ନୂଆଦିଲ୍ଲୀ : ସେନା ଅଧିକାରୀଙ୍କ ଗୋପନୀୟତାକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ମାର୍ଗଦର୍ଶିକା ଜାରି କରିଛି। ଏଥିରେ କାର୍ଯ୍ୟରେ ମୁତୟନ କିମ୍ବା ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ତାଙ୍କ ପରିବାର ଗୋପନୀୟତା ପ୍ରତି ଧ୍ୟାନ ରଖିବାକୁ କୁହାଯାଇଛି। ବିନା ଅନୁମତିରେ ଅଧିକାରୀଙ୍କ ଘରକୁ ନ ଯିବାକୁ, ସାକ୍ଷାତକାର ନ ନେବାକୁ କିମ୍ବା ବ୍ୟକ୍ତିଗତ କାହାଣୀ ପାଇଁ ଯୋଗାଯୋଗ ନ କରିବାକୁ କୁହାଯାଇଛି। ଘର ଠିକଣା, ପରିବାର ସଦସ୍ୟଙ୍କ ଫଟୋ କିମ୍ବା କୌଣସି ବ୍ୟକ୍ତିଗତ ସୂଚନା ନ ଛପାଇବାକୁ ଏବଂ ନ ଦେଖାଇବାକୁ କୁହାଯାଇଛି। ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ହୋଇ ନ ଥିଲେ କିମ୍ବା ଅଧିକାରୀଙ୍କ ଠାରୁ ଅନୁମତି ମିଳି ନ ଥିଲେ ଏହାକୁ ଜାରି ନ କରିବାକୁ କୁହାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟର ଏଡିଜି ବିଜୟ କୁମାର ଏହି ମାର୍ଗଦର୍ଶିକାରେ ସ୍ବାକ୍ଷର କରିଛନ୍ତି।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅପରେସନ୍ ସିନ୍ଦୂର ଏବଂ ତା’ପରର ସୂଚନା ଦେବା ପାଇଁ ଅଧିକାରୀମାନେ ଗଣମାଧ୍ୟମ ସମ୍ମୁଖକୁ ଆସିଥିଲେ। ଏହି ଅଧିକାରୀଙ୍କ ନେଇ ପ୍ରସାରଣ କରାଯାଉଥିବା ଖବର ସିଧା ତାଙ୍କ ପରିବାର ସଦସ୍ୟ ଏବଂ ବ୍ୟକ୍ତିଗତ ଜୀବନରେ ପହଞ୍ଚି ଯାଇଥିଲା। ଗଣମାଧ୍ୟମ ପ୍ରତିନଧି ସେମାନଙ୍କ ପରିବାର ସଦସ୍ୟଙ୍କ ବାସଭବନକୁ ଯାଇ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ସେନା ଅଧିକାରୀଙ୍କ ପରିବାରର ବ୍ୟକ୍ତିଗତ ପ୍ରସଙ୍ଗ ଉପରେ ମଧ୍ୟ ଖବର ପରିବେଷଣ କରାଯାଇଥିଲା। ଏଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଭାରତ-ପାକ୍ ଉତ୍ତେଜନା ସମୟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କୁ ମଧ୍ୟ ଅନଲାଇନରେ ଖରାପ ବ୍ୟବହାର କରାଯାଇଥିଲା। ଏପରିକି ପରିବାର ସହିତ ତାଙ୍କର ପୁରୁଣା ଫଟୋ ମଧ୍ୟ ସେୟାର କରାଯାଉଥିଲା। ଝିଅର ମୋବାଇଲ୍ ନମ୍ବର ବି ଭାଇରାଲ ହେଉଥିଲା। ଏହା ପରେ ମିଶ୍ରି ନିଜ ଆକାଉଣ୍ଟଙ୍କୁ ସୁରକ୍ଷିତ କରିଦେଇଥିଲେ।