ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଚନ୍ଦ୍ରଯାନ-୩ ଟିମ୍‌କୁ ୟୁଏସ୍ ଆୱାର୍ଡ

ହଷ୍ଟନ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ମହତ୍ତ୍ବପୂର୍ଣ୍ଣ ଅବଦାନ ରଖିଥିବା ଟିମକୁ ଅନ୍ତରୀକ୍ଷ ଅଭିଯାତ୍ରା ଓ ଅନ୍ବେଷଣ ପାଇଁ ଆମେରିକା(ୟୁଏସ୍)ର ସ୍ପେସ୍ ଫାଉଣ୍ଡେସନ ପକ୍ଷରୁ ୨୦୨୪ ଜନ୍ ଏଲ. ଜାକ୍ ସ୍ବିଗେର୍ଟ ଜୁନିଅର୍ ଆୱାର୍ଡ ମିଳିଛି। ଗତବର୍ଷ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁ ପୃଷ୍ଠରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ରୋଭର ‘ପ୍ରଜ୍ଞାନ’କୁ ନେଇ ସଫଳତାର ସହ ଅବତରଣ କରିବାକୁ ସକ୍ଷମ ହୋଇଥିଲା। କୌଣସି […]

ହଷ୍ଟନ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ମହତ୍ତ୍ବପୂର୍ଣ୍ଣ ଅବଦାନ ରଖିଥିବା ଟିମକୁ ଅନ୍ତରୀକ୍ଷ ଅଭିଯାତ୍ରା ଓ ଅନ୍ବେଷଣ ପାଇଁ ଆମେରିକା(ୟୁଏସ୍)ର ସ୍ପେସ୍ ଫାଉଣ୍ଡେସନ ପକ୍ଷରୁ ୨୦୨୪ ଜନ୍ ଏଲ. ଜାକ୍ ସ୍ବିଗେର୍ଟ ଜୁନିଅର୍ ଆୱାର୍ଡ ମିଳିଛି। ଗତବର୍ଷ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁ ପୃଷ୍ଠରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ରୋଭର ‘ପ୍ରଜ୍ଞାନ’କୁ ନେଇ ସଫଳତାର ସହ ଅବତରଣ କରିବାକୁ ସକ୍ଷମ ହୋଇଥିଲା। କୌଣସି ଦେଶର ଅନ୍ତରୀକ୍ଷ ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ତାହା ପ୍ରଥମ ଥିଲା।

ପୁଣି ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିପାରିବାରେ ଭାରତ ହୋଇଥିଲା ଆମେରିକା, (ପୂର୍ବର)ସୋଭିଏତ ସଂଘ ଓ ଚୀନ ପଛକୁ ବିଶ୍ବର ଚତୁର୍ଥ ଦେଶ। ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ସଫଳତାର ସହ ଅବତରଣ କରିଥିଲା, ସେହିସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଶିବଶକ୍ତି’ ନାମକରଣ କରିଥିଲେ। ସେହି ‘ଶିବଶକ୍ତି’ ନାମକରଣକୁ ଇତିମଧ୍ୟରେ ଅନ୍ତରୀକ୍ଷ ବସ୍ତୁ/ଗ୍ରହ/ଗ୍ରହପୁଞ୍ଜ/ ଉପଗ୍ରହ/ ଧୂମକେତୁ/ ଉଲକାପିଣ୍ଡ ଆଦିର ନାମକରଣ କରୁଥିବା ଅନ୍ତର୍ଜାତୀୟ ସଂସ୍ଥା ସ୍ବୀକୃତି ଦେଇସାରିଛି। ପୁଣି ମୁନ୍ ଲ୍ୟାଣ୍ଡର ‘ବିକ୍ରମ’ର ସଫଳ ଅବତରଣ ଦିବସ ଅଗଷ୍ଟ ୨୩କୁ ଜାତୀୟ ଅନ୍ତରୀକ୍ଷ ଦିବସ ଭାବେ ପାଳନ କରାଯିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।

ହଷ୍ଟନସ୍ଥିତ ଭାରତୀୟ ବାଣିଜ୍ୟଦୂତାବାସର କନସଲ ଜେନେରାଲ ଡିସି ମଞ୍ଜୁନାଥ ଗତ ସୋମବାର ଦିନ କଲରାଡୋରେ ବାର୍ଷିକ ସ୍ପେସ୍ ସିମ୍ପୋଜିୟମର ଉଦଘାଟନୀ ଉତ୍ସବରେ ସ୍ପେସ୍ ଫାଉଣ୍ଡେସନ୍ ସିଇଓ ହିଥର ପ୍ରିଙ୍ଗଲେଙ୍କଠାରୁ ଇସ୍ରୋ ଚନ୍ଦ୍ରଯାନ-୩ ଟିମ୍ ପାଇଁ ଆୱାର୍ଡ ଗ୍ରହଣ କରିଥିଲେ। ଇସ୍ରୋ ଟିମ୍ ଏହି ଆୱାର୍ଡ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ବିଷୟରେ ସ୍ପେସ୍ ଫାଉଣ୍ଡେସନ୍ ଗତ ଜାନୁଆରୀରେ ଘୋଷଣା କରିଥିଲା। ଅନ୍ତରୀକ୍ଷ ଗବେଷଣାରେ ଭାରତର ନେତୃତ୍ବ ବିଶ୍ବ ପାଇଁ ପ୍ରେରଣାଦାୟୀ ବୋଲି ସେତେବେଳେ ସ୍ପେସ୍ ଫାଉଣ୍ଡେସନ୍ ସିଇଓ ହିଥର ପ୍ରିଙ୍ଗଲେ କହିଥିଲେ।

About The Author: The Sakala