ନୂଆଦିଲ୍ଲୀ : ଗାଡି ମାଲିକଙ୍କୁ ଆଶ୍ୱସ୍ତି! ଏଣିକି ୧୫ ବର୍ଷ ବଦଳରେ ୨୦ ବର୍ଷ ପାଇଁ ରାସ୍ତାରେ ଗଡ଼ିବ ଗାଡି। ହେଲେ ପୁରୁଣା ଗାଡ଼ିର ପଞ୍ଜିକରଣ ଲାଗି ଗାଡ଼ି ମାଲିକଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ପଞ୍ଜୀକରଣ ଫି’। କାରଣ କେନ୍ଦ୍ର ସରକାର ୧୫ ବର୍ଷ ପୁରୁଣା ଯାନଗୁଡ଼ିକର ପଞ୍ଜୀକରଣକୁ ୨୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ଏଥିରେ ୨୦ ବର୍ଷ ପୁରୁଣା ଯାନର ପଞ୍ଜୀକରଣ ଲାଗି ଗାଡ଼ି ମାଲିକଙ୍କୁ ବର୍ଦ୍ଧିତ ନବୀକରଣ ଫି’ ଦେବାକୁ ପଡିବ। ଏହି ନୂତନ ନିୟମ କେନ୍ଦ୍ରୀୟ ମୋଟର ଯାନ ନିୟମ (ତୃତୀୟ ସଂଶୋଧନ), ୨୦୨୫ ଅଧୀନରେ ଲାଗୁ କରାଯାଇଛି।
ନୂଆ ନିୟମ ଅଗଷ୍ଟ ୨୦ରୁ ଲାଗୁ ହୋଇଛି। ଏହି ନିର୍ଦ୍ଦେଶନାମା ଦିଲ୍ଲୀ-ଏନସିଆର ବ୍ୟତୀତ ସମଗ୍ର ଦେଶରେ ଲାଗୁ ହେବ। କାରଣ ଦିଲ୍ଲୀ-ଏନସିଆରରେ ପୂର୍ବରୁ ୧୫ ବର୍ଷ ପୁରୁଣା ପେଟ୍ରୋଲ ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନବୀକରଣ ପ୍ରତି ୫ ବର୍ଷରେ କରିବାକୁ ପଡିବ ଏବଂ ଏଥିପାଇଁ ଏକ ସ୍ୱୀକୃତିପ୍ରାପ୍ତ ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର (ଏଟିଏସ୍) ରୁ ଫିଟନେସ୍ ପ୍ରମାଣପତ୍ର ହାସଲ କରିବା ବାଧ୍ୟତାମୂଳକ।
ଏହି ନୂଆ ନିୟମାନୁଯାୟୀ, ମୋଟରସାଇକେଲ ପଞ୍ଜୀକରଣ ନବୀକରଣ ପାଇଁ ୨୦୦୦ ଟଙ୍କା(ପୂର୍ବରୁ ୧୦୦୦ ଟଙ୍କା), ତିନି ଚକିଆ ଯାନ/କ୍ୱାଡ୍ରିସାଇକେଲ ପାଇଁ ୫୦୦୦ ଟଙ୍କା(ପୂର୍ବରୁ ୨୫୦୦ ଟଙ୍କା), ହାଲୁକା ମୋଟର ଯାନ (କାର ପରି ଏଲ୍ଏମ୍ଭି୧୦,୦୦୦ ଟଙ୍କା (ପୂର୍ବରୁ ୫୦୦୦ ଟଙ୍କା),ଆମଦାନୀ ହୋଇଥିବା ଦୁଇ ଚକିଆ ଯାନ ୨୦,୦୦୦ ଟଙ୍କା, ଆମଦାନୀ ହୋଇଥିବା ଚାରି ଚକିଆ ଯାନ ୮୦,୦୦୦ ଟଙ୍କା ଏବଂ ଅନ୍ୟାନ୍ୟ ବର୍ଗର ଯାନ ପାଇଁ ୧୨,୦୦୦ ଟଙ୍କା ଦେବାକୁ ପଡିବ। ସେହିପରି ବାଣିଜ୍ୟିକ ଯାନ କ୍ଷେତ୍ରରେ ଟ୍ୟାକ୍ସି ୭୦୦୦ ଟଙ୍କା (ପୂର୍ବରୁ ୧୦୦୦ ଟଙ୍କା),ବସ୍/ଟ୍ରକ୍ର ପଞ୍ଜୀକରଣ ପାଇଁ ୧୨,୫୦୦ ଟଙ୍କା (ପୂର୍ବରୁ ୧୫୦୦ ଟଙ୍କା) ପଡିବ। ଏହାଛଡା ପଞ୍ଜିକରଣ ନବୀକରଣରେ ବିଳମ୍ବ ପାଇଁ ମଧ୍ୟ ବିଳମ୍ବିତ ଶୁଳ୍କ ଲାଗୁ ହେବ, ଯାହା ଘରୋଇ ଯାନ ପାଇଁ ପ୍ରତି ମାସରେ ୩୦୦ ଟଙ୍କା ଏବଂ ବାଣିଜ୍ୟିକ ଯାନ ପାଇଁ ପ୍ରତି ମାସରେ ୫୦୦ ଟଙ୍କା ଜରିମାନା ଲାଗୁ ହେବ।