ଭୁବନେଶ୍ୱର: ୨.୦୭ କୋଟି ଟଙ୍କାର ‘ଡିଜିଟାଲ୍ ଆରେଷ୍ଟ’ ସାଇବର ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଓଡ଼ିଶା ଏବଂ ରାଜସ୍ଥାନର ୭ଟି ସ୍ଥାନରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସିବିଆଇ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଶାର ହୋଇଥିବା ବେଳେ ଜଣେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି।
ଏହି ମାମଲାଟି ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ପକ୍ଷରୁ ରୁଜୁ କରାଯାଇଥିଲା। ସୂଚନା ଅନୁଯାୟୀ, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଠକମାନେ ନିଜକୁ ଆଇନ ପ୍ରବର୍ତ୍ତନକାରୀ ଏବଂ ନିୟାମକ ଅଧିକାରୀ ଭାବେ ପରିଚୟ ଦେଇ ବିପୁଳ ପରିମାଣର ଅର୍ଥ ଲୁଟି ନେଇଥିଲେ। 'ଡିଜିଟାଲ୍ ଆରେଷ୍ଟ'ର ଭୟ ଦେଖାଇ ଅଭିଯୁକ୍ତମାନେ ତାଙ୍କଠାରୁ ୨.୦୭ କୋଟି ଟଙ୍କା ଠକି ନେଇଥିଲେ। ଗତ ଜୁନ୍ ୩୦ ତାରିଖରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଚଢ଼ାଉ କରାଯିବା ପରେ ଏହି ଗିରଫଦାରୀ ହୋଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବିବେକାନନ୍ଦ ଦୀକ୍ଷିତ ଏବଂ ଜୟନ୍ତ କୁମାର ଆଚାର୍ଯ୍ୟ। ଅନ୍ୟ ଜଣେ ଅଭିଯୁକ୍ତ ହେଉଛନ୍ତି ରାଜସ୍ଥାନର ନାଗୌର ଅଞ୍ଚଳର କହ୍ନୈୟା ଲାଲ। ସିବିଆଇର ରିପୋର୍ଟ ଅନୁଯାୟୀ, ଅପରାଧରୁ ମିଳିଥିବା ଅର୍ଥକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟ୍ରାନ୍ସଫର କରିବା ଏବଂ ଟଙ୍କାର ଉତ୍ସକୁ ଲୁଚାଇବା ପାଇଁ ଏହି ଅଭିଯୁକ୍ତମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଠକେଇ ହୋଇଥିବା ଟଙ୍କାକୁ ଏକ ଟ୍ରଷ୍ଟ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ଅର୍ଥ ହେରଫେର ବା ମନି ଲଣ୍ଡରିଂ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।