ପେଶାଓ୍ବର: ଶୁକ୍ରବାର ପାକିସ୍ତାନର ପେଶାୱାରରେ ଥିବା ଏକ ମସଜିଦ୍ରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ମସଜିଦ୍ରେ ସମୂହ ନମାଜ ପାଠ ଚାଲିଥିବା ବେଳେ ହଠାତ ଏହି ବିସ୍ଫୋରଣ ହୋଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଆହତଙ୍କୁ ପେଶାଓ୍ବର ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଏହା ପଛରେ କାହାର ହାତ ରହିଛି ଏଯାବତ ସ୍ପଷ୍ଟ ହୋଇନାହିଁ ।
ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ପହଞ୍ଚି ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରୁଛନ୍ତି। ଆତ୍ମଘାତୀ କିମ୍ବା ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଯୋଗୁ ବିସ୍ଫୋରଣ ଘଟିଥାଏ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।