ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସ୍ନାକ୍ସ ବ୍ରାଣ୍ଡ୍ ବିକାଜୀ ଫୁଡ୍ସ ଇଣ୍ଟରନ୍ୟାସନାଲ୍ (Bikaji Foods International) ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶିବ ରତନ ଅଗ୍ରୱାଲ ଙ୍କର ଗୁରୁବାର ଦିନ ଚେନ୍ନାଇଠାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏକ ହୃଦଘାତ କାରଣରୁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ସେ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ପରିବାର ସହ ଚେନ୍ନାଇ ଯାଇଥିଲେ।

ସୂତ୍ରରୁ ପ୍ରକାଶ ଯେ, ନିକଟରେ ଶିବ ରତନ ଅଗ୍ରୱାଲଙ୍କ ପତ୍ନୀଙ୍କର ହାର୍ଟ ବାଇପାସ୍ ସର୍ଜରୀ ହୋଇଥିଲା ଏବଂ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ପତ୍ନୀଙ୍କ ସୁସ୍ଥତା ସମୟରେ ପରିବାର ଲୋକେ ଚେନ୍ନାଇର ଏକ ହୋଟେଲରେ ରହୁଥିଲେ। ଗୁରୁବାର ସକାଳ ପ୍ରାୟ ୭:୩୦ ମିନିଟ୍ ସମୟରେ ଅଗ୍ରୱାଲ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିକାନେରଠାରେ ବିକାଜୀ ବ୍ରାଣ୍ଡର ମୂଳଦୁଆ ପକାଇଥିଲେ ଶିବ ରତନ ଅଗ୍ରୱାଲ। ହଳଦିରାମ (Haldiram's) ସହ ଜଡ଼ିତ ପାରିବାରିକ ବ୍ୟବସାୟରୁ ଅଲଗା ହେବା ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ନିଜ ପୁଅ ଦୀପକ ଅଗ୍ରୱାଲଙ୍କ ନାମରେ 'ଶିବଦୀପ ଫୁଡ୍ସ ପ୍ରୋଡକ୍ଟସ୍' ଆରମ୍ଭ କରି ଭୁଜିଆ ଉତ୍ପାଦନ କ୍ଷେତ୍ରରେ ପାଦ ଦେଇଥିଲେ। ପରେ ୧୯୯୩ ମସିହାରେ ବିକାନେରର ପ୍ରତିଷ୍ଠାତା ରାଓ ବିକାଙ୍କ ନାମ ଅନୁସାରେ ଏହି କମ୍ପାନୀର ନାମକରଣ 'ବିକାଜୀ' ରଖାଯାଇଥିଲା। ଏହି ବ୍ରାଣ୍ଡ ଆଜି ଭାରତ ତଥା ବିଦେଶରେ ଏକ ପରିଚିତ ନାମ ପାଲଟିଛି।

ଶିବ ରତନ ଅଗ୍ରୱାଲଙ୍କ ବିୟୋଗରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ (X) ରେ ସେ ଲେଖିଛନ୍ତି ଯେ, ବିକାଜୀ ବ୍ରାଣ୍ଡ ମାଧ୍ୟମରେ ବିକାନେରର ଭୁଜିଆକୁ ଦେଶ ଓ ବିଦେଶରେ ପ୍ରସିଦ୍ଧି କରାଇଥିବା ଶିବ ରତନ ଅଗ୍ରୱାଲଙ୍କ ଦେହାନ୍ତ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

About The Author: Madhusudan Das