ନୂଆଦିଲ୍ଲୀ:ଖ୍ରୀଷ୍ଟମାସଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ଉତ୍ସବର ଋତୁ ହେତୁ ଘରୋଇ ପର୍ଯ୍ୟଟନ ଶିଳ୍ପରେ ଅତ୍ୟଧିକ ଉତ୍ସାହ ଜାରି ରହିଛି। ଏଥିପାଇଁ ବର୍ତ୍ତମାନ ଘରୋଇ କ୍ଷେତ୍ରରେ ଅଧିକାଂଶ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପାଇଁ ଅଗ୍ରୀମ ବା ଆଡଭାନ୍ସ ବୁକିଂ ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ବାସ୍ତବରେ ଓମିକ୍ରନ୍ର ନୂତନ ଭାରିଆଣ୍ଟର ଆଗମନ ହେତୁ ପର୍ଯ୍ୟଟନ କ୍ଷେତ୍ର, ଟୁର୍-ଟ୍ରାଭେଲ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଶିଳ୍ପ ଚିନ୍ତାରେ ରହିଥିଲା। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦ୍ବାରା ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ (ଇଟାଓ) ନିରାଶ ହୋଇଛି, କିନ୍ତୁ ଏହି ସମସ୍ୟା ମଧ୍ୟରେ ଘରୋଇ ପର୍ଯ୍ୟଟନ ଶିଳ୍ପ ପୁଣିଥରେ ଏହାର ଟ୍ରାକ୍କୁ ଫେରୁଛି। ଇତିମଧ୍ୟରେ ଅଗ୍ରୀମ ବୁକିଂରେ ୪୦୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହେଲାଣି।
ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଉତ୍ସବ ପାଇଁ ଅଗ୍ରୀମ ବୁକିଂରେ ଚାରିଗୁଣ ବୃଦ୍ଧି ଦେଖିବାକୁ ମିଳୁଛି, ଯଦିଓ ଘରୋଇ ବିମାନ ଭଡା ୩୦ ପ୍ରତିଶତ ଏବଂ ଡିସେମ୍ବରରେ ଅନ୍ତର୍ଜାତୀୟ ବିମାନ ଭଡା ୫୦ ପ୍ରତିଶତ ବୃଦ୍ଧି ପାଇଛି। ଇଜିମାଇଟ୍ରିପ ସହ-ପ୍ରତିଷ୍ଠାତା ରିକାନ୍ତ ପିଟି କହିଛନ୍ତି,ଯେ, ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ପ୍ରମୁଖ ବିବାହ ସ୍ଥଳ ପାଇଁ ବୁକିଂ ଗତବର୍ଷ ତୁଳନାରେ ୧୦୦ ପ୍ରତିଶତ ଅଧିକ ରହିବ। ଗୁଲମର୍ଗର ସବୁ ହୋଟେଲ ଇତିମଧ୍ୟରେ ବୁକ୍ ହୋଇସାରିଛି।
ଗୁଲମର୍ଗ, ଗୋଆ, ଉଦୟପୁର, ଜୟପୁର, ମୁସୁରୀ, ଶିମଳା, ନୈନୀତାଲ, ଋଷିକେଶ ଏବଂ ପୋର୍ଟ ବ୍ଲେୟାର ପାଇଁ ବୁକିଂ ବେଶ ଅଧିକ ରହିଛି। ରାଜା-ରାଣୀ ଟ୍ରାଭେଲ୍ସର ଅଧ୍ୟକ୍ଷ ଅଭିଜିତ୍ ପାଟିଲ କହିଛନ୍ତି ଯେ, ଗୁଲମର୍ଗର ହୋଟେଲଗୁଡ଼ିକ ସମ୍ପୂର୍ଣ୍ଣ ବୁକ୍ ହୋଇଛି। ବର୍ତ୍ତମାନ ପର୍ଯ୍ୟଟକମାନେ ପହଲଗାମକୁ ଯାଉଛନ୍ତି ଏବଂ ସେଠାରେ ୮୦ ପ୍ରତିଶତ ବୁକିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି। ହାଉସବୋଟଗୁଡିକ ପ୍ରାୟ ୬୦ ପ୍ରତିଶତ ବୁକ୍ ହୋଇସାରିଛି। ଜାମ୍ମୁ କାଶ୍ମୀରକୁ ସରିବାର ପର୍ଯ୍ୟଟକଙ୍କ ଯାତାୟାତ ଅଧିକ ରହିଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ ମହାରାଷ୍ଟ୍ରର ଅଧ୍ୟକ୍ଷ ଜିତେନ୍ଦ୍ର କେଜ୍ରିୱାଲ କହିଛନ୍ତି ଯେ, ଘରୋଇ ବଜାରରେ କରୋନାକୁ ପୂର୍ବ ଭଳି ଭୟ ନାହିଁ, ତେଣୁ ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ଏଭଳି ଅଭିବୃଦ୍ଧି ଘଟୁଛି। ରତ୍ନଭଣ୍ଡାରର ଭିରେନ ଭୋରା କହିଛନ୍ତି ଯେ, ଏଠାରୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ପାଇଁ ଆମର ଭଲ ବୁକିଂ ରହିଛି। ମହାରାଷ୍ଟ୍ରର ମୋଟ ବୁକିଂ ମଧ୍ୟରୁ ୪୦ ପ୍ରତିଶତ ଜମ୍ମୁ ଓ କଶ୍ମୀର ପାଇଁ ଏବଂ ୬୦ ପ୍ରତିଶତ ହିମାଚଳ ପ୍ରଦେଶ, ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟ ନିମନ୍ତେ ପର୍ଯ୍ୟଟକ ବୁକିଂ କରିଛନ୍ତି। ଏଠାରେ ସୂଚନଯୋଗ୍ୟ ଦେଶର ମେୋଟ ଘରୋଇ ଉତ୍ପାଦ( ଜିଡିପି)ର ପର୍ଯ୍ୟଟନ କ୍ଷେତ୍ରର ଅବଦାନ ୫ ପ୍ରତିଶତରୁ ଅଧିକ ଏବଂ ନିଯୁକ୍ତି ଉତ୍ପାଦନ ୧୨ ପ୍ରତିଶତରୁ ଅଧିକ।