ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ସୋମବାର ହୋଇଥିବା ବିସ୍ଫୋରଣ ଆରଡଏକ୍ସଠାରୁ ବି ଭୟଙ୍କର ଥିଲା। ଏଥିରେ ଆମୋନିୟମ ନାଇଟ୍ରେଟ ଫୁଏଲ ଅଏଲ (ଏଏନଏଫଓ) ଏବଂ ଡିଟୋନେଟର୍ସ ବ୍ୟବହାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ଘଟଣାସ୍ଥଳରୁ ଆମୋନିୟମ ନାଇଟ୍ରେଟ ମିଳିଛି। ଏହି ବିସ୍ଫୋରକ ଆଇଇଡିଠାରୁ ବି ଭୟଙ୍କର ହୋଇଥିଲେ ବି ସହଜରେ ମିଳି ଯାଇଥାଏ। କମ୍ ଖର୍ଚ୍ଚରେ ଏହା ଅଧିକ କ୍ଷୟକ୍ଷତି ଘଟାଇ ଥାଏ। ଏଥିପାଇଁ ଆତଙ୍କବାଦୀ ମାନେ ଏହାକୁ ବ୍ୟବହାର କରୁଛନ୍ତି। ତେବେ ଫରେନସିକ ରିପୋର୍ଟ ଆସିବା ପରେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।
ଗତ ସପ୍ତାହରେ ପର୍ଦ୍ଦାଫାସ ହୋଇଥିବା ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲୋର ସଦସ୍ୟ ଡ. ମହମ୍ମଦ ଉମର ଏହି ଆତ୍ମଘାତୀ ବିସ୍ଫୋରଣ କରିଥିବା କୁହାଯାଉଛି। ସେ ନିଜ ଦୁଇ ସହଯୋଗୀଙ୍କ ସହ ମିଶି ଏହି ଯୋଜନା କରିଥିଲା। ଏଥିରେ ବ୍ୟବୃତ ଏଏନଏଫଓ ଅଧିକ ଜ୍ବଳନଶୀଳ ପଦାର୍ଥ। ବିଶେଷ କରି ଉଦ୍ୟୋଗିକ ବିସ୍ଫୋରଣ ଲାଗି ଏହାକୁ ବ୍ୟବହାର କରାଯାଇଥାଏ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିପୁଳ ବିସ୍ଫୋରକ ସହ ସହଯୋଗୀ ଡ. ମୁଜାମିଲ ସକିଲ ଗିରଫ ହେବା ପରେ ଡ. ଉମର ଭୟଭୀତ ହୋଇ ଯାଇଥିଲା। ପରେ ସେ ଦୁଇ ସହଯୋଗୀଙ୍କ ସହାୟତାରେ ଏକ କାର୍ରେ ଡେଟୋନିଟର ସହିତ ଅନ୍ୟ ବିସ୍ଫୋରକ ନେଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରକ କେଉଁଠୁ ଆସିଥିଲା ଏବଂ କିଏ ଆଣିଥିଲା ଏବେ ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ଆଖପାଖରେ ଥିବା ଗାଡ଼ି ଗୁଡିକର ଝରକା ଭାଙ୍ଗି ଯାଇଥିଲା। ଆପେ ଆପେ ଏୟାର ବ୍ୟାଗ୍ ବାହାରି ଯାଇଥିଲା। ପ୍ରାୟ ୨ କିମି ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା।
ଅନ୍ୟପଟେ ଏହି ବିସ୍ଫୋରଣ ଭେଇକିଲ-ବର୍ଣ୍ଣ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋଜିଭ ଡିଭାଇସ (ଭିବିଆଇଡି) ଥିବା କୁହାଯାଉଛି। କାରଣ ପୂର୍ବରୁ ଆତଙ୍କବାଦୀ ଏହାର ବ୍ୟବହାର କରିଛନ୍ତି। ଏକ ଗାଡ଼ିରେ ବିସ୍ଫୋରକ ନେଇ ତାହାକୁ ଉଡ଼ାଇ ଦିଅନ୍ତି। ଏହି ପ୍ରକ୍ରିୟାକୁ ଠାବ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ଆତଙ୍କବାଦୀଙ୍କୁ ଚିହ୍ନଟ କରି ଜେରା କରିବା ମଧ୍ୟ କାଠିକର ହୋଇଥାଏ। ନିଜ ଉପସ୍ଥିତି ଦର୍ଶାଇବା ପାଇଁ କିମ୍ବା ଭାରତଠାରୁ ପ୍ରତିଶୋଧ ନେବାକୁ ଆତଙ୍କବାଦୀ ଏଭଳି ଆକ୍ରମଣ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।
ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଯେଉଁ ବିସ୍ଫୋରଣ ହୋଇଥିଲା ତାହାକୁ ୪୬୦ କିମି ଦୂର ଉତ୍ତର ପ୍ରଦେଶ (ୟୁପି) ରେ କରାଇବାକୁ ଯୋଜନା କରାଯାଇଥିଲା। ଜମ୍ମୁ-କଶ୍ମୀର ପୁଲିସ ଏବଂ ଗୁଜରାଟ ଏଟିଏସ ପକ୍ଷରୁ ଦିଆଯାଇଥିବା ଏହି ସୂଚନା ୟୁପି ସୁରକ୍ଷା ଏଜେନ୍ସି ଗୁଡିକର ହୋସ୍ ଉଡ଼ାଇ ଦେଇଛି। ୟୁପିର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ ଏହି ସୂଚନା ମିଳିବା ପରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି। ଆତଙ୍କବାଦୀଙ୍କ ନିଶାଣରେ ଲକ୍ଷ୍ନୌ, କାଶୀ, ମଥୁରା, ଅଯୋଧ୍ୟା ଭଳି ବଡ଼ ସହର ଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ୟୁପିରେ ଦୁଇଟି ଅଲଗା ଅଲଗା ଆତଙ୍କବାଦୀ ମଡ୍ୟୁଲୋ ସାମ୍ନାକୁ ଆସିଥିଲା। ଗୋଟିଏକୁ ଗୁଜରାଟ ପୁଲିସ ଏବଂ ଅନ୍ୟଟିକୁ ଜମ୍ମୁ-କଶ୍ମୀର ପୁଲିସ ବିଫଳ କରିଦେଇଛି। ଏଥିପାଇଁ ଆତଙ୍କବାଦୀ ଅନ୍ୟ ଯୋଜନା କରୁଛନ୍ତି।