ଆଫ୍ରିକାରେ ଇବୋଲା ଭୂତାଣୁ ଆତଙ୍କ: ମୃତ୍ୟୁସଂଖ୍ୟା ୬୦୦ ପାର୍, ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ: ଆଫ୍ରିକା ମହାଦେଶରେ ଇବୋଲା ଭୂତାଣୁର ଆତଙ୍କ ଦେଖାଦେଇଛି। ଆଫ୍ରିକା ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍ (ଆଫ୍ରିକା ସିଡିସି) ଅନୁଯାୟୀ, କଙ୍ଗୋ ଏବଂ ଉଗାଣ୍ଡାରେ ବ୍ୟାପିଥିବା ବୁଣ୍ଡିବୁଗ୍ୟୋ ଇବୋଲା (Bundibugyo Ebola) ସଂକ୍ରମଣରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଭୟଙ୍କର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱସ୍ତରୀୟ ସହଯୋଗ ଜାରି ରଖିବାକୁ ବିଶେଷଜ୍ଞମାନେ ଆହ୍ୱାନ ଦେଇଛନ୍ତି।

ଏହି ଦୁଇ ପ୍ରଭାବିତ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧,୭୭୯ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୬୦୨ ଜଣଙ୍କର ମୃତ୍ୟୁ ଘଟିଛି। ଆଫ୍ରିକୀୟ ସଂଘର ସାର୍ବଜନୀନ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଏହି ରୋଗର ମୃତ୍ୟୁହାର ପ୍ରାୟ ୩୪ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୩୦୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଆଫ୍ରିକା ସିଡିସିର ଅଧିକାରୀ ୱେସାମ ମାନକୌଲା ସୂଚନା ଦେଇଛନ୍ତି ଯେ, କେବଳ ଗତ ସପ୍ତାହରେ କଙ୍ଗୋରେ ୩୫୩ ନୂଆ ମାମଲା ସାମ୍ନାକୁ ଆସିଛି, ଯାହାକି ପୂର୍ବ ତୁଳନାରେ ୨୫ ପ୍ରତିଶତ ଅଧିକ। କଙ୍ଗୋରେ ପ୍ରତି ୧୦ ଜଣ ସଂକ୍ରମିତଙ୍କଠାରୁ ଭୂତାଣୁ ପ୍ରାୟ ୧୪ ଜଣ ନୂଆ ଲୋକଙ୍କୁ ବ୍ୟାପୁଛି।

ଆର୍ଥିକ ଅନୁଦାନର ଅଭାବ ଏବଂ ସୁରକ୍ଷିତ ଶବ ସତ୍କାର ବ୍ୟବସ୍ଥାରେ ତ୍ରୁଟି ଏହି ସଂକ୍ରମଣକୁ ଆହୁରି ଜଟିଳ କରୁଛି। ଏଥିରେ ସ୍ୱାସ୍ଥ୍ୟକର୍ମୀମାନେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ଏବେ ସୁଦ୍ଧା କଙ୍ଗୋରେ ପ୍ରାୟ ୧୧୨ ଜଣ ସ୍ୱାସ୍ଥ୍ୟକର୍ମୀ ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କର ମୃତ୍ୟୁ ଘଟିଛି।

ଏଭଳି ଭୟଙ୍କର ପରିସ୍ଥିତି ମଧ୍ୟରେ କିଛି ଆଶାବାଦୀ ଖବର ମଧ୍ୟ ଆସିଛି। ଲ୍ୟାବ୍ ଟେଷ୍ଟିଂ କ୍ଷମତାରେ ଉନ୍ନତି ଆସିଛି ଏବଂ ବର୍ତ୍ତମାନ ଦୈନିକ ୨,୦୦୦ରୁ ଅଧିକ ପରୀକ୍ଷା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉଗାଣ୍ଡାରେ ଏବୋଲା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ବଡ଼ ସଫଳତା ମିଳିଛି। ଜୁନ୍ ୨୧ ପରେ ସେଠାରେ ନୂଆ ମାମଲା ଦେଖିବାକୁ ମିଳିନାହିଁ। ଆଫ୍ରିକା ସିଡିସି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ମେ ମାସରେ ଏହାକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବର୍ତ୍ତମାନ ଦକ୍ଷିଣ ସୁଦାନ, ରାୱାଣ୍ଡା, କେନିଆ ସମେତ ଅନ୍ୟ ୧୧ଟି ଦେଶକୁ ହାଇ-ରିସ୍କ ଦେଶ ତାଲିକାରେ ରଖାଯାଇଛି।

About The Author: Madhusudan Das