ନୂଆଦିଲ୍ଲୀ: ପାକିସ୍ତାନରୁ ନିଜ ସମ୍ପର୍କୀୟଙ୍କ ନିକଟକୁ ଭାରତର ବିଭିନ୍ନ ପ୍ରଦେଶକୁ ଆସିଥିବା ପାକିସ୍ତାନୀ ନାଗରିକଙ୍କୁ ଏବେ ଅତ୍ୟନ୍ତ ଦୁଃସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ପାକିସ୍ତାନରୁ ଲୋକମାନେ ବ୍ୟବସାୟ, ଫିଲ୍ମ, ଶିକ୍ଷା, ପ୍ରଶିକ୍ଷଣ, ପର୍ଯ୍ୟଟନ, ତୀର୍ଥକ୍ଷେତ୍ର ଏବଂ ‘ଭିସା-ଅନ-ଆରାଇଭାଲ’ ଭଳି ୧୨ଟି ଭିସା ଶ୍ରେଣୀରେ ଭାରତ ଆସିଥାଆନ୍ତି। କିନ୍ତୁ ଏପ୍ରିଲ ୨୨ ପହଲଗାମ୍ ଆତଙ୍କବାଦ ଘଟଣା ଏବେ ସେମାନଙ୍କ ପାଇଁ କାଳ ହୋଇଛି। ଏହି ଘଟଣା ପରେ ଭାରତ ସରକାର ତୁରନ୍ତ ପାକିସ୍ତାନୀ ନାଗରିକମାନଙ୍କୁ ଭାରତ ଛାଡି ନିଜ ଦୋକୁ ଚାଲିଯିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ବେଳେ ସେମାନଙ୍କୁ ଅପ୍ରତ୍ୟାଶିତ ଭାବେ ପାକିସ୍ତାନ ଫେରିବାକୁ ପଡ଼ିଛି। ଯାହାକୁ ନେଇ ପଞ୍ଜାବର ୱାଘା-ଅଟ୍ଟାରୀ ସୀମାରେ ବିଗତ ତିନି ଦିନ ହେଲା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକି କୌଣସି ଦିଗରୁ ମାନବସଙ୍କଟ ସ୍ଥିତି ଠାରୁ କିଛି କମ୍ ନୁହେଁ। ଭାରତରେ ରହିଥିବା ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ଅବଧି ଶେଷ ତାରିଖ ଏପ୍ରିଲ ୨୭ ତାରିଖ ରଖାଯାଇଥିବାରୁ ରବିବାର ଅଟ୍ଟାରୀ-ୱାଘା ସୀମାରେ ଶହ ଶହ ପାକିସ୍ତାନୀ ନାଗରିକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁ ପାକିସ୍ତାନୀ ନାଗରିକ ‘ ସାର୍କ’ ଭିସା ଦ୍ବାରା ଭାରତ ଆସିଥିଲେ ସେମାନଙ୍କ ପାଇଁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସମୟ ସୀମା ଏପ୍ରିଲ ୨୬ ତାରିଖ ରହିଥିଲା। ଯେଉଁମାନେ ଭାରତକୁ ଚିକିତ୍ସା ପାଇଁ ‘ ମେଡିକାଲ ଭିସା’ରେ ଭାରତ ଆସିଥିଲେ ସେମାନଙ୍କ ପାଇଁ ଭାରତ ସରକାର ଭିସା ରଦ୍ଦ ଅବଧି ଦୁଇ ଦିନ ବଢାଇ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ଭିସା ରଦ୍ଦ ଅବଧି ଏବଂ ପାକିସ୍ତାନ ଫେରିଯିବା ସମୟ ଏପ୍ରିଲ ୨୭ ରଖାଯାଇଥିବାରୁ ରବିବାର ୱାଘା ସୀମାରେ ପାକିସ୍ତାନୀ ନାଗରିକଙ୍କ ଭିଡ଼ ଜମିଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ରାଜ୍ୟ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଦେଶକୁ ଫେରିଯିବାକୁ କହିଥିଲା ବେଳେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଛଡ଼ା ସେମାନଙ୍କ ପାଇଁ ଅନ୍ୟ ବିକଳ୍ପ ନଥିଲା। ନଚେତ ପାକିସ୍ତାନୀ ନାଗରିକମାନଙ୍କୁ ‘ ପ୍ରବାସୀ ଏବଂ ବିଦେଶୀ ଆଇନ-୨୦୨୫’ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିଥାଆନ୍ତା। ତେଣୁ ରବିବାର ହିଁ ସର୍ବାଧିକ ପାକିସ୍ତାନୀ ନାଗରିକ ପାକିସ୍ତାନ ଫେରିଯାଇଛନ୍ତି। ହେଲେ ଏହି ସମୟରେ ସୀମାରେ ଯେଭଳି ପରିସ୍ଥିତି ଦେଖାଯାଇଥିଲା ତାହା ଅତ୍ୟନ୍ତ ଭାବାବେଗ ସୃଷ୍ଟି କରିଥିବା ଦେଖାଯାଇଛି। ଯେଉଁମାନେ ଭାରତ ଛାଡି ପାକିସ୍ତାନ ଫେରୁଥିଲେ ସେମାନଙ୍କୁ ଛାଡିବାକୁ ଆସିଥିବା ସମ୍ପର୍କୀୟମାନଙ୍କ ବୁକୁଭରା ରୋଦନ ସାଙ୍ଗକୁ ଝିଅ କିମ୍ବା ପୁଅ ନିଜ ମାଆ ଠୁ’ ଏବଂ ପତି ପତ୍ନୀ ଠାରୁ ଅଲଗା ହେବା ଘଟଣା ହେବାର ଦୃଶ୍ୟ ମଧ୍ୟ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥିବା ଦେଖାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ପଞ୍ଜାବ, ସିନ୍ଧ ଏବଂ ଖାଇବର ପଖତୁନଖ୍ବା ଆଦି ପ୍ରଦେଶରୁ ଅନେକ ପାକିସ୍ତାନୀ ନାଗରିକ ଭାରତର ପଞ୍ଜାବ, ଉତ୍ତରପ୍ରଦେଶ,ଦିଲ୍ଲୀ, ତେଲଙ୍ଗାନା, ରାଜସ୍ଥାନ ଏବଂ ଗୁଜରାଟ ଭଳି ଅନେକ ରାଜ୍ୟକୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟିବା ଲାଗି ବିଭିନ୍ନ ସମୟରେ ଆସିଥାଆନ୍ତି। ଏପରିକି ବହୁ ପାକିସ୍ତାନୀ ହିନ୍ଦୁ ନାଗରିକମାନେ ମଧ୍ୟ ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀକୁ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବରେ ଯୋଗ ଦେବାକୁ ଆସିଥାଆନ୍ତି। ଏହାବ୍ୟତୀତ ବହୁ ପାକିସ୍ତାନୀ ନାଗରିକ ଭାରତରେ ବିବାହ କରିଥିଲା ବେଳେ ବହୁ ଭାରତୀୟ ନାଗରିକ ମଧ୍ୟ ପାକିସ୍ତାନରେ ବିବାହ କରିଛନ୍ତି। କିନ୍ତୁ ପୂର୍ବରୁ କୌଣସି ଦମ୍ପତିଙ୍କ ଭିସା ବ୍ୟବସ୍ଥାକୁ ନେଇ କିଛି ସମସ୍ୟା ଦେଖାଯାଇ ନଥିଲା ବେଳେ ସାଂପ୍ରତିକ ସ୍ଥିତି ଏବେ ଭିନ୍ନ ପରିସ୍ଥିତି ଆଣିଛି। ଯଦି ଜଣେ ଭାରତୀୟ ପତ୍ନୀଙ୍କ ସ୍ବାମୀଙ୍କ ନାଗରିକତ୍ବ ପାକିସ୍ତାନର ହୋଇଥାଏ ତେବେ ସାଂପ୍ରତିକ ସ୍ଥିତିରେ ପତ୍ନୀ ନିଜ ପତିଙ୍କ ଠାରୁ ଅଲଗା ହେବାକୁ ପଡ଼ିଛି। ଫଳରେ ସେମାନଙ୍କ ପିଲାମାନେ କାହା ପାଖରେ ରହିବେ ତାହା ମଧ୍ୟ ଅନିଶ୍ଚିତ ହୋଇପଡ଼ିଛି। ଅନ୍ୟପକ୍ଷରେ ଭାରତ ଆସିଥିବା କେତେକ ପାକିସ୍ତାନୀ ନାଗରିକଙ୍କ ଭିସାକୁ ପାକିସ୍ତାନୀ କର୍ତ୍ତୃପକ୍ଷ ଏବେ ଗ୍ରହଣ କରୁ ନଥିବାରୁ ତାହା ମଧ୍ୟ ବଡ଼ ସମସ୍ୟା ଆଣିଛି। ଯେଉଁ କେତେକ ନାଗରିକଙ୍କୁ ପାକିସ୍ତାନ ନିଜ ଦେଶକୁ ନେବାକୁ ମନା କରିଦେଇଛି ସେମାନଙ୍କ ପିଲା ପାକିସ୍ତାନରେ ରହିଛନ୍ତି। ଫଳରେ ବହୁ ପରିବାର ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଭଳି ପରିସ୍ଥିତି ଉପୁଜିଛି।
ଓଡ଼ିଶାରେ ପ୍ରାୟ ୩୦ ବର୍ଷ କାଟିଥିବା ୫୫ ବର୍ଷୀୟା ସାରଦା ବାଈଙ୍କୁ ଭାରତ ଛାଡିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି। ସାରଦା ୧୯୭୦ରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥÒଲେ। ପାକିସ୍ତାନୀ ପାସପୋର୍ଟରେ ସେ ଭାରତ ଆସିବା ସହ ଏଠାରେ ଜଣେ ଭାରତୀୟଙ୍କୁ ବିବାହ କରିବା ପରେ ଓଡ଼ିଶାରେ ୩୦ ବର୍ଷ ଧରି ରହିଆସୁଛନ୍ତି। ସେ ଭାରତରେ ରହିବା ପରେ ବହୁବାର ଭାରତ ନାଗରିକତା ପାଇଁ ଆବେଦନ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ନାଗରିକତ୍ବ ମିଳି ନାହିଁ। ତାଙ୍କୁ ଭାରତ ଛାଡି ପାକିସ୍ତାନ ଯିବାକୁ କୁହାଯାଇଛି। ହେଲେ ସେ ୩୦ ବର୍ଷ ଭାରତରେ ବିତାଇଥିବାରୁ ପାକିସ୍ତାନ ମଧ୍ୟ ତାଙ୍କୁ ଗ୍ରହଣ କରିବ ନାହିଁ। ଏହାଛଡ଼ା ଏବେ ପାକିସ୍ତାନରେ ମଧ୍ୟ ତାଙ୍କର ଆଉ କେହି ନାହାନ୍ତି। ଏଭଳି ସ୍ଥିତିରେ ସାରଦାଙ୍କ ଭବିଷ୍ୟତ କ’ଣ ହେବ ତାହା ପ୍ରଶ୍ନ ସୃଷ୍ଟି କରିଛି। ସାରଦା କେବଳ ଏକ ଉଦାହରଣ। ସାଂପ୍ରତିକ ସ୍ଥିତିରେ ସାରଦାଙ୍କ ଭଳି ଅନେକ ଉଦାହରଣ ରହିଛନ୍ତି।