ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ୬ ଜଣ ସିବିଆଇ (CBI) ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗରେ ତତ୍କାଳୀନ ଇନ୍ସପେକ୍ଟର ସୁଶୀଲ ଦେୱାନଙ୍କ ସମେତ ଅନ୍ୟ ୫ ଜଣ ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଏହି ମାମଲାର ଯାଞ୍ଚ ହେବା ଅତ୍ୟନ୍ତ ଜରୁରୀ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ପୂର୍ବତନ ଆଇଆରଏସ (IRS) ଅଧିକାରୀ ଅଶୋକ କୁମାର ଅଗ୍ରୱାଲଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ସହ ଏହି ଘଟଣା ଜଡ଼ିତ। ୨୦୧୬ ଜାନୁଆରୀ ମାସରେ ଦିଲ୍ଲୀ ହାଇକୋର୍ଟ ଅଶୋକଙ୍କୁ ଏହି ମାମଲାରୁ ମୁକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ତଦନ୍ତ ବେଳେ ଜବତ ହୋଇଥିବା ନିଜର ଦଲିଲ୍ ଗୁଡ଼ିକୁ ଫେରାଇଦେବାକୁ ଅଶୋକ ଆବେଦନ କରିଥିଲେ। ତେବେ ଏହାକୁ ବିରୋଧ କରି ଅଗଷ୍ଟ ୨, ୨୦୧୬ରେ ସିବିଆଇ ଟ୍ରାଏଲ୍ କୋର୍ଟରେ ଏକ ଜବାବ ଦାଖଲ କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ପ୍ରଶାସନିକ ମନ୍ତ୍ରଣାଳୟ ସହ ଆଲୋଚନା 'ଚାଲିଛି' ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଦଲିଲଗୁଡ଼ିକର ଆବଶ୍ୟକତା ପଡ଼ିପାରେ।
ବିଚାରପତି ଜଷ୍ଟିସ୍ ମଧୁ ଜୈନ ଜାଣିବାକୁ ପାଇଥିଲେ ଯେ, ସେହି ସମୟରେ ମନ୍ତ୍ରଣାଳୟ ସହ ସେପରି କୌଣସି ପତ୍ରାଳାପ ଚାଲିନଥିଲା, ବରଂ କେବଳ ସିବିଆଇର ଆଭ୍ୟନ୍ତରୀଣ ଆଲୋଚନା ଚାଲିଥିଲା। ସିବିଆଇର ଆଭ୍ୟନ୍ତରୀଣ ଚିଠା ଏବଂ ଫାଇଲ୍ ନୋଟିଂରୁ ଏହା ସ୍ପଷ୍ଟ ହୋଇଛି ଯେ, ଅଧିକାରୀମାନେ ଜାଣିଶୁଣି ତଥ୍ୟକୁ ବଦଳାଇ ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ଏକ ଡ୍ରାଫ୍ଟରେ ସିବିଆଇର ପ୍ରସ୍ତାବକୁ ଖାରଜ କରାଯାଇଥିବା ଉଲ୍ଲେଖ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ହାତରେ କାଟି ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଥିବା ଦର୍ଶାଯାଇଥିଲା। ଏହାକୁ ଅଦାଲତ ଗୁରୁତର ସହ ନେଇଛନ୍ତି।
ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ସୁଶୀଲ ଦେୱାନ, ବିନୀତ ବିନାୟକ, ଅମିତ କୁମାର, ରମଣ ତ୍ୟାଗୀ, ପ୍ରେମ କୁମାର ଗୌତମ ଏବଂ ମହମ୍ମଦ ଆଜାଦଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଣିବାକୁ ସ୍ୱତନ୍ତ୍ର ବିଚାରପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଉସ୍ ଏଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଅକ୍ଟୋବର ୨୫, ୨୦୨୫ର ଆଦେଶକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି, ଯେଉଁଥିରେ ସେ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଆଗାମୀ ୪ ସପ୍ତାହ ମଧ୍ୟରେ ଏହି ମାମଲାକୁ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶ ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରୁନାହିଁ। କେବଳ ଉପଲବ୍ଧ ପ୍ରମାଣ ଆଧାରରେ ତଳ କୋର୍ଟ ସ୍ୱାଧୀନ ଭାବେ ବିଚାର ପ୍ରକ୍ରିୟା ଆଗକୁ ବଢ଼ାଇବେ।