Delhi Car Blast: ଆତଙ୍କବାଦୀଙ୍କ ଠିକଣା; କୋଠା ନଂ-୧୭, ରୁମ୍ ନଂ-୧୩...

ଅଲ୍‌ ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ; ପଶିଲା ଇଡି

ନୂଆଦିଲ୍ଲୀ: ଲାଲ୍‌‌କିଲ୍ଲା ବିସ୍ଫୋରଣ ପରେ ହରିୟାଣାର ଫରିଦାବାଦ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟ ସନ୍ଦେହ ପରିସରକୁ ଆସିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିଶ୍ବିବଦ୍ୟାଳୟର କୋଠା ନମ୍ବର ୧୭ ଏବଂ ରୁମ୍ ନମ୍ବର ୩ରେ  ଦିଲ୍ଲୀ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ଏହି ବିଲ୍ଡିଂ ଓ ରୁମରେ ଅଭିଯୁକ୍ତ ଡାକ୍ତର ମୁଜାମ୍ମିଲ, ଡ. ଉମର, ଡ. ଆଦିଲ ଓ ଡ. ସୟିଦ ରହୁଥିଲେ।  ସେମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ- ମହମ୍ମଦ ସହିତ ଯୋଗାଯୋଗ କରି ବିସ୍ଫୋରଣ ଷଡ଼ଯନ୍ତ୍ର କରିଥିଲେ॥  ଏହି କାରଣରୁ ବର୍ତ୍ତମାନ ଅଲ ଫଲାହ ବିଶ୍ବବିଦ୍ୟାଳୟ ଚର୍ଚ୍ଚାରେ ରହିଛି।  ତଦନ୍ତକାରୀ ସଂସ୍ଥା ଏବେ ଏହି ୪ ଡାକ୍ତରଙ୍କ ଉପରେ ଫୋକସ କରି ତଦନ୍ତ ଚଳାଇଛନ୍ତି। ବିସ୍ଫୋରଣରେ ଉମରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ପୁଲିସ ହାଜତରେ ଅଛନ୍ତି୤  ଏହି ଘଟଣାରେ ସେମାନଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି॥

ଇତିମଧ୍ୟରେ ଏହି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ (ଏନ୍‌ଏସି) ଏହି ପଦକ୍ଷେପ ଗ୍ରହଣ କରିଛି। ଦିଲ୍ଲୀ ବିସ୍ଫୋରଣ ମାମଲାରେ ଫରିଦାବାଦ ଟେରର ମଡ୍ୟୁଲ୍‌‌ରେ ଗିରଫ ହୋଇଥିବା ଡାକ୍ତରମାନେ ଅଲ ଫଲ୍‌‌ହା ବିଶ୍ୱବିଦ୍ୟାଳୟ ସହ ଜଡିତ ଥିବାର ପ୍ରମାଣ ମଳିବା ପରେ ଏହି ନୋଟିସ ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌କୁ ମଧ୍ୟ ବନ୍ଦ କରିଦିଆଯାଇଛି। ଗୋଟିଏ ଦିନ ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌ ହ୍ୟାକ୍‌‌ ହୋଇଥିଲା। ଜାଲ୍ ସ୍ବୀକୃତି  ପାଇଥିବା ଅଭିଯୋଗରେ ନୋଟିସ ଜାରି କରାଯାଇଛି ବୋଲି କୁହାଯାଇଛି। ଏହି ବିଶ୍ୱବିଦ୍ୟାଳୟ ଏ ଆଣ୍ଡ ଏ ଓ ସାଇକଲ-୧ ପାଇଁ ମାନ୍ୟତା ହାସଲ କରିନାହିଁ। ନିଜ ୱେବସାଇଟ୍‌‌ରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଅଲ ଫଲାହ ଚାରିଟେବୁଲ ଟ୍ରଷ୍ଟ ଅଧୀନରେ ଥିବା ବୋଲି ଉଲ୍ଲେଖ କରାଯାଇଛି। ଏହାର ପରିସରରେ ୩ଟି କଲେଜ ରହିଛି। ଏହା ପୂରାପୂରି ଭୁଲ ଓ ଜନତାଙ୍କୁ ଭ୍ରମିତ କରାଯାଇଛି ବୋଲି ଏନ୍‌ଏସି ତରଫରୁ କୁହାଯାଇଛି। ନୋଟିସର ଜବାବ ଦେବାକୁ ୭ ଦିନ ସମୟ ଦିଆଯାଇଛି। ଏହି ଅନୁଷ୍ଠାନ କେଉଁଠୁ ପାଣ୍ଠି ସଂଗ୍ରହ କରୁଥିଲା, ତାହାର ଯାଞ୍ଚ କରାଯିବ। ଏଥିପାଇଁ ଏହି ବିଶ୍ୱବିଦ୍ୟାଳୟରେ ଆଜି ଇଡି ଚଢ଼ାଉ କରିଛି। ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟର ସବୁ ରେକର୍ଡର ଫରେନସିକ୍‌‌ ଯାଞ୍ଚ୍‌‌ ପାଇଁ ଆଦେଶ ଦେଇଛି।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି।  ଆଜି ଆଉ ଜଣେ ଆହତ ବ୍ୟକ୍ତିଙ୍କର ମେଡିକାଲରେ ମୃତ୍ୟୁ ଘଟିଛି୤ ମେଡିାକଲରେ ଏବେ ବି ଆଉ ୨୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

-୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ

-ଆଇଏସ୍‌‌ଆଇଏସ୍‌  ସହ ସନ୍ଦିଗ୍ଧ ସମ୍ପର୍କ

ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ସନ୍ଦିଗ୍ଧ ଡାକ୍ତରମାନେ ବିସ୍ଫୋରକ ଓ ଅନ୍ୟ ଜିନିଷ କିଣିବାକୁ ଟଙ୍କା ଯୋଗାଡ଼ କରୁଥିଲେ। ସେମାନେ  ୨୬ ଲକ୍ଷ ଟଙ୍କା ସଂଗ୍ରହ କରିସାରିଥିଲେ। ଏହି ଅର୍ଥକୁ ଡା. ଉମରକୁ ଦିଆଯାଇଥିଲା। ଏହି ଅର୍ଥରେ ଗୁରୁଗ୍ରାମ, ନୁହ ଓ ଆଖପାଖ ଅଞ୍ଚଳରୁ ପାଖାପାଖି ୩ ଲକ୍ଷ ଟଙ୍କାରେ ୨୦ କ୍ୱିଣ୍ଟାଲ ଏନ୍‌‌ପିକେ ଫର୍ଟିଲାଇଜର କିଣିବା ପାଇଁ ଖର୍ଚ୍ଚ କରାଯାଇଥିଲା। ନାଇଟ୍ରୋଜେନ, ଫସ୍‌‌ଫରସ ଓ ପଟାସିଅମର ମିଶ୍ରଣ ହେଉଛି ଏନ୍‌‌ପିକେ ଫର୍ଟିଲାଇଜର। ଏହାକୁ ବ୍ୟବହାର କରି ବିସ୍ଫୋରକ ପ୍ରସ୍ତୁତ କରାଯାଇଥାଏ।

 ଯାଞ୍ଚ ଏଜେନ୍ସି ଅନୁସାରେ ଡା ମୁଜାମ୍ମିଲ ୨୦୨୧ ଓ ୨୦୨୨ରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସହଯୋଗୀଙ୍କ ସମ୍ପର୍କ ସ୍ଥାପନ କରିବା ପରେ ଏହି ସଂଗଠନର ଏକ ଶାଖା ଅନସାର ଗଜବତ-ଊଲ-ହିନ୍ଦ୍‌‌ ଦ୍ବାରା ପ୍ରଭାବିତ ହୋଇଥିଲା। ଇର୍ଫାନ ଉରଫ ମୌଲବୀ ନାମକ ଜଣେ ବ୍ୟକ୍ତି ହିଁ ମୁଜାମ୍ମିଲକୁ ଏହି ନେଟ୍‌‌ୱର୍କ ସହ ପରିଚିତ କରାଇଥିଲା ବୋଲି କୁହାଯାଉଛି। ୨୦୨୩ ଓ ୨୦୨୪ରେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ନେଇ ଏକ ସ୍ୱତନ୍ତ୍ର ଆତଙ୍କବାଦୀ ସଂଗଠନ ସ୍ଥାପନ କରିବାକୁ ଯୋଜନା ଥିଲା। ଏହି ବ୍ୟାପକ ନେଟ୍‌‌ୱର୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଯାଞ୍ଚ ଏଜେନ୍ସିଗୁଡିକ ପ୍ରୟାସ ଜାରି ରଖିଛନ୍ତି। କାରଣ ଅଭିଯୁକ୍ତମାନେ ଭବିଷ୍ୟତରେ ଆହୁରି ବଡ଼ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଯାଞ୍ଚ ଏଜେନ୍ସିଗୁଡିକ ସନ୍ଦେହ କରୁଛନ୍ତି। ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସଆଏସ୍ ସହିତ ସେମାନଙ୍କର ଥିବା ସନ୍ଦେହ କରାଯାଉଛି ।

