ବାଦାମ ଖାଇଲେ ଗ୍ୟାସ୍ କିମ୍ବା ବ୍ଲୋଟିଂ ସମସ୍ୟା ହେଉଛି କି? ଜାଣନ୍ତୁ ୟୁକେ ସର୍ଜନଙ୍କ ଖାସ୍ ଟିପ୍ସ

ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ବାଦାମ ବା ନଟ୍ସ (Nuts) ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ କିଛି ଲୋକଙ୍କୁ ବାଦାମ ଖାଇବା ଦ୍ୱାରା ପେଟ ଫୁଲିବା (Bloating), ଗ୍ୟାସ୍ ଏବଂ ହଜମ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ସମସ୍ୟା କାହିଁକି ହୁଏ ଏବଂ ଏଥିରୁ କିପରି ମୁକ୍ତି ପାଇବେ, ସେ ନେଇ ବ୍ରିଟେନର ଜଣେ ବିଶେଷଜ୍ଞ ସର୍ଜନ ଡାକ୍ତର ରାଜନ (Dr Rajan) କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ବାଦାମ ହଜମ ହେବାରେ ସମସ୍ୟା କାହିଁକି ହୁଏ?

ଡାକ୍ତର ରାଜନଙ୍କ ମତରେ, ବାଦାମରେ ପ୍ରାକୃତିକ ଭାବେ ଫାଇଟିକ୍ ଏସିଡ୍ (Phytic acid), ଟେନିନ୍ସ (Tannins) ଏବଂ ଏନ୍‌ଜାଇମ୍ ଇନହିବିଟର୍ସ (Enzyme inhibitors) ରହିଥାଏ, ଯାହା କିଛି ଲୋକଙ୍କ ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ। ସାଧାରଣ ଲୋକଙ୍କ ପାଇଁ ଏହା ବିଶେଷ କ୍ଷତିକାରକ ନୁହେଁ, କିନ୍ତୁ ଯେଉଁମାନଙ୍କର ଇରିଟେବଲ୍ ବାୱେଲ ସିଣ୍ଡ୍ରୋମ (IBS), ସ୍ମଲ୍ ଇଣ୍ଟେଷ୍ଟାଇନାଲ୍ ବ୍ୟାକ୍ଟେରିଆଲ୍ ଓଭରଗ୍ରୋଥ (SIBO) କିମ୍ବା ପାକସ୍ଥଳୀରେ କମ୍ ଏସିଡ୍ ଥାଏ, ସେମାନେ ବାଦାମ ଖାଇଲେ ଶୀଘ୍ର ବ୍ଲୋଟିଂ ବା ପେଟ ଫୁଲିବା ସମସ୍ୟାର ଶିକାର ହୋଇଥାନ୍ତି।

ବାଦାମକୁ ଭିଜାଇ ଖାଇବା କେତେ ଲାଭଦାୟକ?

ପ୍ରାୟତଃ ଲୋକମାନେ ଭାବନ୍ତି ଯେ ବାଦାମକୁ ଭିଜାଇବା ଦ୍ୱାରା ଏଥିରେ ଥିବା ଫାଇଟିକ୍ ଏସିଡ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ତେବେ ଏହାକୁ ନେଇ ୨୦୨୦ ମସିହାର ଏକ ଅଧ୍ୟୟନକୁ ଦର୍ଶାଇ ଡାକ୍ତର ରାଜନ କହିଛନ୍ତି ଯେ, ଆଲମଣ୍ଡ, ଚିନାବାଦାମ ଏବଂ ଆଖରୋଟ୍ ଭଳି ବାଦାମକୁ ୪ରୁ ୧୨ ଘଣ୍ଟା ଯାଏଁ ଭିଜାଇବା ପରେ ମଧ୍ୟ ଫାଇଟିକ୍ ଏସିଡର ମାତ୍ରା ବହୁତ କମ୍ ପରିମାଣରେ ହ୍ରାସ ପାଇଥିଲା। ଏହାର କାରଣ ହେଉଛି ବାଦାମରେ ଏଣ୍ଡୋଜେନସ୍ ଫାଇଟେଜ୍ (Endogenous phytase) ଏନ୍‌ଜାଇମ୍‌ର ମାତ୍ରା ଖୁବ୍ କମ୍ ଥାଏ।

ତେବେ ବାଦାମକୁ ଭିଜାଇବା ଦ୍ୱାରା ଏକ ବଡ଼ ଫାଇଦା ମିଳିଥାଏ। ଏହା ନରମ ହୋଇଯାଏ, ଯାହାକୁ ଚୋବାଇବା ଏବଂ ଗିଳିବା ସହଜ ହୋଇଥାଏ। ଭିଜା ବାଦାମକୁ ଖାଇବା ଦ୍ୱାରା ଏହାର କଣିକାଗୁଡ଼ିକ ଛୋଟ ଛୋଟ ହୋଇଯାଏ, ଯାହା ଫଳରେ ଏନ୍‌ଜାଇମ୍ ଗୁଡ଼ିକ ସହଜରେ କାମ କରିପାରନ୍ତି ଏବଂ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ।

ବ୍ଲୋଟିଂରୁ ବର୍ତ୍ତିବେ କିପରି?

ଯେଉଁମାନଙ୍କୁ ବାଦାମ ଖାଇବା ପରେ ଅଧିକ ଗ୍ୟାସ୍ ହେଉଛି, ସେମାନଙ୍କ ପାଇଁ ବାଦାମକୁ ଭିଜାଇବା ପରିବର୍ତ୍ତେ ଭାଜିବା କିମ୍ବା ରୋଷ୍ଟ କରିବା (Roasting) ଏକ ଭଲ ବିକଳ୍ପ ହୋଇପାରେ ବୋଲି ଡାକ୍ତର ରାଜନ ପରାମର୍ଶ ଦେଇଛନ୍ତି। ରୋଷ୍ଟିଂ କରିବା ଦ୍ୱାରା ବାଦାମ ସହଜରେ ହଜମ ହୋଇଥାଏ ଏବଂ ପେଟ ଫୁଲିବା ଆଶଙ୍କା ଯଥେଷ୍ଟ କମିଯାଏ।

About The Author: Suryakanta