କୋଲକାତା: କୋଲକାତା ଆରଜିକେ ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଇତିମଧ୍ୟରେ ୩୮ ଦିନ ପୂରିଛି। ଏହି ଘଟଣା ସାରା ଦେଶରେ ହଙ୍ଗାମା ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ଯାଏଁ ଏବଂ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଜଘନ୍ୟ କାଣ୍ଡର ରହସ୍ୟ ଖୋଲିପାରି ନାହିଁ। ସିବିଆଇ ଘଟଣାର ଯାଞ୍ଚ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାର ପୁରା ରହସ୍ୟ ଜଣାପଡ଼ି ନାହିଁ। ତେବେ ଆଗକୁ ଘଟଣାର ରହସ୍ୟ ଖୋଲିବାର ସମ୍ଭାବନା ବଢିଛି। କାରଣ ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାର୍ଯ୍ୟ କରିଥିବା ସିବିଆଇ ପ୍ରଥମଥର ଲାଗି ସୁରାକ୍ ଦେଇଛି। ଗତକାଲି ରାତିରେ ସିବିଆଇ ଆରଜିକେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ତାଲା ଥାନା ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ଗିରଫ କରିବା ପରେ ସେମାନଙ୍କୁ ରିମାଣ୍ଡରେ ନେବାକୁ ରବିବାର ସିବିଆଇ କୋର୍ଟରେ ହାଜର କରାଇଥିଲା। ସିବିଆଇ ଉଭୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ସମୟରେ ଡାକ୍ତର ହତ୍ୟା ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା କୋର୍ଟରେ କହିଛି।
ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ବିଳମ୍ବରେ ଏତଲା ଦାଏର କରାଯାଇଥିବାରୁ ସିବିଆଇ ଥାନା ଅଧିକାରୀ ଅଭିଜିତଙ୍କୁ ଗିରଫ କରିଥିଲା ବେଳେ ପ୍ରମାଣ ନଷ୍ଟ କରିବା କାରଣରୁ ସନ୍ଦୀପଙ୍କୁ ଗିରଫ କରିଛି। କିନ୍ତୁ ଉଭୟଙ୍କୁ ଏବେ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ସିବିଆଇକୁ ବହୁ ତଥ୍ୟ ମିଳିପାରେ ବୋଲି ସମ୍ଭାବନା ବଢିଛି। ଉଲ୍ଲେଖଯୋଗ୍ୟ ଯେ, ଡାକ୍ତର ହତ୍ୟା ଘଟଣା ପରେ ସନ୍ଦୀପ ଏବଂ ଅଭିଜିତଙ୍କ ମଧ୍ୟରେ ହୋଇଥିବା ଫୋନକଲ ରେକର୍ଡ ହସ୍ତଗତ କରିବା ପରେ ସିବିଆଇ ଗତକାଲି ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରିଥିଲା। ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ଏତଲା ଦାଏର କରିବାରେ ବିଳମ୍ବ ଅନେକ କିଛି ଇଙ୍ଗିତ କରୁଛି ବୋଲି ସିବିଆଇ କହିଛି। ତେଣୁ ଏହି ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ଷଡ଼ଯନ୍ତ୍ର ପଛର ମୁଖ୍ୟ ନାୟକ କିଏ ତାହା ଜଣାପଡ଼ିବ ବୋଲି ସିବିଆଇ କହିଛି। ଏହାପୂର୍ବରୁ କୋଲକାତା ହାଇକୋର୍ଟ ଏବଂ ପରେ ପରେ ସୁପ୍ରିମକୋର୍ଟ ମଧ୍ୟ ବିଳମ୍ବରେ ଏତଲା ଦାଏର କରାଯିବାକୁ ନେଇ ପ୍ରଶ୍ନ ଉଠାଇସାରିଛନ୍ତି। ଡାକ୍ତରଙ୍କୁ ହତ୍ୟା କରାଯିବାର ୧୪ ଘଣ୍ଟା ପରେ କାହିଁକି ହସ୍ପିଟାଲ କର୍ତ୍ତୃପକ୍ଷ ଏତଲା ଦାଏର କରିଥÒଲେ ବୋଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ ପ୍ରଶ୍ନ କରିଥିଲେ।