ବେଜିଂ: ଜନ୍ମହାର ହ୍ରାସକୁ ନେଇ ଚୀନ୍ ସରକାରଙ୍କ ନିଦ ହଜି ଯାଇଛି। ଆର୍ଥିକ ସ୍ଥିତି ଏବଂ ଅନ୍ୟ କୌଣସି କାରଣରୁ ବିବାହ କରିବାକୁ ଅମଙ୍ଗ ହେଉଥିବା ଯୁବ ପିଢିଙ୍କୁ ଆକୃଷ୍ଟ କରିବା ଲାଗି ସି ଜିନପିଙ୍ଗଙ୍କ ସରକାର ନିଆରା ପଦକ୍ଷେପ ନେଇଛନ୍ତି। ସନ୍ତାନ ଜନ୍ମ କଲେ ମାତାପିତାଙ୍କୁ ସରକାର ୧.୩୦ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରମାଗତ ଭାବେ ଜନ୍ମହାର ହ୍ରାସକୁ ନେଇ ଚିନ୍ତିତ ଚୀନ୍ ସରକାର ସନ୍ତାନ ଜନ୍ମ ପରେ ମାତାପିତାଙ୍କୁ କ୍ରମାଗତ ତିନି ବର୍ଷ ପର୍ଯ୍ୟନ୍ତ ୩୬୦୦ ୟୁଆନ (ପ୍ରାୟ ୪୪ ହଜାର ଟଙ୍କା) ପ୍ରଦାନ କରିବେ। ଏବେ ଚୀନ୍ର ୨୧ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ବ । ପ୍ରାୟ ଦଶନ୍ଧି ତଳେ ଚୀନ୍ ନିଜର ବିବାଦୀୟ ଏକ ସନ୍ତାନ ନୀତିକୁ ପ୍ରତ୍ୟାହାର କରି ନେଇଥିଲା। ଏହା ସତ୍ତ୍ବେ ଜନ୍ମହାର ହ୍ରାସ ପାଇ ଚାଲିଥିଲା।
ବିଶ୍ବର ବୃହତ୍ତ ରାଷ୍ଟ୍ରଙ୍କ ମଧ୍ୟରେ ଚୀନ୍ର ଜନ୍ମହାର ସବୁଠୁ କମ୍ ରହିଛି। ୨୦୧୬ରେ ଚୀନ୍ରେ ୧.୮ କୋଟି ଶିଶୁ ଜନ୍ମ ହୋଇଥିଲେ। ୨୦୨୩ରେ ଏହି ସଂଖ୍ୟା ୯୦ ଲକ୍ଷକୁ ଖସି ଆସିଥିଲା। କେବଳ ୭ ବର୍ଷରେ ଏହି କମ୍ୟୁନିଷ୍ଟ ରାଷ୍ଟ୍ରରେ ଜନ୍ମହାର ୫୦ ପ୍ରତିଶତ ହ୍ରାସ ପାଇଛି। ମୃତ୍ୟୁ ହାରଠାରୁ ଜନ୍ମ ହାର କମ୍ ଥିବାରୁ ମୋଟ ହ୍ରାସ ଧାରା ଜାରି ରହିଛି।