ଲାଲ୍‌‌କିଲ୍ଲା ବୋମା ବିସ୍ଫୋରଣ ସହିତ ଜଡିତ ନିଖୋଜ କାର ଓ ଏହାର ଡ୍ରାଇଭରକୁ ଖୋଜା ଚାଲିଛି। ଗତ ସନ୍ଧ୍ୟାରେ ଗୋଟିଏ କାରକୁ ଜବତ କରିଛି ପୁଲସ। ଏହି ଗାଡ଼ିକୁ ପାର୍କ କରିଥିବା ସନ୍ଦିଗ୍ଧକୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ଏ ନେଇ ଆଲର୍ଟ ଜାରି କରିଥିଲା। ଏକ ଲାଲ ରଙ୍ଗର ଫର୍ଡ ଇକୋସ୍ପୋର୍ଟ୍ସ କାର ଫରିଦାବାଦ୍‌‌ରୁ ଡା ଉମରର କାର ସହିତ ବାହରିଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ଫରିଦାବାଦ୍‌‌ ପୁଲିସ ଖଣ୍ଡାବଲି ଗାଁରୁ ଏହି କାର୍‌‌କୁ ଖୋଜି ପାଇବାରେ ସକ୍ଷମ ହୋଇଛି। ଏହି କାରକୁ ସେଠାରେ ପାର୍କ କରିଥିବା ବ୍ୟକ୍ତି ଫହିମକୁ ଗିରଫ କରାଯାଇଛି। ଫହିମ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଉମରର ସମ୍ପର୍କୀୟ ହୋଇପାରେ ବୋଲି ପୁଲିସ ଆଶଙ୍କା କରୁଛି। ଦୁଇଟି କାର ସାଥି ହୋଇ ବାହାରିଥିଲେ। ଉମର କାର୍‌‌ରେ ବିସ୍ଫୋରଣ ହୋଇଥିଲେ ମଧ୍ୟ ଏହି କାର୍‌‌ର ଖୋଜ ଖବର ନଥିଲା। ଏହି କାରଣରୁ ଦିଲ୍ଲୀ ପୁଲିସ ଆଲର୍ଟ ଜାରି କରିଥିଲା।

ଇଣ୍ଟରପୋଲ୍‌ର ସହାୟତା ଲୋଡ଼ିଲା ପୁଲିସ

କାଶ୍ମୀର ଡାକ୍ତରଙ୍କ ବିରୋଧରେ ଜାରି ହେବ ରେଡ୍‌‌ କର୍ଣ୍ଣର ନୋଟିସ୍‌‌ 
କାନପୁର ମେଡିକାଲ ଛାତ୍ରଙ୍କୁ ଗିରଫ କଲା ୟୁପି ଏଟିଏସ୍‌‌

ଲାଲକିଲ୍ଲା ବିସ୍ଫୋରଣର ସଂଦିଗ୍ଧ ଅଭିଯୁକ୍ତ ଜଣେ କାଶ୍ମୀର ଡାକ୍ତର ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଜମ୍ମୁ-କଶ୍ମୀର ପୁଲିସ ଇଣ୍ଟରପୋଲ ସହିତ ଯୋଗାଯୋଗ କରିଛି। ଏହି ଡାକ୍ତର ହେଉଛନ୍ତି ଡା ମୁଜାଫର। ମୁଜାଫର ଜୈଶ-ଇ-ମହମ୍ମଦ ସହିତ ଜଡିତ ଏକ ବଡ଼ ଆତଙ୍କବାଦୀ ନେଟ୍‌‌ୱର୍କର ଅଂଶ ବୋଲି ଜଣା ପଡ଼ିଛି। ସେ ଦେଶ ବାହାରେ ଥିବାରୁ ରେଡ କର୍ଣ୍ଣର ନୋଟିସ ଦ୍ୱାରା ତାକୁ ଟ୍ରାକ କରାଯିବ। ମୁଜାଫର ହେଉଛି ଡା ଆଦିଲର ଭାଇ। ଆଦିଲ ଅନନ୍ତନାଗ ମେଡିକାଲ କଲେଜରେ କାର୍ଯ୍ୟରତ। ତେବେ ତା’ର ଲକରରୁ ଏକ ଏକେ-୪୭ ରାଇଫଲ ଜବତ ହେବା ପରେ ତାକୁ ଗିରଫ କରାଯାଇଥିଲା। ଗିରଫ୍‌‌ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ପରେ ମୁଜାଫରର ନାମ ସାମ୍ନାକୁ ଆସିଥିଲା। ମୁଜାଫର ୨୦୨୧ରେ ଅଭିଯୁକ୍ତ ମୁଜାମିଲ ଗନାଇ ଓ ଉମର ନବୀ ସହ ତୁର୍କୀ ଯାଇଥିଲା। ଗତ ଅଗଷ୍ଟରେ ସେ ଦୁବାଇରୁ ଭାରତ ଆସିଥିଲା ଓ ଏବେ ସେ ଆଫଗାନିସ୍ତାନରେ ଅଛି ବୋଲି କୁହାଯାଉଛି। ଏହି ୩ ଜଣ ୨୧ ଦିନ ତୁର୍କୀରେ ଥିଲେ ବୋଲି ପୁଲିସ କହିଛି। କିନ୍ତୁ ତୁର୍କୀ କର୍ତ୍ତୁପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। 

ଉତ୍ତର ପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କାଡ୍‌‌ (ଏଟିଏସ୍‌‌) ଲାଲ୍‌‌କିଲ୍ଳା ବିସ୍ଫୋରଣ ମାମାଲାରେ କାନପୁରର ମେଡିକାଲ କଲେଜର କାର୍ଡିଲୋଜିଷ୍ଟ ଇନ୍‌‌ଷ୍ଟିଚ୍ୟୁଟର ଅଧ୍ୟୟନରତ ଜମ୍ମୁ-କଶ୍ମୀରର ଜଣେ ଛାତ୍ରଙ୍କୁ ଗିରଫ କରିଛି। ଏହି ଛାତ୍ର ହେଉଛନ୍ତି ଡା ମହମ୍ମଦ ଆରିଫ। ଗିରଫ ହୋଇଥିବା ମହିଳା ଡାକ୍ତର ଶାହିନ ସଇଦ୍‌‌ଙ୍କ ଫୋନ୍‌‌ ରେକର୍ଡ ଯାଞ୍ଚ୍‌‌ କରାଯିବା ବେଳେ ଆରିଫ୍‌‌ଙ୍କ ନାମ ସାମ୍ନାକୁ ଆସିଥିଲା। ଦୀର୍ଘଦିନ ଧରି ଦୁଇଜଣଙ୍କ ମଧ୍ୟ ସମ୍ପର୍କ ଥିଲା ବୋଲି ଏଟିଏସ୍‌‌ କହିଛି। ଆରିଫ୍‌‌ କାଶ୍ମୀରର ବାସିନ୍ଦା ଓ ସେ କାନପୁରର ଆଶୋକ ନଗର ଅଞ୍ଚଳ ଭଡ଼ାରେ ଏକ ଫ୍ଲାଟ୍‌‌ରେ ରହୁଥିଲା। ବୁଧବାର ରାତିରେ ଏଟିଏସ୍‌‌ ତା ଘରେ ଚଢ଼ାଉ କରି ଗିରଫ୍‌‌ କରିଥିଲା। ଜଣେ ପ୍ରତିଭାଶାଳୀ ଡାକ୍ତରରୁ ସେ ଏବେ ଆତଙ୍କବାଦୀରେ ପରିଣତ ହୋଇଛି। ପିଲାଟି ବେଳୁ ସେ ଡାକ୍ତର ହେବାକୁ ଚାହୁଁଥିଲା ବୋଲି ତାର ପରିବାର ଲୋକେ କହିଛନ୍ତି। ତେବେ ତାକୁ ପଚରାଉଚରା ପରେ  ଏହି ଆତଙ୍କବାଦୀ ନେଟୱର୍କ ସଂପର୍କରେ ଅନେକ ତଥ୍ୟ ମିଳିବ ବୋଲି କୁହାଯାଉଛି।

 

About The Author: Deviprasad Mohanty