ଏୟାର ଇଣ୍ଡିଆ ବିମାନ AI 2379ରେ ଏକ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଛି। ଗତ ଅଗଷ୍ଟ ୪ ତାରିଖରେ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏହି ବିମାନଟି ମଝି ଆକାଶରେ ହଠାତ୍ ୩୦୦ ଫୁଟ୍ ତଳକୁ ଖସିପଡ଼ିଥିଲା। ପ୍ରଥମେ ଏହାକୁ କେବଳ ବାୟୁମଣ୍ଡଳୀୟ ଅଶାନ୍ତି (ଟର୍ବୁଲାନ୍ସ) ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ବିମାନ ନିର୍ମାତା କମ୍ପାନୀ ଏୟାରବସ୍ (Airbus)ର ପ୍ରାରମ୍ଭିକ ରିପୋର୍ଟରୁ ଏକ ଭୟଙ୍କର ସତ୍ୟ ପଦାକୁ ଆସିଛି। ଏହି ଘଟଣାରେ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୨୪ ଜଣ ଆହତ ହୋଇଥିଲେ।
ଏୟାରବସ୍ ରିପୋର୍ଟରୁ ବଡ଼ ଖୁଲାସା
ବିମାନର 'ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର୍' (ବ୍ଲାକ୍ ବକ୍ସ)ର ତଥ୍ୟ ଅନୁଯାୟୀ, ଉଡ଼ାଣ ସମୟରେ ବିମାନର ତିନୋଟି ଯାକ ମୁଖ୍ୟ ହାଇଡ୍ରୋଲିକ୍ ସିଷ୍ଟମ୍ (ଗ୍ରୀନ୍, ବ୍ଲୁ ଏବଂ ୟେଲୋ) ହଠାତ୍ କାମ କରିବା ବନ୍ଦ କରିଦେଇଥିଲା। ଫଳସ୍ୱରୂପ, ପ୍ରାୟ ୪ ସେକେଣ୍ଡ ପାଇଁ ପାଇଲଟଙ୍କ ହାତରୁ ବିମାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ (ଏଲିଭେଟର୍ସ, ଏଲେରନ୍ସ ଏବଂ ସ୍ପଏଲର୍ସ) ଚାଲିଯାଇଥିଲା। ଏହି ୪ ସେକେଣ୍ଡ ସମୟ ମଧ୍ୟରେ ବିମାନଟି ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ବାହାରେ ଥିଲା।
କକ୍ପିଟ୍ ଭିତରେ କ'ଣ ଘଟିଥିଲା?
ରିପୋର୍ଟ ଅନୁଯାୟୀ, ଯେତେବେଳେ ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ ମାରିଲା, ଅଟୋପାଇଲଟ୍ ସିଷ୍ଟମ୍ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା। କକ୍ପିଟ୍ରେ 'ଷ୍ଟଲ୍ ୱାର୍ଣ୍ଣିଂ' ଆସିବା ପରେ କୋ-ପାଇଲଟ୍ ବିମାନର ନାକ (Nose)କୁ ତଳକୁ କରିବା ପାଇଁ କଣ୍ଟ୍ରୋଲ୍ ଷ୍ଟିକ୍କୁ ଆଗକୁ ଠେଲିଥିଲେ। କିନ୍ତୁ ହାଇଡ୍ରୋଲିକ୍ ପାୱାର୍ ନଥିବାରୁ ବିମାନଟି ପ୍ରଥମେ କୌଣସି ପ୍ରତିକ୍ରିୟା ଦେଇନଥିଲା। ମାତ୍ର କିଛି ସେକେଣ୍ଡ ପରେ ଯେତେବେଳେ ହାଇଡ୍ରୋଲିକ୍ ପାୱାର୍ ଫେରିଆସିଲା, କୋ-ପାଇଲଟ୍ ଦେଇଥିବା ନିର୍ଦ୍ଦେଶ ହଠାତ୍ କାର୍ଯ୍ୟକାରୀ ହୋଇଥିଲା ଏବଂ ବିମାନଟି ଦ୍ରୁତ ବେଗରେ ୩୦୦ ଫୁଟ୍ ତଳକୁ ଖସିପଡ଼ିଥିଲା। ଏହି ହଠାତ୍ ଝଟକା ଯୋଗୁଁ ଯାତ୍ରୀମାନେ ଆହତ ହୋଇଥିଲେ।
ମୁଖ୍ୟ ପାଇଲଟଙ୍କ ନାମରେ ସାଂଘାତିକ ଅଭିଯୋଗ
ଏହି ବୈଷୟିକ ତ୍ରୁଟି ସହିତ ପାଇଲଟଙ୍କୁ ନେଇ ମଧ୍ୟ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସୂତ୍ର ଅନୁଯାୟୀ, ଘଟଣା ସମୟରେ ବିମାନର ପାଇଲଟ୍-ଇନ୍-କମାଣ୍ଡ (PIC) ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ କକ୍ପିଟ୍ ଚଟାଣରେ ବସି ରହିଥିଲେ। ସେ ନିଜେ ଚାଲିବା ସ୍ଥିତିରେ ମଧ୍ୟ ନଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଡୋପ୍ ଟେଷ୍ଟ୍ ରିପୋର୍ଟ (ଗଞ୍ଜେଇ ବ୍ୟବହାର) ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଏଭଳି ଏକ ଜରୁରୀକାଳୀନ ପରିସ୍ଥିତିରେ ଯୁବ କୋ-ପାଇଲଟ୍ ଏକାକୀ ବିମାନଟିକୁ ନିୟନ୍ତ୍ରଣ କରି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରାଇଥିଲେ।
ଘଟଣାର ତଦନ୍ତ ଜାରି
ଏହି ଗୁରୁତର ଘଟଣାର ତଦନ୍ତ ଭାରତର 'ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ' (AAIB) କରୁଛି। ତଦନ୍ତରେ ସହାୟତା କରିବା ପାଇଁ ଫ୍ରାନ୍ସର ବେସାମରିକ ବିମାନ ଚଳାଚଳ ସୁରକ୍ଷା ପ୍ରାଧିକରଣ (BEA) ଏବଂ ଏୟାରବସ୍ର ବୈଷୟିକ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି।