ନୂଆଦିଲ୍ଲୀ : ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଗୁରୁବାର ରାତିରେ ପାଲାମ ବାୟୁସେନା ଘାଟୀରେ ଶ୍ରଦ୍ଧାଜ୍ଞଳି ଦିଆଯାଇଛି। ସମସ୍ତ ମୃତକଙ୍କ ମରଶରୀରକୁ ତାମିଲନାଡୁର ୱେଲିଙ୍ଗଟନସ୍ଥିତ ମାଡ୍ରାସ ରେଜିମେଣ୍ଟ ସେଣ୍ଟରରୁ ସୁଲୁର ବାୟୁସେନା ଘାଟୀକୁ ଅଣାଯିବା ପରେ ସେଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା। ରାତି ପ୍ରାୟ ୮ଟା ବେଳେ ଏହି ବିମାନ ପାଲାମ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସିଡିଏସ ବିପିନ ରାୱତଙ୍କ ସମେତ ସମସ୍ତ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲାମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ସିଡିଏସ ବିପିନ ରାୱତଙ୍କ ମର ଶରୀର ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଅନ୍ୟ ସମସ୍ତ ମର ଶରୀର ନିକଟରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେନା ମୁଖ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଦିବଂଗତ ଯୋଦ୍ଧାଙ୍କ ମର ଶରୀର ନିକଟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସିଡିଏସ୍ ବିପିନ ରାୱତଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ଦିବଂଗତ ଯୋଦ୍ଧାଙ୍କ ପରିବାର ସଦସ୍ୟ ମଧ୍ୟ ଏଠାରେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ପରିବାରର ସଦସ୍ୟମାନଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏହାପରେ ସିଡିଏସ ବିପିନ ରାୱତଙ୍କ ମରଶରୀରକୁ ସିଡିଏସ କରାଜ ମାର୍ଗସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ସେଠାରେ ଆସନ୍ତାକାଲି ସର୍ବସାଧାରଣଙ୍କ ସମେତ ସେନା ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ପରିସରରେ ସିଡିଏସ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅନ୍ତିମ ସଂସ୍କାର କରାଯିବ। ଏହାବ୍ୟତୀତ ବ୍ରିଗେଡିୟର ଏଲ ଏସ ଲିଡରଙ୍କ ଶେଷକୃତ୍ୟ ମଧ୍ୟ ଦିଲ୍ଲୀ କାଣ୍ଟନମେଣ୍ଟରେ ଅନୁଷ୍ଠିତ ହେବ। ସିଡିଏସ ବିପିନ ରାୱତଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ସେନା ପକ୍ଷରୁ ପ୍ରସ୍ତୁତି ହୋଇସାରିଛି।