ଦିଲ୍ଲୀ ବିଧାନସଭା ପରିସରରେ ଏକ ବଡ଼ ଧରଣର ସୁରକ୍ଷା ଉଲ୍ଲଂଘନ ଦେଖିବାକୁ ମିଳିଛି। ସୋମବାର (ଏପ୍ରିଲ ୬) ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ କାର୍ ଜୋରଜବରଦସ୍ତ ବିଧାନସଭା ପରିସରର ଲୁହା ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ଏହି ଅଭାବନୀୟ ଘଟଣାକୁ ନେଇ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଚସ୍ପତିଙ୍କ ଅଫିସ୍ ଆଗରେ ରଖିଲେ ଫୁଲତୋଡ଼ା
ରିପୋର୍ଟ ଅନୁଯାୟୀ, ଗେଟ୍ ଭାଙ୍ଗିବା ପରେ ଉକ୍ତ କାର୍ର ଡ୍ରାଇଭର ସିଧାସଳଖ ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଇଥିଲେ। ସେଠାରେ ଥିବା ପୋର୍ଚ ନିକଟରେ ସେ ଏକ ଫୁଲତୋଡ଼ା ରଖିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ କାର୍ଟିରେ ଉତ୍ତରପ୍ରଦେଶ (UP)ର ରେଜିଷ୍ଟ୍ରେସନ୍ ନମ୍ବର ଥିବା ଜଣାପଡ଼ିଛି।
ଘଟଣାର ତଦନ୍ତ ଜାରି
ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ କଡ଼ାକଡ଼ି କରାଯାଇଛି। ବିଧାନସଭାର ଅଧିକାରୀଙ୍କ କହିବା ଅନୁଯାୟୀ, କର୍ତ୍ତୃପକ୍ଷ ଏହାକୁ ଏକ ସମ୍ଭାବ୍ୟ ସୁରକ୍ଷା ଉଲ୍ଲଂଘନ ଭାବରେ ଗ୍ରହଣ କରିଛନ୍ତି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଏତେ କଡ଼ା ସୁରକ୍ଷାବଳୟ ଭେଦ କରି କାର୍ଟି କିପରି ଭିତରକୁ ପ୍ରବେଶ କଲା ଏବଂ ଅଭିଯୁକ୍ତଙ୍କ ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା, ସେ ନେଇ ପୋଲିସ ଓ ସୁରକ୍ଷା ଏଜେନ୍ସି ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଛି।