ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରୁ ‘ଏମଭି ଲୀଲା ନର୍ଫାଲକ’ ନାମକ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରାଯାଇଛି। ଅପହୃତ ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ଅପହୃତ ଜାହାଜକୁ ଖୋଜିବା ପାଇଁ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ନିୟୋଜିତ କରିଛି । ଏନେଇ ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।
ଭାରତୀୟ ନୌସେନା ଅଧିକାରୀଙ୍କ କହିବା ଅନୁଯାୟୀ ଅପହରଣ ହୋଇଥିବା ଜାହାଜର ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଏହି ଜାହାଜର ଅପହରଣ ସମ୍ପର୍କରେ ସୂଚନା ମିଳିଥିଲା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଏହି ଜାହାଜରେ ଲାଇବେରିଆର ପତାକା ଲାଗିଛି | ଭାରତୀୟ ନୌସେନା ବିମାନ ଲଗାତାର ଅପହୃତ ଜାହାଜର ଚାଳକ ଦଳ ସହ ଯୋଗାଯୋଗ ସ୍ଥାପନ କରିବାରେ ସକ୍ଷମ ସୋଇଛି | ଚାଳକ ଦଳର ସବୁ ସଦସ୍ୟ ଜାହାଜ ଭିତରେ ସୁରକ୍ଷିତ ଅଛନ୍ତି |
ସୋମାଲିଆ ନିକଟରେ ଜାହାଜ ଅପହରଣ ଘଟଣା ନୂଆ ନୁହେଁ। ନିକଟରେ ସୋମାଲିଆର ଜଳଦସ୍ୟୁ ଆରବ ସାଗରରେ ମାଲ୍ଟାର ଏକ ଜାହାଜ ଏମ.ଭି ରୁଏନକୁ ହାଇଜାକ୍ କରିଥିଲେ। ପରେ ଭାରତୀୟ ନୌସେନା ଉଦ୍ୟମରେ ଜାହାଜକୁ ଉଦ୍ଧାର କରାଯାଇଥିଲା ।