୪୦୦ ବର୍ଷ ତଳର ସୁନା ମୁଦ୍ରା ଖୋଜୁଛି ସିବିଆଇ

ନୂଆଦିଲ୍ଲୀ :  ଦେଶର ଚର୍ଚ୍ଚିତ ଦୁର୍ନୀତି, ହତ୍ୟା, ଦୁଷ୍କର୍ମ, ଅପହରଣ ଆଦି ମାମଲାର ତଦନ୍ତ କରୁଥିବା ସିବିଆଇକୁ ଏବେ ୧୨୬ କୋଟି ଟଙ୍କାର ମୁଦ୍ରା ଖୋଜିବା ଦାୟିତ୍ବ ଦିଆଯାଇଛି। ଏହା କୌଣସି ସାଧାରଣ ମୁଦ୍ରା ନୁହେଁ। ଏହା ୪୦୦ ବର୍ଷ ତଳର ୧୨ କିଗ୍ରାର ସୁନା ମୁଦ୍ରା। ଶେଷଥର ପାଇଁ ୧୯୮୭ରେ ଏହା ହାଇଦରାବାଦର ନିଜାମ ମୁକରମଙ୍କ ନିକଟରେ ଥିଲା। ପରେ ସ୍ବିଜରଲାଣ୍ଡରେ ଏହି ମୁଦ୍ରାକୁ ନିଲାମ କରାଯାଇଥିବା ଖବର ଆସିଥିଲା। ଏହା ପରଠାରୁ ମୁଦ୍ରାର କିଛି […]

ନୂଆଦିଲ୍ଲୀ :  ଦେଶର ଚର୍ଚ୍ଚିତ ଦୁର୍ନୀତି, ହତ୍ୟା, ଦୁଷ୍କର୍ମ, ଅପହରଣ ଆଦି ମାମଲାର ତଦନ୍ତ କରୁଥିବା ସିବିଆଇକୁ ଏବେ ୧୨୬ କୋଟି ଟଙ୍କାର ମୁଦ୍ରା ଖୋଜିବା ଦାୟିତ୍ବ ଦିଆଯାଇଛି। ଏହା କୌଣସି ସାଧାରଣ ମୁଦ୍ରା ନୁହେଁ। ଏହା ୪୦୦ ବର୍ଷ ତଳର ୧୨ କିଗ୍ରାର ସୁନା ମୁଦ୍ରା। ଶେଷଥର ପାଇଁ ୧୯୮୭ରେ ଏହା ହାଇଦରାବାଦର ନିଜାମ ମୁକରମଙ୍କ ନିକଟରେ ଥିଲା। ପରେ ସ୍ବିଜରଲାଣ୍ଡରେ ଏହି ମୁଦ୍ରାକୁ ନିଲାମ କରାଯାଇଥିବା ଖବର ଆସିଥିଲା। ଏହା ପରଠାରୁ ମୁଦ୍ରାର କିଛି ଖୋଜ୍‌ଖବର ମିଳିନାହିଁ।

ସୂଚନା ଅନୁଯାୟୀ ଜାହାଙ୍ଗୀର ନିଜର ଆତ୍ମକଥା ତୁଜୁକ-ଇ-ଜାହାଙ୍ଗୀରରେ ହଜାରେ ତୋଳା ଅର୍ଥାତ୍‌ ପ୍ରାୟ ୧୨ କେଜି ସୁନାରେ ତିଆରେ ମୁଦ୍ରା ବିଷୟରେ ଉଲ୍ଲେଖ କରିଥିଲେ। ସେ ଇରାନୀ ଶାହାଙ୍କ ଦୂତ ୟାଦଗାର ଅଲିକୁ ଏହି ମୁଦ୍ରା ଉପହାର ଦେଇଥିଲେ। ପାର୍ସୀ କ୍ୟାଲେଣ୍ଡର ଅନୁଯାୟୀ ଜାହାଙ୍ଗୀରଙ୍କ ଶାସନ କାଳର ଅଷ୍ଟମ ବର୍ଷର ୧୯ ତାରିଖ (ଫରବରଦିନ)କୁ ଆସିଥିଲା। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଏହା ୧୬୧୨ ମସିହା ଏପ୍ରିଲ ୧୦ ତାରିଖ ହେବ। ଅର୍ଥାତ୍‌ ଏବେ ଏହି ଘଟଣାକୁ ୪୧୦ ବର୍ଷ ବିତିଗଲାଣି। ୟାଦଗାର ଅଲି ଏହି ମୁଦ୍ରା ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ସୁନା ମୁଦ୍ରାର ବ୍ୟାସ ୨୦.୩ ସେମି ଏବଂ ଓଜନ ୧୧,୯୩୫.୮ ଗ୍ରାମ ବୋଲି ଲେଖିଥିଲେ। ଏହାକୁ ଆଗ୍ରାରେ ପ୍ରସ୍ତୁତ କରାଯାଇଥିଲା। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଶାନ୍ତାନୁ ସେନ୍‌ ନିଜ ପୁସ୍ତକରେ ସିବିଆଇର ତଦନ୍ତ ଆଧାରରେ ଲେଖିଛନ୍ତି ଯେ ଜାହାଙ୍ଗୀର ୧୨ କେଜିର ଗୋଟିଏ ନୁହେଁ, ବରଂ ୨ଟି ମୁଦ୍ରା ବନାଇ ଥିଲେ। ଏଥିରୁ ଗୋଟିଏ ୟାଦଗାର ଅଲିଙ୍କୁ ଦେଇଥିଲେ ଏବଂ ଅନ୍ୟଟି ହାଇଦରାବାଦ ନିଜାମଙ୍କ ସମ୍ପତ୍ତି ପାଲଟି ଯାଇଥିଲା। ଏହାର କାହାଣୀ ମଧ୍ୟ ଅତ୍ୟନ୍ତ କୌତୁହଳପ୍ରଦ। ଇଶ୍ବରଦାସ ନାଗରଙ୍କ ପୁସ୍ତକ ଫତହୁତ-ଇ- ଆଲମଗିରି ଅନୁଯାୟୀ ୧୬୯୫ରେ ଔରଙ୍ଗଜେବଙ୍କ ପୁଅ ଶାହା ଆଲାମ ବିଜାପୁର କବ୍‌ଜା ଲାଗି ବାହାରିଥିଲେ। ତେବେ ତାଙ୍କ ପାଖରେ ଖାଦ୍ୟପଦାର୍ଥ ଅଭାବ ଦେଖା ଦେଇଥିଲା। ଔରଙ୍ଗଜେବଙ୍କ ମାନସବଦର ଗାଜିଉଦିନ ଖାନ ବାହାଦୁର ଫିରୋଜ ଜଙ୍ଗ ତାଙ୍କ ସେନାକୁ ଖାଦ୍ୟ ଯୋଗାଇ ଥିଲେ। ଔରଙ୍ଗଜେବ ଏଥିରେ ସନ୍ତୁଷ୍ଟ ହୋଇ ଗାଜିଉଦିନଙ୍କୁ ହଜାର ତୋଳାର ସୁନା ମୁଦ୍ରା ଦେଇଥିଲେ।ଏହି ମୁଦ୍ରା ଗାଜିଉଦିନଙ୍କ ପୁଅ ନିଜାମ-ଉଲ-ମୁଲ୍କ ଜାହଙ୍କ ନିକଟରେ ପହଞ୍ଚି ଥିଲା। ସେ ହାଇଦରାବାଦର ପ୍ରଥମ ନିଜାମ ଥିଲେ।

