ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଆଉ ଶୁଭିବନି ଆନ୍ଦୋଳନର ପଦଧ୍ଵନୀ। ଜନ୍ତର ମନ୍ତରରେ ଆଉ ହେବନି ଆନ୍ଦୋଳନ କି ଦିଆଯିବନି ଧାରଣା । ଦେଶର ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ଜନ୍ତର ମନ୍ତର (Jantar Mantar) କୁ ଆଉ ପ୍ରତିବାଦ ସ୍ଥଳ ବା ଆନ୍ଦୋଳନ ସ୍ଥାନ ଭାବରେ ବିବେଚନା କରାଯିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଦିଲ୍ଲୀ ପୋଲିସ ଏହାକୁ ଆନୁଷ୍ଠାନିକ ଭାବେ ଡି-ନୋଟିଫାଏ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Ministry of Home Affairs) ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣ ନାଗରିକଙ୍କ ସମାବେଶ ଏବଂ ପ୍ରତିବାଦ ପାଇଁ ଅନ୍ୟ ବିକଳ୍ପ ସ୍ଥାନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ଦୀର୍ଘ ବର୍ଷ ଧରି ରାଜଧାନୀରେ ନାଗରିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଥିବା ଜନ୍ତର ମନ୍ତରରୁ ଏହି ମାନ୍ୟତା ପ୍ରତ୍ୟାହାର ହେବା ପରେ କର୍ତ୍ତୃପକ୍ଷ ୩ଟି ନୂତନ ବିକଳ୍ପ ସ୍ଥାନ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା:
* ରାମଲୀଳା ମଇଦାନ (ମଧ୍ୟ ଦିଲ୍ଲୀ)
* ବୁରାରୀ ମଇଦାନ (ଉତ୍ତର ଦିଲ୍ଲୀ)
* ସିବିଡି ମଇଦାନ (ପୂର୍ବ ଦିଲ୍ଲୀ)
ପୋଲିସର ସୂଚନା ଅନୁଯାୟୀ, ନୂତନ ଭାବେ ଆବଣ୍ଟିତ ଏହି ସ୍ଥାନଗୁଡ଼ିକରେ ପ୍ରତିବାଦ, ଶୋଭାଯାତ୍ରା ଏବଂ ପ୍ରଦର୍ଶନ ଆୟୋଜନ ପାଇଁ ବିସ୍ତୃତ ତଥା ସଂଶୋଧିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି (SOP) ପୃଥକ ଭାବେ ପ୍ରକାଶ କରାଯିବ। ନିର୍ବାଚନୀ ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିବାଦକୁ ନେଇ କେନ୍ଦ୍ରୀୟ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ଓ ଆନ୍ଦୋଳନ ଜାରି ରହିଥିବା ସମୟରେ ପ୍ରଶାସନ ପକ୍ଷରୁ ଏଭଳି ଏକ ବଡ଼ ନିଷ୍ପତ୍ତି ଆସିଛି।