ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ଅର୍ଥନୀତି। ୨୦୨୫-୨୬ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ସଭାପତି ସଞ୍ଜିବ ପୁରୀ କହିଛନ୍ତି ଯେ ଭାରତର ଅର୍ଥନୀତି ସୁଦୃଢ଼ ଏବଂ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ସତ୍ତ୍ୱେ ଚଳିତ ଆର୍ଥିକବର୍ଷରେ ୬.୫ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ କରାଯାଇପାରିବ। ଭାରତର ଏକ ଦୃଢ଼ ଅର୍ଥନୈତିକ ଆଧାର ଅଛି, ଯାହା ବିଶ୍ୱ ଅସ୍ଥିରତା ମଧ୍ୟରେ ମଧ୍ୟ ଏହାକୁ ସ୍ଥିର ରଖିଛି।
ସିଆଇଆଇ ସଭାପତି କହିଛନ୍ତି, ଆମେ ଆଶା କରୁଛୁ ଯେ ଏହି ବର୍ଷ ଭାରତର ଜିଡିପି ୬.୫% ବୃଦ୍ଧି ପାଇବ। ସମ୍ପ୍ରତି ସୁଧ ହାର ହ୍ରାସ, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ, ଏବଂ ଏପ୍ରିଲ ପହିଲାରୁ ବ୍ୟକ୍ତିଗତ ଆୟକର ରିଆତି ଭଳି ପଦକ୍ଷେପ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ।» ପୁରୀ କହିଛନ୍ତି ଯେ ଶକ୍ତି, ପରିବହନ, ଧାତୁ, ରାସାୟନିକ ପଦାର୍ଥ ଏବଂ ଆତିଥେୟତା ଭଳି କ୍ଷେତ୍ରରେ ଘରୋଇ ନିବେଶ ବୃଦ୍ଧି ପାଉଛି। ଯଦିଓ ବର୍ତ୍ତମାନର ବିଶ୍ୱ ଉତ୍ତେଜନା ଯୋଗୁଁ ନିବେଶରେ କିଛି ସତର୍କତା ଦେଖାଯାଇପାରେ।
ବିଶ୍ୱ ବାଣିଜ୍ୟରେ ବୃଦ୍ଧି ପାଉଥିବା ସଂରକ୍ଷଣବାଦ ଉପରେ ଚିନ୍ତା ପ୍ରକାଶ କରି ସେ କହିଛନ୍ତି ଯେ ଭାରତକୁ ଆମେରିକା ଏବଂ ୟୁରୋପୀୟ ସଂଘ ଭଳି ପ୍ରମୁଖ ଅଂଶୀଦାରମାନଙ୍କ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି କରିବା ଉଚିତ, ଯାହା ପାରସ୍ପରିକ ଲାଭଦାୟକ ଏବଂ ଜାତୀୟ ସ୍ୱାର୍ଥରେ ହେବ। ସିଆଇାଇ ସଭାପତି ପରାମର୍ଶ ଦେଇଛନ୍ତି ଯେ ଭାରତ ପ୍ରତିଯୋଗିତାମୂଳକତା ବୃଦ୍ଧି ପାଇଁ ତ୍ରିସ୍ତରୀୟ ଶୁଳ୍କ ଗଠନ ଭଳି ପଦକ୍ଷେପ ବିଚାର କରିବା ଉଚିତ। ପୁରୀ କହିଛନ୍ତି ଯେ ବିଶ୍ୱ ଅନିଶ୍ଚିତତାର ପ୍ରଭାବକୁ ସନ୍ତୁଳିତ କରିବା ପାଇଁ ଦେଶକୁ ଘରୋଇ ଅଭିବୃଦ୍ଧିର ଉତ୍ସଗୁଡ଼ିକ, ଯେପରିକି କୃଷି, ଜଳବାୟୁ ପରିବର୍ତ୍ତନ ଏବଂ ଅନୁକୂଳନ – ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଚାହିଦାରେ ଉନ୍ନତି ହେଉଛି, ଯେତେବେଳେ ସହରାଞ୍ଚଳରେ ଚାହିଦା ବର୍ତ୍ତମାନ ଟିକେ ଧୀର ଅଛି, କିନ୍ତୁ ଆଗାମୀ ତ୍ରୈମାସିକରେ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପୁରୀ ଆହୁରି କହିଛନ୍ତି, ଆଗାମୀ ସମୟରେ ସୁଧ ହାର ଆହୁରି ହ୍ରାସ ପାଇବାର ଆଶା କରାଯାଉଛି, ଯାହା ନିବେଶ ଏବଂ ବ୍ୟବହାରକୁ ଆହୁରି ବୃଦ୍ଧି କରିବ।