ଭାରତର ସ୍ବାଧୀନତା ପର୍ଯ୍ୟନ୍ତ ଏହା ଜାହଙ୍କ ବଂଶଧରଙ୍କ ପାଖରେ ଥିଲା। ପରେ ହାଇଦରାବାଦର ଶେଷ ନିଜାମ ମିର ଉସମାନ ଅଲି ଖାନଙ୍କ ମାଧ୍ୟମରେ ଏହା ତାଙ୍କ ବଂଶଧର ମୁକରମ ଶାହାଙ୍କ ନିକଟରେ ପହଞ୍ଚିଥିଲା। ଧିରେ ଧିରେ ଏହାର ଚର୍ଚ୍ଚା ଶେଷ ହୋଇଯାଇଥିଲା। ୧୯୮୭ରେ ସ୍ବିଜରଲାଣ୍ଡରେ ଏକ ମୂଲ୍ୟବାନ ସୁନା ନିଲାମ ହେଉଥିବାର ସୂଚନା ଭାରତ ସରକାରଙ୍କୁ ମିଳିଥିଲା। ସେଠାରେ ଥିବା ଭାରତୀୟ ଅଧିକାରୀମାନେ ସରକାରଙ୍କୁ କହିଥିଲେ ଯେ ଜେନେଭାର ହୋଟେଲ ମୋଗାରେ ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଥିବା ନିଲାମକାରୀ ଫେଲ୍ଡମ୍ୟାନ ଏସଏ ୧୧,୯୩୫.୮ ଗ୍ରାମ ଓଜନର ସୁନା ମୁଦ୍ରା ନିଲାମ କରୁଛନ୍ତି। ୧୯୮୭ ନଭେମ୍ବର ୯ରେ ପ୍ୟାରିସର ଇଣ୍ଡୋସ୍ବେଜ ବ୍ୟାଙ୍କର ଜେନେଭା ଶାଖାରେ ଏହାର ନିଲାମ ହେବାର ଥିଲା। ଏହା ଜଣାପଡିବା ପରେ ସରକାର ଅନୁସନ୍ଧାନ ପାଇଁ ସିବିଆଇକୁ ଲଗାଇ ଥିଲେ। ମୁଦ୍ରାର ସନ୍ଧାନରେ ସିବିଆଇ ସ୍ବିଜରଲାଣ୍ଡ ଯାଇଥିଲା।

ତେବେ ସିବିଆଇକୁ ଠୋସ୍‌ ପ୍ରମାଣ ମିଳି ନ ଥିଲା। କିନ୍ତୁ ଯାଞ୍ଚରୁ ଜଣାପଡିଥିଲା ଯେ ମୁକରମ ଜାହ ୧୯୮୭ରେ ୨ଟି ସୁନା ମୁଦ୍ରା ନିଲାମ କରିବାକୁ ପ୍ରୟାସ କରିଥିଲେ। ଏଥିରୁ ଗୋଟିଏ ମୁଦ୍ରା ୧୨ କେଜିର ଥିଲା। ୧୯୮୭ରେ ଏହାର ମୂଲ୍ୟ ୧୬ ମିଲିୟନ ଡଲାର ଥିଲା। ଏବେ ଏହା ପ୍ରାୟ ୧୨୬ କୋଟି ଟଙ୍କା ହେବ। ୩୫ ବର୍ଷ ତଳେ ସିବିଆଇ ଏହି ସୁନା ମୁଦ୍ରାକୁ ଖୋଜିବାରେ ବିଫଳ ହୋଇଥିଲା। ତେବେ ସରକାର ଗତ ମାସରେ ଏହି ମୁଦ୍ରା ସନ୍ଧାନର ଦାୟିତ୍ବ ସିବିଆଇକୁ ପ୍ରଦାନ କରିଥିଲେ। ସିବିଆଇ ଏଥିରେ କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଲା।

About The Author: The Sakala