ସିଡ୍ନୀ/ବେଜିଂ: କ୍ବାଡ଼ ରାଷ୍ଟ୍ର (ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା) ମଧ୍ୟରେ ମାଲାବାର ଯୁଦ୍ଧାଭ୍ୟାସ ଜାରି ରହିଛି। ଏହାକୁ ନେଇ ଶତ୍ରୁ ରାଷ୍ଟ୍ର ଚୀନ୍ ଭୟଭୀତ ହୋଇଯାଇଛି। ଦକ୍ଷିଣ ଚୀନ୍ ସାଗରରେ କର୍ତ୍ତୃତ୍ବ ଜାହିର କରିବାକୁ ଉଦ୍ୟମ କରୁଥିବା ଡ୍ରାଗନ୍ର ନିଦ ହଜି ଯାଇଛି। ଚୀନ୍ ଏପରି ଡରି ଯାଇଛି ଯେ ଅଷ୍ଟ୍ରେଲିଆରେ ଚାଲିଥିବା ଏହି ଯୁଦ୍ଧାଭ୍ୟାସ ଉପରେ ନଜର ରଖିବାକୁ ନିଜର ଶହ ଶହ ଲୋଅର ଅର୍ବିଟ ସାଟେଲାଇଟ ମୁତୟନ କରିଛି। ୩୦୦ ଉପଗ୍ରହ ଏବଂ ୩ ହଜାର ବିମାନ ଦ୍ବାରା ପର୍ଯ୍ୟବେକ୍ଷଣ କରୁଛି।
ରିପୋର୍ଟ ଅନୁଯାୟୀ, ଜୁଲାଇ ୨୨ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିଥିବା ଟେଲିସମ୍ୟାନ ସେବର ଏବଂ ଏବେକାର ମାଲାବାର ଯୁଦ୍ଧାଭ୍ୟାସ ପାଇଁ ଚୀନ୍ ଅଷ୍ଟ୍ରେଲିଆ ଉପରେ ନଜର ରଖିଛି। ଏହି ସମୟରେ ସିଡ୍ନୀ ବନ୍ଦରରେ ଥିବା ଯୁଦ୍ଧ ଜାହାଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥିଲା। କମର୍ସିଆଲ ସ୍ପେସ୍ ଡାଟା ଆଧାରରେ ଏହି ସୂଚନା ଦିଆଯାଇଛି। ଇଓଏସ୍ ସ୍ପେସ୍ ସିଷ୍ଟମ ଡିଫେନ୍ସ କମ୍ପାନୀର ଜେମ୍ସ ବେନେଟ କହିଛନ୍ତି ଯେ ୩୦୦ ଉପଗ୍ରହ ଏବଂ ୩ ହଜାର ବିମାନ ଦ୍ବାରା ମାଲାବାର ଯୁଦ୍ଧାଭ୍ୟାସର ସର୍ଭେ କରାଯାଇଛି। ଏହା ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରାଳୟ ଜରୁରୀ ପଦକ୍ଷେପ ଗ୍ରହଣ କରୁଛି। ଅନ୍ୟ ଦେଶର ଯୁଦ୍ଧ ଜାହାଜକୁ ଚୀନ୍ ନଜରରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଚୀନ୍ ଉପଗ୍ରହ ଉପରେ ମଧ୍ୟ ନଜର ରଖାଯାଇଛି। ଡ୍ରାଗନ୍ ପୂର୍ବରୁ ମଧ୍ୟ ଏପରି କରିଛି। ୨୦୦୭ରେ ମଧ୍ୟ ଚୀନ୍ ମାଲାବାର ଯୁଦ୍ଧାଭ୍ୟାସ ଉପରେ ନଜର ରଖିବାକୁ ଭାରତ ମହାସାଗରକୁ ଗୁଇନ୍ଦା ଜାହାଜ ପଠାଇ ଥିଲା। ୨୦୧୪ରେ ମଧ୍ୟ ବଙ୍ଗୋପସାଗରକୁ ଏପରି ଏକ ଜାହାଜ ପଠାଇ ଥିଲା।
ମାଲାବାର ଯୁଦ୍ଧାଭ୍ୟାରେ ଭାରତ ପକ୍ଷରୁ ଆଇଏନ୍ଏସ୍ କୋଲକାତା ଏବଂ ସୟାଦ୍ରି ସାମିଲ ହୋଇଛି। ଏହି ଯୁଦ୍ଧାଭ୍ୟାସ ଗତ ୧୧ ତାରିଖରେ ଆରମ୍ଭ ହୋଇଥିଲା। ସୋମବାର ଏହା ଶେଷ ହେବ। ୨ଟି ପର୍ଯ୍ୟାୟରେ ଯୁଦ୍ଧାଭ୍ୟାସ ଚାଲିଛି। ପ୍ରଥମେ ବନ୍ଦରରେ ଏବଂ ପରେ ଗଭୀର ସମୁଦ୍ରରେ ମିତ୍ର ରାଷ୍ଟ୍ର ଶକ୍ତି ପ୍ରଦର୍ଶନ କରୁଛନ୍ତି। କ୍ବାଡ ରାଷ୍ଟ୍ରର ବହୁ ଘାତକ ଅସ୍ତ୍ରଶସ୍ତ୍ର ଏଥିରେ ସାମିଲ ହୋଇଛି। ଅନ୍ୟପକ୍ଷରେ କ୍ବାଡ ସହିତ ଆମେରିକା, ଜାପାନ, ଦକ୍ଷିଣ କୋରିଆ ଶିଖର ବାର୍ତ୍ତାକୁ ନେଇ ଚୀନ୍ ବିଚଳିତ ହୋଇଯାଇଛି। ଏହାର ଜବାବ ଦେବା ପାଇଁ ତାଇୱାନକୁ ଘେରିବା ପାଇଁ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏହି ପଦକ୍ଷେପ ଦ୍ବାରା ଦକ୍ଷିଣ ଚୀନ୍ ସାଗରରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ସେହିପରି ଚୀନ୍କୁ ପ୍ରତି ଜବାବ ଦେବାକୁ ଆମେରିକା ଅନେକ ଯୁଦ୍ଧ ଜାହାଜ ଏବଂ ଟୋହି ବିମାନକୁ ଦକ୍ଷିଣ ଚୀନ୍ ସାଗରରେ ମୁତୟନ କରିଛି।