ଛତିଶଗଡ଼: ଛତିଶଗଡ଼ର ବାଲୋଦା ବଜାର ଭାଟାପାରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଏକ ଯାତ୍ରୀବାହୀ ଭ୍ୟାନ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୫ ମହିଳା ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି। ଘଟଣା ପରେ ତୁରନ୍ତ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ବାଲୋଦା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ଯାଉଥିଲା। ଗାଡ଼ିଟି ବାଲୋଦା ବଜାର ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ଟି ଭ୍ୟାନ୍କୁ ଧକ୍କା ଦେଇଥିଲା। କୌଣସି ଏକ ପାରିବାରିକ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତେ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିବା ବାଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।