ଖାଇବା ତେଲର ଉଚ୍ଚ ଦର ମୁଦ୍ରାସ୍ଫୀତିକୁ ଉପରମୁହାଁ କରୁଛି। ଇତିମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଆଗାମୀ ଦିନରେ ଦେଶରେ ଖାଇବା ତେଲ ମୂଲ୍ୟରେ କେତେକାଂଶରେ ହ୍ରାସ ଦେଖିବାକୁ ମିଳିପାରେ । ଏହାର କାରଣ ହେଉଛି ଇଣ୍ଡୋନେସିଆ ସରକାର ପାମୋଲିନ୍‌ ତେଲ ରପ୍ତାନୀ ଉପରେ ଲାଗୁ କରିଥିବା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମେ’ ୨୩ରୁ ପାମୋଲିନ୍‌ ତେଲ ରପ୍ତାନୀ […]

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଖାଇବା ତେଲ ଦର ବଢିଚାଲିଥିବାରୁ ଖାଉଟିଙ୍କ ଚିନ୍ତା ବଢିଯାଇଛି। ଖାଇବା ତେଲର ଉଚ୍ଚ ଦର ମୁଦ୍ରାସ୍ଫୀତିକୁ ଉପରମୁହାଁ କରୁଛି। ଇତିମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଆଗାମୀ ଦିନରେ ଦେଶରେ ଖାଇବା ତେଲ ମୂଲ୍ୟରେ କେତେକାଂଶରେ ହ୍ରାସ ଦେଖିବାକୁ ମିଳିପାରେ । ଏହାର କାରଣ ହେଉଛି ଇଣ୍ଡୋନେସିଆ ସରକାର ପାମୋଲିନ୍‌ ତେଲ ରପ୍ତାନୀ ଉପରେ ଲାଗୁ କରିଥିବା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମେ’ ୨୩ରୁ ପାମୋଲିନ୍‌ ତେଲ ରପ୍ତାନୀ ଉପରେ ଲାଗୁ କରାଯାଇଥିବା କଟକଣାକୁ ଇଣ୍ଡୋନେସିଆ ପ୍ରତ୍ୟାହାର କରିନେବ। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏହି ଘୋଷଣା କରିଛନ୍ତି।ଇଣ୍ଡୋନେସିଆ ସରକାର ଏହି ନିଷ୍ପତ୍ତି ଦେଶର ପାମୋଲିନ୍‌ ତୈଳ ଉଦ୍ୟୋଗରେ କାମ କରୁଥିବା ୧୭ ନିୟୁତ ଅର୍ଥାତ ୧.୭୦ କୋଟି ଲୋକଙ୍କ ହିତକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତ ନିଜ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ବିଦେଶରୁ ଆମଦାନୀ କରିଥାଏ। ରୁଷ-ୟୁକ୍ରେନ ଯୁଦ୍ଧ ଓ ଇଣ୍ଡୋନେସିଆ ଦ୍ୱାରା ରପ୍ତାନି କଟକଣା ଲାଗୁ ଯୋଗୁଁ ଦେଶରେ ଖାଇବା ତେଲ ଦର ହଠାତ୍‌ ବଢିଯାଇଛି । ଭାରତ ପ୍ରତିବର୍ଷ ପ୍ରାୟ ୧୩ ରୁ ୧୩.୫୦ ନିୟୁତ ଟନ ଖାଇବା ତେଲ ଆମଦାନୀ କରିଥାଏ। ଏଥିରୁ ୬୩ ପ୍ରତିଶତ ଅର୍ଥାତ ୮ରୁ ୮.୫୦ ନିୟୁତ ଟନ୍‌ ତେଲ ହେଉଛି ପାମୋଲିନ୍‌ ତେଲ। ଆମଦାନୀ କରାଯାଉଥିବା ୬୩ ପ୍ରତିଶତ ପାମୋଲିନ୍‌ ତେଲ ମଧ୍ୟରୁ ୪୫ ପ୍ରତିଶତ ଇଣ୍ଡୋନେସିଆରୁ ଆମଦାନୀ କରାଯାଇଥାଏ। ଦରବୃଦ୍ଧି ଯୋଗୁଁ ଦେଶର ତେଲ ଆମଦାନୀ ୧.୫ ନିୟୁତ ଟନରୁ ହ୍ରାସ ଘଟି ୧.୩ ନିୟୁତ ଟନ୍‌ ରହିଛି। ଏହାପରେ ବି ମହଙ୍ଗା ମାଡ ଯୋଗୁଁ ୨୦୨୧-୨୨ରେ ଖାଇବା ତେଲ ଆମଦାନୀ ପାଇଁ କେନ୍ଦ୍ର ସରକାରଙ୍କୁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହାର ପୂର୍ବବର୍ଷରେ ତେଲ ଆମଦାନୀରେ କେନ୍ଦ୍ର ସରକାରଙ୍କୁ ୮୨,୧୨୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।

ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଖାଇବା ତେଲ ବାବଦରେ ପାମୋଲିନ୍‌ ତେଲର ସବୁଠୁ ଅଧିକ ବ୍ୟବହାର କରାଯାଏ। ବୈଶ୍ୱିକ ତୈଳ ବଜାରରେ ଏହାର ଚାହିଦା ପ୍ରାୟ ୪୦ ପ୍ରତିଶତ। ଏହାପରେ ସୋୟାବିନ୍‌ ତେଲ ୪୨ ପ୍ରତିଶତ ଏବଂ ସୋରିଷ ତେଲର ବ୍ୟବହାର ୧୫ ପ୍ରତିଶତ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୮ରେ ଇନଣ୍ଡୋନେସିଆ ସରକାର ପାମୋଲିନ୍‌ ତେଲର ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେହେତୁ ଇଣ୍ଡୋନେସିଆ ସରକାର ସେଠାକାର ଘରୋଇ ବଜାରରେ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଦେଶକୁ ପାମୋଲିନ୍‌ ତେଲ ରପ୍ତାନି କରିବାକୁ ମନା କରିଦେଇଥିଲେ ସେଥିପାଇଁ ଖାଇବା ତେଲ ମୂଲ୍ୟ ବଢିଯାଇଥିଲା। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ଇଣ୍ଡୋନେସିଆ ଚଳିତମାସ ୨୩ରୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଉଠାଇବାକୁ ଘୋଷଣା କରିଛି। ଏହାପରେ ଭାରତର ଘରୋଇ ବଜାରରେ ପାମୋଲିନ୍‌ ତେଲ ଦରରେ ବୃଦ୍ଧି ଘଟିଥିଲା। ଏବେ ଇଣ୍ଡୋନେସିଆର ଏହି ନିଷ୍ପତ୍ତି ଭାରତରେ ଖାଉଟିଙ୍କୁ ଆଶ୍ୱସ୍ତ କରିଛି।

About The Author: The Sakala